ଓଡ଼ିଶାଲାଇଭ ବ୍ୟୁରୋ

ପାଲେଷ୍ଟାଇନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ। ରାମଲ୍ଲାସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଦୂତାବାସ କାର୍ଯ୍ୟାଳୟ ଭିତରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲେ ବି ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ୨୦୦୮ ବ୍ୟାଚର ଆଇଏଫଏସ ଅଫିସରଙ୍କ ମୃତ୍ୟୁକୁ ଏବେ ରହସ୍ୟ ଘେରରେ ରହିଛି। ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।

 

ମୁକୁଲଙ୍କ ଦେହାନ୍ତ ନେଇ ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଶୋକବ୍ୟକ୍ତ କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ ଯାଇ ମୃତ୍ୟୁ ଘଟଣାର ତଦନ୍ତ କରିବା ଲାଗି ପୋଲିସ, ନିରାପତ୍ତା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ସାତେୟ।

ମୁକୁଲଙ୍କ ମରଶରୀର ଭାରତ ଆଣିବା ଲାଗି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି। ମୁକୁଲଙ୍କ ବିୟୋଗରେ ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରୀ ରିୟାଦ ଅଲ ମାଲିକି ଶୋକବ୍ୟକ୍ତ କରିଛନ୍ତି। ପୂର୍ବରୁ ମୁକୁଲ କାବୁଲ, ମସ୍କୋସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟରତ ଥିଲେ। ଭାରତୀୟ ବିଦେଶ ମନ୍ତ୍ରଣାଳୟର କହିବା ମୁତାବକ, ସେଠିକାର ଭାରତୀୟ ଦୂତାବାସର ଅଧିକାରୀଙ୍କ ଯୋଗାଯୋଗ ସମ୍ପର୍କ ସ୍ଥାପନ କରାଯାଉଛି ଯଦ୍ୱାରା ଆର୍ଯ୍ୟଙ୍କ ମରଶରୀରକୁ ଯଥାଶିଘ୍ର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇପାରିବ। ମୁକୁଲ ଆର୍ଯ୍ୟ ଜଣେ ଦକ୍ଷ ପ୍ରଶାସକ ଥିବା କହିଛନ୍ତି ଏସ୍ ଜୟଶଙ୍କର।

Comment