ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁକ୍ରେନରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସମସ୍ତେ ନିରାପଦ ଦେଶକୁ ଫେରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶ୍ଵସ୍ତି ପ୍ରକାଶ କରିବା ସହ ୟୁକ୍ରେନରୁ ଫେରି ଦିଲ୍ଲୀରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହ ଅନଲାଇନ ଆଲୋଚନା କରିଛନ୍ତି। ଅନ୍ୟମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି।

“ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ସୁରକ୍ଷିତ ଫେରାଇ ଆଣିବା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛୁ। ଏ ବିଷୟରେ ଆଉ ଥରେ କଥାବାର୍ତ୍ତା ହେବା ପରେ ପଦକ୍ଷେପ ନିଆଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀମାନଙ୍କ ସହିତ ବୁକାରେଷ୍ଟ ଯାଇଥିଲେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀ କହିଥିଲେ। ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା ସେମାନେ କହିଥିଲେ।

ୟୁକ୍ରେନରୁ ଫେରୁଥିବା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ହେଲପ୍ ଡେସ୍କ ଖୋଲିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଓଟିଡିସି ବସ୍ ଯୋଗେ ସେମାନଙ୍କ ଘରେ ପହଞ୍ଚାଇବାକୁ କୁହାଯାଇଛି। ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ ଆଲୋଚନାକୁ ସଂଯୋଜନା କରିଥିଲେ।

Comment