ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୬ ଦିନିଆ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଚଳିତ ବିଧାନସଭା ବଜେଟ ଅଧିବେଶନ ଅନୁଷ୍ଠିତ ହେବ। ବଜେଟ୍ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଏବଂ ସୁରକ୍ଷା କର୍ମୀମାନଙ୍କର କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଗତ ୨୩ ତାରିଖଠାରୁ ସମସ୍ତଙ୍କର କୋଭିଡ ଟେଷ୍ଟିଂ କରାଯାଉଛି। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ରହିଛି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଆଭିଭାଷଣ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ପୂର୍ବ ଭଳି କୋଭିଡ କଟକଣା ଅନୁଯାୟୀ ଗୃହରେ ସିଟିଂ ଆରେଂଜମେଣ୍ଟ କରାଯିବ।

ବିଧାନସଭା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥାଏ। କିନ୍ତୁ ପୌର ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ବିଧାୟକ ଓ ବିଧାୟିକାମାନେ ବ୍ୟସ୍ତ ରହୁଥିବାରୁ ବିଧାନସଭା ଅଧିବେଶନର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ କରାଯାଇ କୋଭିଡ କଟକଣା ମଧ୍ୟରେ ଅଧିବେଶନ କରିବାକୁ ନିଷ୍ପତ୍ତି ହୋଇଥିଲା।

ମାର୍ଚ୍ଚ ୨୫ ତାରିଖ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ପ୍ରଦାନ କରିବେ। ଏହା ପରେ ମାର୍ଚ୍ଚ ୨୫, ୨୬ ଓ ୨୮ ତାରିଖ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ। ଆସନ୍ତା ମାର୍ଚ୍ଚ ୩୦ ତାରିଖ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ।

Tags: #OdishaAssembly #BudgetSession #Covid19 #CovidProtocols

Comment