ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ କୋରିଓଗ୍ରାଫର ଭାବେ ପରିଚୟ ସୃଷ୍ଟି କରିଥିବା ରୋଜା ରଣାଙ୍କ ସହିତ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର

ଷ୍ଟିଲ୍‌ ସିଟି ରାଉରକେଲାର ଝିଅ ରୋଜା ରଣା, ବଲିଉଡରେ ସୃଷ୍ଟି କରିଛନ୍ତି ପରିଚୟ। ମାଧୁରୀ ଦୀକ୍ଷିତ, ହ୍ରିତିକ ରୋଶନ, ଟ୍ରାଇଗର ଶ୍ରଫ୍‌ଙ୍କ ଭଳି ନମ୍ବର ଓ୍ୱାନ ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ସେ କରୁଛନ୍ତି ଡ୍ୟାନ୍ସ। ତାଙ୍କ ଡ୍ୟାନ୍ସରେ ଦିଓ୍ୱାନା ହୋଇଛନ୍ତି ଲକ୍ଷ ଲକ୍ଷ ଦର୍ଶକ। କିନ୍ତୁ ଆଜି ସେ ଯେଉଁ ସଫଳତା ପାଇ ଚାଲିଛନ୍ତି ତା’ ପଛରେ ରହିଛି ଅନେକ କାହାଣୀ।

‘‘ଯେତେବେଳେ ଦେଢ଼ ବର୍ଷର ଥିଲି, ସେତେବେଳୁ ହିଁ ମୁଁ ଡ୍ୟାନ୍ସ କରୁଛି। ୩ ବର୍ଷ ବୟସରୁ ମୁଁ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ ଭାଗ ନେଉଥିଲି। ତା’ପରେ ଯେତେବେଳେ ୮ ବର୍ଷର ହୋଇଥିଲି ମୁଁ ପ୍ରଥମ କରି ମୁମ୍ବାଇ ଯାଇଥିଲି। ସେଠାରେ ‘ବୁଗି ଓଗି’ ରିଆଲିଟି ସୋ’ରେ ଭାଗ ନେଇଥିଲି। ସେହିଠାରୁ ଆରମ୍ଭ ହୋଇଥିଲା ମୋର ଡ୍ୟାନ୍ସ ଯାତ୍ରା’’, ଓଡ଼ିଶାଲାଇଭ୍‌କୁ ଦେଇଥିବା ସାକ୍ଷାତକାର ସମୟରେ ଏ କଥା କହିଛନ୍ତି ରୋଜା ରଣା।

ରାଉରକେଲାର କୋଏଲ ନଗରରେ ରୋଜାଙ୍କ ଜନ୍ମ। ସ୍ୱର୍ଗତଃ ଅଶୋକ ରଣା ଓ ଶିବାନୀ ରଣାଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରୋଜା। ପିଲାବେଳୁ ରୋଜାଙ୍କର ନାଚ ପ୍ରତି ‌ଦୁର୍ବଳତା ଥିଲା।  ଏଥିପାଇଁ ମାତ୍ର ଦେଢ଼ ବର୍ଷ ବୟସରୁ ସେ ନାଚ ଶିଖିବା ଆରମ୍ଭ କରିଥିଲେ । ପିଲାବେଳେ ରୋଜା ତାଙ୍କ ରାଉରକେଲାରେ ଆୟୋଜିତ  ଏକ ସାଂସ୍କୃତିକ କାର୍ଯ୍ୟକ୍ରମ‌ରେ ଯୋଗ ଦେଇ ଡ୍ୟାନ୍ସ କରିଥିଲେ। ସେହି ଦିନ ତାଙ୍କ ଭିତରେ ଥିବା ପ୍ରତିଭା ବାହାରକୁ ଆସିଥିଲା। ସେ ବଡ଼ ହୋଇ ଜଣେ ଡ୍ୟାନ୍ସର ହେବେ ବୋଲି ତାଙ୍କ ବାପା, ମା’ ଜାଣିପାରିଥିଲେ।

‘‘ମୋ ବାପା ହିଁ ମୋର ବଡ଼ ପ୍ରେରଣା। ଆଜି ମୁଁ ଯେଉଁଠି ଅଛି, ତାଙ୍କ ପାଇଁ। ତାଙ୍କ ବିଶ୍ୱାସ ଯୋଗୁଁ ମୁଁ ମୁମ୍ବାଇରେ ରହି ନିଜର ପରିଚୟ ସୃଷ୍ଟି କରିପାରିଛି। ସେ ସିନା ଆଜି ନାହାନ୍ତି କିନ୍ତୁ ମୁଁ ତାଙ୍କୁ ପ୍ରତି ମୁହୂର୍ତ୍ତରେ ମୋ ସାମ୍ନାରେ ଦେଖିପାରୁଛି। ଡ୍ୟାନ୍ସ ମାଧ୍ୟମରେ ଓଡ଼ିଶାକୁ ଆହୁରି ଆଗକୁ ନେଇ ମୁଁ ତାଙ୍କ ସ୍ୱପ୍ନ ନିଶ୍ଚୟ ପୂରା କରିବି’’, କହନ୍ତି ରୋଜା।

୨୦୦୩ରେ କୁନି ପିଲାମାନଙ୍କ ପାଇଁ ଆୟୋଜିତ ରିଆଲିଟି ସୋ’ ‘ବୋଗି ଓଗି’ରେ ଅଂଶଗ୍ରହଣ କରି ପ୍ରଥମ ରନର୍ସ ଅପ୍‌ ହୋଇଥିଲେ ରୋଜା । ତା’ ପରେ ଗୋଟିଏ ପରେ ଗୋଟିଏ ରିଆଲିଟି ସୋ’ରେ ଭାଗ ନେବା ସହ ସେ ବିଭିନ୍ନ ଫିଲ୍ମରେ ମଧ୍ୟ କାମ କରୁଛନ୍ତି। ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’, ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର’ ଭଳି ଚର୍ଚ୍ଚିତ ରିଆଲିଟି ସୋ’ରେ ଭାଗ ନେଇ ପ୍ରଶଂସା ସାଉଣ୍ଟିଛନ୍ତି ସେ। ଆଗାମୀ ଦିନରେ ବଲିଉଡରେ ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫର ହେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।

‘‘ମୁମ୍ବାଇରେ ରହି କ୍ୟାରିୟର କରିବା ଟିକେ କଷ୍ଟ। କିନ୍ତୁ ଯଦି ଆମ ଭିତରେ ସେତିକି ପ୍ରତିଭା ଅଛି ତାହେଲେ ଆମକୁ କେହି ରୋକିପାରିବେନି। ମୁମ୍ବାଇ ଭଳି ସହରରେ ରହିବା ପାଇଁ ହେଲେ ସେତିକି ମାନସିକ ଭାବେ ଦୃଢ଼ ହେବାକୁ ପଡ଼ିବ’’, କହନ୍ତି ରୋଜା।

ମାଧୁରୀ ଦୀକ୍ଷିତ, ହ୍ରିତିକ ରୋଶନ, ଶ୍ରୀଦେବୀଙ୍କ ଭଳି କଳାକାରଙ୍କୁ ପ୍ରେରଣା କରି ରୋଜା ଆଗକୁ ବଢ଼ି ଚାଲିଛନ୍ତି। ସେ ଜଣେ ଫ୍ରି ଷ୍ଟାଇଲ ଡ୍ୟାନ୍ସର ଭାବେ ସେ ସମସ୍ତଙ୍କୁ ମନୋରଞ୍ଜନ ଯୋଗାଇ ଆସିଛନ୍ତି। ତାଙ୍କ ପାଇଁ ପୂରା ଓଡ଼ିଶା ଗର୍ବ କରୁଛି।

Comment