ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ଗୋଟିଏ ମେମୋରୀ ଚିପ୍ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ତେବେ ମେମୋରୀ ଚିପ୍‌ରେ କ’ଣ ରହିଛି ଏବଂ କାହା ପାଖରେ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାଟି ଏବେ ଅଡ଼ୁଆ ସୁତା ପରି ହେବାକୁ ଲାଗିଛି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଦାୟିତ୍ଵ କ୍ରାଇବ୍ରାଞ୍ଚ ହାତକୁ ଯାଇଛି। କ୍ରାଇମବ୍ରାଞ୍ଚ ଡିଜିପି ସୁନୀଲ ବଂଶଲଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ତଦନ୍ତ ଭାର କ୍ରାଇବ୍ରାଞ୍ଚ ହାତକୁ ଯାଇଥିବା କହିଛନ୍ତି ଏଡିଜି ସଂଜୀବ ପଣ୍ଡା।

କ୍ରାଇମବ୍ରାଞ୍ଚ ମାନସ ହତ୍ୟା ଘଟଣାର ତଦନ୍ତ ଦାୟିତ୍ଵ ନେବା ପରେ ଦୁଇଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ନୟାଗଡ଼, ଭୁବନେଶ୍ଵର ଏବଂ ଭଦ୍ରକରେ ତଦନ୍ତ କରିବ। ଅନ୍ୟ ଟିମଟି ଘଟଣାର ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠାଙ୍କୁ ଠାବ କରିବାକୁ ମୁତୟନ ରହିବେ ବୋଲି ଏଡିଜି ସଂଜୀବ ପଣ୍ଡା କହିଛନ୍ତି।

ବୁଧବାର ଅଭିଯୁକ୍ତା ଶର୍ମିଷ୍ଠାଙ୍କ କାର ଭୁବନେଶ୍ଵର ଏୟାରଫିଲ୍ଡ ଥାନା ସ୍କାଏ ଟାଓ୍ଵାର ଆପାର୍ଟମେଣ୍ଟରୁ ଠାବ କରାଯାଇଛି। ଏହି କାରରେ ମାନସଙ୍କର ଅପହରଣଠାରୁ ଆରମ୍ଭ କରି ଶବ ନେଇ ନୟାଗଡ଼ରେ ପୋତା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯାଇଥିବା ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

ଗିରଫ ଭୟରେ କେଉଁଠାରେ ଶର୍ମିଷ୍ଠା ଆତ୍ମଗୋପନ କରିଛନ୍ତି ପୋଲିସ ତାର ଟେର ପାଇପାରି ନାହିଁ। ଏହି ହତ୍ୟା ମାମଲାରେ ପୋଲିସ୍ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଜଣେ ସରକାରୀ ଅଧିକାରୀ ମଧ୍ୟ ରହିଛନ୍ତି। ଶର୍ମିଷ୍ଠା ଧରାପଡ଼ିବା ପରେ ମାନସ ହତ୍ୟାକାଣ୍ଡର ଗୁମର ଖୋଲିବ ବୋଲି ଆଶା କରାଯାଉଛି। ପୋଲିସ୍ ଶର୍ମିଷ୍ଠାଙ୍କୁ ଖୋଜିବାରେ ବିଫଳ ହେବା ପରେ ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ଏହି ଦାୟିତ୍ଵ।

ଶର୍ମିଷ୍ଠାଙ୍କ ପାଖରେ ପହଞ୍ଚିବା ପାଇଁ ଗତ ମଙ୍ଗଳବାର ପୋଲିସର ଏକ ଟିମ୍ ଆନ୍ଧ୍ର ପ୍ରଦେଶର ବିଜୟଓ୍ଵାଡାରୁ ତାଙ୍କ ଭାଇ ପରମେଶ୍ଵର ରାଉତଙ୍କୁ ଧରି ଓଡ଼ିଶା ଆଣିଥିଲା। ଶର୍ମିଷ୍ଠାଙ୍କୁ ଓଡ଼ିଶାରୁ ଫେରାର କରିବାରେ ପରମେଶ୍ଵରଙ୍କର ହାତ ରହିଥିବା ପୋଲିସ୍ କହିଛି। କାଲିଠାରୁ ଥାନାରେ ଅଟକ ରଖି ପୋଲିସ ପରମେଶ୍ଵରଙ୍କୁ ଜେରା କରୁଥିଲା। ଆଜି ତାଙ୍କୁ ଗିରଫ ପରେ ଜେଲକୁ ପଠାଯାଇଛି। ଅନ୍ୟ ପଟେ ଦୋଷ କରିଥିଲେ ଶର୍ମିଷ୍ଠାଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି ପରମେଶ୍ଵର।

Tags: #CameramanManasMurderCase #MurderCase #CrimeBranch #SarmisthaRaut #CrimebranchInvetigation

Comment