ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁଦ୍ଧ ଘୋଷଣା କରି ୟୁକ୍ରେନ ଉପରେ ଆକ୍ରମଣ କରିଛି ରୁଷ। ରୁଷ ଆକ୍ରମଣରେ ୟୁକ୍ରେନ ଥରୁଥିବାବେଳେ ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ ନାଗରିକ। ଏମାନଙ୍କ ମଧ୍ୟରେ ଅନେକ ଓଡ଼ିଶାରୁ ରହିଛନ୍ତି। ଯୁଦ୍ଧ ପରିସ୍ଥିତି ଭୟଙ୍କର ହେଉଥିବାରୁ ୟୁକ୍ରେନରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରାଜ୍ୟକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଆଲୋଚନା କରିଛନ୍ତି।

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସହ ସମନ୍ୱୟ ରକ୍ଷା କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି।

ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନରେ ବହୁ ସଂଖ୍ୟାରେ ଓଡ଼ିଆ ଛାତ୍ରଛାତ୍ରୀ ମେଡିକାଲ ପାଠ ପଢ଼ିବାକୁ ଯାଇଛନ୍ତି। ଯୁଦ୍ଧ ପରିସ୍ଥିତି ଉଗ୍ରରୂପ ନେଉଥିବାରୁ ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସେମାନଙ୍କ ପରିବାର ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା।

ଅନ୍ୟପକ୍ଷରେ ସମସ୍ତଙ୍କୁ ସୁରକ୍ଷିତ ୟୁକ୍ରେନରୁ ଫେରାଇ ଆଣିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ସେ କହିଛନ୍ତି ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ନିରନ୍ତର ଯୋଗଯୋଗରେ ଅଛନ୍ତି ଏବଂ ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କଥାବାର୍ତ୍ତା ଚାଲିଛି। ସେଠାରେ ଫସି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।

Comment