ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ଅଭିନୟର ଲମ୍ବା ଯାତ୍ରା ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ।

ମନୋଜ ମିଶ୍ର ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା। ସେ ଓଲିଉଡ, ବଲିଉଡ ଓ ଟଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି। ଖାଲି ସେତିକି ନୁହେଁ ନାସନାଲ ଟେଲିଭଜିନରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇ ସେ ଘରେ ଘରେ ପରିଚିତ ହୋଇଛନ୍ତି। ତାଙ୍କୁ ଓଲିଉଡର ‘କୁଲ ଖଳନାୟକ’ ବୋଲି ଦର୍ଶକ କହନ୍ତି। କିନ୍ତୁ ସଫଳତା ହାସଲ କରିବା ଲାଗି ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଏହି ସମ୍ପର୍କରେ ମନୋଜ ମିଶ୍ରଙ୍କ ସହିତ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର କଥାବାର୍ତ୍ତ।।

ଦୀର୍ଘଦିନରୁ ଆପଣ ଫିଲ୍ମ ଅଭିନୟ କରୁଛନ୍ତି। ଆପଣଙ୍କୁ ଦର୍ଶକଙ୍କ ଭଲ ପାଇବା ମଧ୍ୟ ମିଳିଛି। କିନ୍ତୁ ଆପଣ କାହିଁକି ଅଭିନୟ କରିବାକୁ ଚାହିଁଲେ?

ପିଲା ବେଳେ ହିରୋ ହେବାକୁ ମୋର ପ୍ରବଳ ଇଚ୍ଛା ଥିଲା। ସବୁବେଳେ କଳ୍ପନା କରୁଥିଲି ସମସ୍ତେ ମତେ ଦେଖନ୍ତୁ, ମୋ ପଛରେ ଭିଡ଼ ଜମାନ୍ତୁ। ମୁଁ ଯୋଉିଠି ଛିଡ଼ା ହେବି ସେହିଠାରୁ ଧାଡ଼ି ଆରମ୍ଭ ହେଉ। ପାଠରେ ତ ମୁଁ ଭଲ ନଥିଲି ଭାବିଲି ସାଠରେ କିଛି ଗୋଟେ କରି ଦେଖାଇବି।  ତା’ ପରେ ମୁଁ ନାଟକ ଦେଖିବା ଆରମ୍ଭ କଲି। ଧୀରେ ଧୀରେ ମୋତେ ନାଟକ ଭଲ ଲାଗିଲା। କଳା ପ୍ରତି ମୋର ଆଗ୍ରହ ବଢ଼ିଲା। ମୁଁ ନାଟକରେ ଅଭିନୟ ଆରମ୍ଭ କଲି। ମୋ ଅଭିନୟକୁ ଦର୍ଶକ ପସନ୍ଦ କଲେ ପ୍ରଶଂସା ଆଜାଡ଼ିଲେ। ନାଟକରେ ମୋ ଅଭିନୟକୁ ବାଃ ବାଃ ମିଳିବାକୁ ଲାଗିଲା। ସବୁ ପରେ ଅଭିନୟ କରି ଆଗକୁ ବଢ଼ିବାକୁ ମୁଁ ନିଷ୍ପତ୍ତି ନେଇଥିଲି। ଅଭିନୟ କରୁ କରୁ ଅଭିନୟ ନିଶାରେ ପଡ଼ିଗଲି।

ଅନେକ କଳାକାର ବଲିଉଡରେ କାମ କରିବାକୁ ସ୍ଵପ୍ନ ଦେଖନ୍ତି ଏବଂ ଏଥିପାଇଁ ସଂଘର୍ଷ ମଧ୍ୟ କରନ୍ତି। କିନ୍ତୁ ଆପଣ ବଲିଉଡରୁ ହିଁ କ୍ୟାରିୟର ଆରମ୍ଭ କରିଥିଲେ। ଏ ବିଷୟରେ କଣ କହିବେ?

ସଂଘର୍ଷ ସମସ୍ତେ କରୁଛନ୍ତି। ଏବେ ବି ମୁଁ ସଂଘର୍ଷ କରୁଛି। କାରଣ ମଣିଷ ଯାହା ଚାହେଁ ବା ଯେଉଁଠି ପହଞ୍ଚିବାକୁ ଚାହେଁ ତାହା କେବେ ଶେଷ ହୁଏନି। ମୁଁ ବଲିଉଡ଼ରେ କାମ କରିବାକୁ ଯାଇଥିଲି। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ପାସ୍‌ କରିଥିବାରୁ ବମ୍ବେରେ ମୋର ଅନେକ ପରିଚିତ ଲୋକ ଥିଲେ। ଅନେକ ସିନିଅର ଷ୍ଟାର, ବଡ଼ ବଡ଼ ଫିଲ୍ମର ଟେକ୍ନେସିଆନ ଏବଂ ନିର୍ଦ୍ଦେଶକ ମୋର ଚିହ୍ନା ଥିଲେ। ସେଥିପାଇଁ ମୁଁ ମୁମ୍ବାଇରୁ କ୍ୟାରିଅର ଆରମ୍ଭ କରିବା ମୋ ପାଇଁ ସହଜ ହୋଇଥିଲା। ସେଠାରେ ମୁଁ ବି ଅନେକ ସଂଘର୍ଷ କରିଛି। ଏହି ସଂଘର୍ଷ ହିଁ ମୋତେ ଆଗକୁ ବଢ଼ିବାକୁ ସାହସ ଦେଇଥିଲା। ମୋ ଅଭିନୟ କ୍ୟାରିୟରରେ ଯେତେ ସବୁ ବାଧା ଆସିଛି ସେଥିରୁ ମୋତେ ବହୁତ କିଛି ଶିଖିବାକୁ ମିଳିଛି। ସେ ଅନୁଭୂତିରୁ ଯାହା ଶିଖିଲି, ସେଥିପାଇଁ ଆଜି ମୁଁ ଏଇଠି ପହଞ୍ଚି ପାରିଛି।

ସମ୍ବଲପୁରରୁ ମାୟାନଗରୀ ମୁମ୍ବାଇର ଯାତ୍ରା କେମିତି ଥିଲା

ମୋର ଯେଉଁ ସମୟରେ କଲେଜ ପାଠପଢ଼ା ସରିଥିଲା ସେ ସମୟରେ ସମ୍ବଲପୁରରୁ ଭୁବନେଶ୍ଵର ଆସିବା ବହୁତ ମୁସକିଲ ଥିଲା। ମୁମ୍ବାଇ ଯିବା କଥା କେହି ଚିନ୍ତା ବି କରିପାରୁନଥିଲେ। ମୋ ବାପା ମା’ଙ୍କ ସମର୍ଥନ ଲାଗି ମୁଁ ମୁମ୍ବାଇ ଯାଇପାରିଥିଲି ଏବଂ ଆଜି ଅଭିନୟ ଜଗତରେ ମୋର ଗୋଟିଏ ପରିଚୟ ମଧ୍ୟ ମୁଁ ପାଇପାରିଛି।

ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାରେ ପାଠ ପଢ଼ିଲେ ସେତେବେଳର ଅନୁଭୂତି କେମିତି ଥିଲା?

ଅଭିନୟ କରିବାକୁ ଚାହୁଁଥିବା ପ୍ରତି କଳାକାରଙ୍କର ସ୍ଵପ୍ନ ଥାଏ ଏନ୍ଏସଡି ଯିବାକୁ। ମୁଁ ଭାଗ୍ୟବାନ ଯେ ମୁଁ ସେଇ ଇନଷ୍ଟିଚ୍ୟୁଟରେ ପାଠ ପଢ଼ିବାକୁ ମତେ ସୁଯୋଗ ମିଳିଛି। ସେଠାରେ ଗୋଟିଏ ଗୋଟିଏ ମୁହୂର୍ତ୍ତ ମୋ ପାଇଁ ଅଭୁଲା। ନିଜକୁ ଆବିଷ୍କାର କରିବାର କ୍ଷମତା ମତେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ମିଳିଥିଲା। ଅନେକ ବନ୍ଧୁ ମୋର ବଲିଉଡରେ କାମ କରୁଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅତୁଲ କୁଲକର୍ଣ୍ଣି, ନବାଜ ଉଦ୍ଦିନ ସିଦ୍ଧିକି, ଆଶୁତୋଷ ରାଣା, ମୁକେଶ ତିଓ୍ଵାରି, କୁମୁଦ ମିଶ୍ରା, ୟାସପାଲ ଶର୍ମା।

ଆପଣ ବଲିଉଡରେ ବହୁତ ଫିଲ୍ମରେ କାମ କରିଛନ୍ତି, କିନ୍ତୁ ଓଡ଼ିଶା ଆସିବାକୁ କାହିଁକି ଚିନ୍ତା କଲେ?

ବଲିଉଡରେ ବହୁତ ବଡ଼ ବଡ଼ ଫିଲ୍ମରେ କାମ କରିଛି। ପାଖାପାଖି ୨୫ଟା।  କିନ୍ତୁ ବଡ଼ ଫିଲ୍ମରେ ଛୋଟ ଛୋଟ ରୋଲ ଥିଲା। ଯାହାକୁ ନେଇ ମୁଁ ସନ୍ତୁଷ୍ଟ ନଥିଲି। ଗୋଟେ ସମୟରେ ଲାଗିଲା ମୁଁ ଯେଉଁ ସ୍ଵପ୍ନ ନେଇ ଆସିଥିଲି ତାହା ବୋଧେ ଧୀରେ ଧୀରେ ସରିଯିବ।

ମୁଁ ଯେଉଁ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଥିଲି ମୋତେ ମିଳୁନଥିଲା। ମୁଁ ମୁମ୍ବାଇରୁ ଓଡ଼ିଶା ଆସୁଥିଲେ ଲୋକ ଖୁସି ହେଉଥିଲେ ସତ କିନ୍ତୁ ବଡ଼ ବଡ଼ କଳାକାରଙ୍କୁ ଦେଖି ଯେଉଁଭଳି ରେସପନ୍ସ ମିଳୁଥିଲା ମୋତେ ମିଳୁନଥିଲା। ଏହା ପରେ ମୁଁ ଛୋଟ ମୋଟ ଚରିତ୍ରରେ ଅଭିନୟ କରିବା ଛାଡ଼ି ଦେଲି। ଏହାର କିଛି ଦିନ ପରେ ଷ୍ଟାର ପ୍ଲସରେ ପ୍ରସାରିତ ହିନ୍ଦୀ ଧାରାବାହିତ ‘ବେହେନେ’ରେ ମୋତେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା। ଏହି ସିରିଏଲରେ ମୋ ଅଭିନୟ ମତେ ଯେତିକି ସନ୍ତୁଷ୍ଟ ମିଳିଛି ଦର୍ଶକଙ୍କ ପ୍ରଶଂସା ମଧ୍ୟ ସେତିକି ମିଳିଛି। ତା’ପରେ ମୁଁ ଓଡ଼ିଶା ଫେରି ମୋ ନିଜ ମାଟିରେ ପରିଚୟ ସୃଷ୍ଟି କରିବାକୁ ଚିନ୍ତା କରିଥିଲି। ଓଡ଼ିଶାରେ ରହି ମୁମ୍ବାଇ ପାଇଁ କାମ କରିବାକୁ ଚାହୁଁଥିଲି। ଏବେ ମୋର ଗୋଟିଏ ଲକ୍ଷ୍ୟ ଓଡ଼ିଶାରୁ ଭଲ ସିନେମା ନେଇ ମୁମ୍ବାଇକୁ ଯିବି।

ଓଡ଼ିଶା ଆସିବା ପରେ ଆପଣଙ୍କୁ କେମିତି କାମ ମିଳିଥିଲା?

ମୁଁ ପ୍ରଥମେ ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ତୁମକୁ ପାରୁନି ତ ଭୁଲି’ରେ କାମ କରିଥିଲି। ମତେ ଏହି ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାପରେ ମୁଁ ଗୋଟିଏ ପରେ ଗୋଟିଏ କାମ କରିବାର ସୁଯୋଗ ପାଇଥିଲି। କିନ୍ତୁ ସବୁ ଫିଲ୍ମ ମଧ୍ୟରୁ ମତେ ‘ଅଭୟ’ ଭଲ ଲାଗିଥିଲା। ମୁଁ ଯେଉଁଭଳି ଚରିତ୍ରରେ ଅଭିନୟ କରିବାକୁ ସବୁବେଳେ ଚାହିଁଥିଲେ, ଏହି ଫିଲ୍ମରେ ସେ ସୁଯୋଗ ଥିଲା। ଏହାଛଡ଼ା ନିକଟରେ ରିଲିଜ ହୋଇଥିଲା ଆଉ ଏକ ଫିଲ୍ମ ‘ସାମାପାଜୁର ରଘୁ’ ମଧ୍ୟ ମୋର ପ୍ରିୟ ଫିଲ୍ମ।  ଏଥିରେ ମଧ୍ୟ ମତେ ମିଳିଥିବା ଚରିତ୍ର ମୋର ବହୁତ ପସନ୍ଦ।

ଆପଣଙ୍କୁ ଦର୍ଶକ କୁଲ୍‌ ଖଳନାୟକ କହନ୍ତି। କେମିତି ଲାଗେ?

ମୁଁ ଚିତ୍କାର କରିବାକୁ ଭଲ ପାଏନି। ଯାହା କରିବାର ଥାଏ, ଚୁପ୍‌କି କରିଦିଏ।  ସେଥିପାଇଁ ବୋଧେ ଦର୍ଶକ ଏମିତି କହନ୍ତି।

ଜୀଅନ୍ତା ଭୂତ’, ‘ସାମାପାଜୁର ରଘରୁରେ ଆପଣ ପଜିଟିଭ ଚରିତ୍ରରେ ନଜର ଆସିଛନ୍ତି। ଆପଣଙ୍କର କେବେ ଇଚ୍ଛା ହେଇନି ନାୟକ ହେବାକୁ?

ସବୁବେଳେ ଇଚ୍ଛା ଥିଲା ହିରୋ ହେବାକୁ। କିନ୍ତୁ ମୋ ଚେହେରା ଟା ସେମିତି ନୁହେଁ। ସିନେମାର ଚରିତ୍ରକୁ ନେଇ ହିଁ କଳାକାରଙ୍କୁ ଚୟନ କରାଯାଏ। ଯିଏ ଭଲ ଦେଖା ଯାଏ ସିଏ ହିରୋ ଆଉ ଯିଏ ଖଳନାୟକ ଭଳି ଦେଖାଯାଏ ସେ ଖଳନାୟକ ଭୂମିକାରେ ଅଭିନୟ କରେ।  କିନ୍ତୁ କିଛି ଫିଲ୍ମରେ ମୁଁ ପଜିଟିଭ ରୋଲ୍‌ରେ ଅଭିନୟ କରିଛି। ‘ସାମାପାଜୁର ରଘୁ’ ପ୍ରଶାନ୍ତ ନନ୍ଦଙ୍କ ‘ଜୀଅନ୍ତା ଭୂତ’ ସେହି ଫିଲ୍ମ ମଧ୍ୟରୁ ଅନ୍ୟତମ।

ଆପଣଙ୍କ ଅଭିନୟକୁ ନେଇ ସୁଟିଂ ସେଟ୍‌ରେ କେବେ ଆପଣଙ୍କ ସହ ଅଭିନେତା ଅଭିନେତ୍ରୀ ଡରିଯାଇଛନ୍ତି କି?

ହିନ୍ଦୀ ଧାରାବାହିକ ‘ବେହେନେ’ରେ ମୋର ଚରିତ୍ର ମଦୁଆ ଥିଲା। ମୋ ବିପକ୍ଷରେ ଥିବା ଅଭିନେତ୍ରୀ ଆଦା ଖାନ୍‌ଙ୍କୁ ଗୋଟେ ମାସ ଲାଗି ଯାଇଥିଲା ଜାଣିବାକୁ କି ମୁଁ ସତରେ ମଦ ପିଏ ନା ନାହିଁ। ମୁଁ ଯେତେବେଳେ ସୁଟିଂ ସେଟ୍‌ରେ ତାଙ୍କ ପାଖକୁ ଯାଏଁ ମୋତେ ସେ ଏମିତି ବ୍ୟବହାର କରନ୍ତି ଯେମିତି ମୁଁ ସତରେ ମଦୁଆ। କିନ୍ତୁ ମୁଁ ମୋ ସହ ଅଭିନେତା, ଅଭିନେତ୍ରୀଙ୍କୁ ସେତିକି ସହଜ କରାଇ ଦେଇଥାଏ ଯେ ପରିବର୍ତ୍ତୀ ସମୟରେ ଅଭିନୟ କରିବା ସମୟରେ ମତେ ଡରନ୍ତି ନାହିଁ।

ଫିଲ୍ମ ପାଟଣାଗଡ଼ରେ ଆପଣ ବହୁ ବଡ଼ ବଡ଼ କଳାକାରଙ୍କ ସହ କାମ କରିଛନ୍ତି ଏବଂ ଏଥିରେ ଆପଣଙ୍କ ଚରିତ୍ର ମଧ୍ୟ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଛି। ଆପଣ ପୁଞ୍ଜିଲାଲ ଚରିତ୍ର ପାଇଁ କେମିତି ନିଜକୁ ଫିଟ୍‌ କଲେ?

ଗୋଟିଏ ସତ୍ୟ ଘଟଣାରୁ ହିଁ ଫିଲ୍ମଟି କରାଯାଇଛି। ଫିଲ୍ମଟି ତିଆରି ହେବା ପୂର୍ବରୁ ମତେ ଲାଗିଲା ଏହି ଫିଲ୍ମଟିରେ କେମିତି ଅଭିନୟ କରିବି? ଏହା ପରେ ପୁଞ୍ଜିଲାଲ ଚରିତ୍ରରେ ଅଭିନୟ କରିବା ମତେ ସୁଯୋଗ ମିଳିଲା। ଏହି ଚରିତ୍ର ପାଇଁ ମୋତେ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଛି। ମୋ ଅଭିନୟକୁ ନିର୍ଦ୍ଦେଶକ ଏବଂ ମୋ ସହ ଅଭିନେତା ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ।

ବର୍ତ୍ତମାନ ଓଡ଼ିଆ ସିନେମାର ଚାହିଦା କାହିଁକି କମୁଛି ବୋଲି ଭାବୁଛନ୍ତି?

ସିନେମାର ଚାହିଦା କମି ନାହିଁ। କିନ୍ତୁ ଓଡ଼ିଆ ସିନେମାର ଲୋକପ୍ରିୟତା କମିଛି। ଆଗରୁ ଲୋକଙ୍କ ପାଖରେ ଫିଲ୍ମର ବିକଳ୍ପ ନଥିଲା। ଫିଲ୍ମ ପାଇଁ କେବଳ ସିନେମା ହଲ କିମ୍ବା ଟେଲିଭିଜନ ମାଧ୍ୟମ ପାଲଟିଥିଲା। ବର୍ତ୍ତମାନ ସମୟରେ ପିଲ୍ମ ପାଇଁ ଅନେକ ବିକଳ୍ପ ରହିଛି। ଭଲ ଭଲ ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହ ଆସୁଛି। ଓଡ଼ିଆରେ ସେମିତି ଫିଲ୍ମ ନିର୍ମାଣ କରାଯାଉ ନାହିଁ ଯାହା ଦର୍ଶକଙ୍କୁ ବାନ୍ଧି ରଖିପାରିବ।

୮୦ ଦଶକରେ ଯେଉଁଭଳି ସିନେମା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ହେଉଥିଲା ସେମିତି ଫିଲ୍ମ କଲେ ମଧ୍ୟ ଦର୍ଶକ ଗ୍ରହଣ କରନ୍ତେ। ବର୍ତ୍ତମାନର ଯୁବବର୍ଗଙ୍କ ରୁଚିକୁ ଲକ୍ଷ୍ୟରେ ରଖି ସିନେମା ନିର୍ମାଣ କରାଗଲେ ସିନେମା ଚାଲନ୍ତା ଏବଂ ସିନେମାର ଲୋକ ପ୍ରିୟତା ମଧ୍ୟ ବଢ଼ନ୍ତା।

ଓଡ଼ିଆ ସିନେ ଜଗତରେ ବର୍ତ୍ତମାନ ଯେଉଁ ଧାରା ଚାଲିଛି ସେଥିରେ କେମିତି ପରିବର୍ତ୍ତନ ଆସବ?

ପରିବର୍ତ୍ତନ ଆସିପାରିବ। କିନ୍ତୁ ତା’ ପାଇଁ ଅଧିକ ଗବେଷଣା ଆବଶ୍ୟକତା ରହିଛି। ବର୍ତ୍ତମାନର ଦର୍ଶକଙ୍କ ରୁଚିକୁ ଆଖି ଆଗରେ ରଖି ଫିଲ୍ମ ନିର୍ମାଣ କରାଗଲେ ନିଶ୍ଚୟ ପରିବର୍ତ୍ତନ ଆସିପାରିବ। ସବୁ ଅଭିନେତା ଅଭିନେତ୍ରୀଙ୍କର ଗୋଟିଏ ଲକ୍ଷ୍ୟ ରହିବା ଦରକାର ଯେ, ଆମ ସିନେମା କେମିତି ବାହାରେ ବିକ୍ରି ହେବ। ଗୋଟିଏ ସିନେମାର ସ୍କ୍ରିପ୍ଟରୁ ଆରମ୍ଭ କରି ଅଭିନୟ, ନିର୍ଦ୍ଦେଶନା, ଅଭିନୟ, ଟେକ୍ନିକାଲ ସବୁ ଦିଗରେ ଦମ୍ ରହିବା ଜରୁରୀ। ଓଡ଼ିଆ ସିନେମା ଜାତୀୟ ସ୍ତରରେ ମାନ୍ୟତା ପାଇଲେ ନିଶ୍ଚିତ ଭାବେ ଓଡ଼ିଶାରେ ଉଭୟ ସିନେମା ଏବଂ କଳାକାରଙ୍କୁ ଆଦ୍ରୁତି ମିଳିପାରିବ।

କୋଭିଡ ଯୋଗୁଁ ଦୁଇ ବର୍ଷ ହେଲା ମନୋରଞ୍ଜନ ଶିଳ୍ପ ଉପରେ ସବୁଠୁ ଅଧିକ ପ୍ରଭାବ ପଡ଼ିଛି। ଆପଣ କେମିତି ଏଭଳି ଏକ କଷ୍ଟକର ସମୟକୁ ଅତିକ୍ରମ କଲେ?

ପ୍ରଭାବ ତ ନିଶ୍ଚୟ ପଡ଼ିଛି। କିନ୍ତୁ ମୁଁ ଘରେ ରହି କିଛି ନୂଆ କରିବାକୁ ଚିନ୍ତା କଲି। ଏହି ସମୟ ମଧ୍ୟରେ ଫିଲ୍ମ ପ୍ରଯୋଜନା କରିବା କଥା ଚିନ୍ତା କରିଥିଲି। ଟିଭି ଫିଲ୍ମ କରିବା କଥା ମଧ୍ୟ ଭାବିଲି। କିଛି ଚ୍ୟାନେଲ ପାଇଁ ଷ୍ଟୋରି ଲେଖୁଥିଲି। ସେଇଠୁ ବି ଟଙ୍କା ଆସୁଥିଲା ଏବଂ ନିଜକୁ ବ୍ୟସ୍ତ ରଖିପାରୁଥିଲି।

ଜଣେ ଅଭିନେତା ହିସାବରେ ଯେତେବେଳେ ଜନଗହଳି ସ୍ଥାନକୁ ଯାନ୍ତି ଦର୍ଶକଙ୍କର ପ୍ରତିକ୍ରିୟା କେମିତି ଥାଏ?

ଯେଉଁଠି ଦର୍ଶକ ମତେ ଚିହ୍ନନ୍ତି ଏବଂ ମୋ ସହ ଫଟୋ ଉଠାନ୍ତି ମୁଁ ବହୁତ ଖୁସି ହୁଏ। ଲାଗେ ମୋ ପିଲାବେଳର ସ୍ଵପ୍ନ ପୂରଣ ହୋଇଛି। ଯଦି କେହି ମତେ ଚିହ୍ନି ପାରନ୍ତି ନାହିଁ ସତରେ ବହୁତ କଷ୍ଟ ହୁଏ।

Comment