ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଜଘନ୍ୟ ହତ୍ୟା ଘଟଣାରେ ଆଜି ଅନେକ ପ୍ରଶ୍ନ ଉଠୁଛି। ତା’ ଭିତରେ ଗୋଟିଏ ନୂଆ ପ୍ରଶ୍ନ ହେଉଛି, ‘ସେମାନେ’ ଠିକଣା ସମୟରେ ପୋଲିସ୍‌କୁ ଜଣାଇଥିଲେ ମାନସ ବଞ୍ଚିଯାଇଥାନ୍ତେ କି?

  • ଅପରାଧର ଡାଏରି ନିରଞ୍ଜନଙ୍କଠାରେ ଶେଷ ନା ସେଇଠୁ ଆରମ୍ଭ?
  • ସେହି ବିବାଦୀୟ ମେମୋରି ଚିପ୍‌ରେ କ’ଣ ଥିଲା?
  • କ’ଣ କହିବ ଦୟାଲ୍ ଆଶ୍ରମର ସିସିଟିଭି ଫୁଟେଜ୍

ତେବେ ଏହି ‘ସେମାନେ’ କିଏ?

ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲ୍ ଏବଂ ସୋସିଆଲ୍ ମିଡିଆ ଚ୍ୟାନେଲ୍‌ରେ ମାନସ ସ୍ୱାଇଁ ହତ୍ୟା ଘଟଣା ଉପରେ ତର୍ଜମା କରି ରିପୋର୍ଟ ପ୍ରକାଶ ପାଉଛି। ଓଡ଼ିଶାଲାଇଭ୍ ଗୋଟିଏ ନୂଆ ଦିଗ ସମ୍ପର୍କରେ ଆଲୋଚନା କରିବାକୁ ଉଚିତ ମନେ କରୁଛି। ସେହି ଦିଗଟି ହେଉଛି ଯେ ମାନସ ସ୍ୱାଇଁଙ୍କୁ ଚାନ୍ଦବାଲିରୁ ଫେବ୍ରୁଆରି ୫ ତାରିଖରେ ଉଠାଇ ଆଣିବାଠାରୁ ଫେବ୍ରୁଆରି ୭ ତାରିଖରେ (ସମ୍ଭବତଃ) ହତ୍ୟା କରିବା ପର୍ଯ୍ୟନ୍ତ ଷଡ଼ଯନ୍ତ୍ରକାରୀଙ୍କ ଛଡ଼ା ଆଉ କେଉଁମାନେ ଏହାର ପ୍ରତ୍ୟକ୍ଷ ବା ପରୋକ୍ଷ ସାକ୍ଷୀ ଥିଲେ। ସେମାନେ ଚାହିଁଥିଲେ ମାନସ ବଞ୍ଚି ଯାଇପାରିଥାନ୍ତେ କି?

ଚାନ୍ଦବାଲିର ସାମ୍ବାଦିକ

ଗୋଟିଏ ୱେବ୍ ଚ୍ୟାନେଲରେ ଚାନ୍ଦବାଲିର ଜଣେ ସାମ୍ବାଦିକଙ୍କ ଏକ ଭିଡିଓ ବାଇଟ୍ ପ୍ରସାରିତ ହୋଇଛି। ସେ ସାମ୍ବାଦିକ କହୁଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ‘ସମ୍ପୂର୍ଣ୍ଣ’ ଖବରକାଗଜର ମାଲିକାଣୀ ଶର୍ମିଷ୍ଠା ରାଉତ ଫେବ୍ରୁଆରି ୫ ତାରିଖ ଦିନ ଚାନ୍ଦବାଲିରେ ପହଞ୍ଚିଥିଲେ। କୌଣସି ସୂତ୍ରରୁ ସେହି ସାମ୍ବାଦିକଙ୍କ ସହ ଶର୍ମିଷ୍ଠା ଯୋଗାଯୋଗ କରିଥିଲେ। ମାନସଙ୍କୁ ଖୋଜିବାକୁ ଯାଇ ସେ ସୁଟିଂ କରୁଥିବା ବାହାଘର ସ୍ଥାନରେ ପହଞ୍ଚିବା ବାଟରେ ଶର୍ମିଷ୍ଠା ଏହି ସାମ୍ବାଦିକଙ୍କୁ ଭେଟିଥିଲେ।

ସାମ୍ବାଦିକଙ୍କ କହିବା ଅନୁଯାୟୀ, ଶର୍ମିଷ୍ଠା ତାଙ୍କୁ କହିଥିଲେ ଯେ ମାନସ ତାଙ୍କର କ୍ୟାମେରା ଚିପ୍ ନେଇ ପଳାଇ ଆସିଛନ୍ତି। ତେଣୁ ସେମାନେ ତାଙ୍କୁ ଖୋଜି ଚିପ୍ ନେବାକୁ ଆସିଛନ୍ତି। ତେଣୁ ଚାନ୍ଦବାଲିର ସେହି ବାହାଘର ସ୍ଥାନକୁ ବାଟ ବତାଇ ଦେବାକୁ ଶର୍ମିଷ୍ଠା ଏହି ସାମ୍ବାଦିକଙ୍କୁ ଅନୁରୋଧ କରିଥିଲେ। ଏହି ସାମ୍ବାଦିକ ଆଉ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ସହଯୋଗ ନେଇ ଶର୍ମିଷ୍ଠାଙ୍କୁ ସେଦିନ ମାନସ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ।

ଚାନ୍ଦବାଲିର ଏହି ସାମ୍ବାଦିକ କହିଛନ୍ତି ଯେ, ଶର୍ମିଷ୍ଠାଙ୍କ ସହ ସେଦିନ ପ୍ରାୟ ୫ ଜଣ ଲୋକ ଗୋଟିଏ କାର୍‌ରେ ଆସିଥିଲେ। ମାନସଙ୍କୁ ଘଟଣାସ୍ଥଳରେ ପାଇ ଶର୍ମିଷ୍ଠା ସମସ୍ତଙ୍କ ଆଗରେ ୪ – ୬ ଚାପୁଡ଼ା ପକାଇଥିଲେ। କିନ୍ତୁ ମାନସ ଏହାର ପ୍ରତିବାଦ ନ କରି ସେମାନଙ୍କ ସହିତ କାର୍‌ରେ ବସିଥିଲେ ବୋଲି ସାମ୍ବାଦିକ ଜଣକ ସୂଚନା ଦେଇଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ସାମ୍ବାଦିକଙ୍କର ନିକଟରେ ପୋଲିସ ବୟାନ ରେକର୍ଡ କରିଥିବା କଥା ସେ କହିଛନ୍ତି।

ସାମ୍ବାଦିକତା ନୁହେଁ ବରଂ ମାନବିକତା ବା ନାଗରିକ ସୁରକ୍ଷା ଦୃଷ୍ଟିରୁ ଏଠି ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଚାନ୍ଦବାଲିର ସମ୍ପୃକ୍ତ ସାମ୍ବାଦିକ ଏହି ଘଟଣାକୁ ନେଇ ସେଦିନ କ’ଣ ପ୍ରତିକ୍ରିୟା ପ୍ରକାଶ କରିପାରିଥାନ୍ତେ? ପ୍ରଥମ କଥା ହେଉଛି, ଗୋଟିଏ ଚିପ୍ ପାଇଁ ଜଣେ ମହିଳା ସାଥିରେ ୫ ଜଣଙ୍କୁ ଧରି ଭୁବନେଶ୍ୱରରୁ ଚାନ୍ଦବାଲି ଆସିବା ଘଟଣା ଯେ ସ୍ୱାଭାବିକ ନୁହେଁ ଏକଥା ସମ୍ପୃକ୍ତ ସାମ୍ବାଦିକ ଭାବିପାରିଲେ ନାହିଁ କାହିଁକି? ଯଦି ଏହି ସାମ୍ବାଦିକ ପରବର୍ତ୍ତୀ ୨ ଦିନ ମଧ୍ୟରେ ପୋଲିସର ଦୃଷ୍ଟି ଆକର୍ଷଣ କରିପାରିଥାନ୍ତେ ଏବଂ ପୋଲିସ ଆବଶ୍ୟକ ପଦକ୍ଷେପ ନେଇପାରିଥାନ୍ତା ତେବେ ହୁଏତ ମାନସ ବଞ୍ଚି ଯାଇପାରିଥାନ୍ତେ!

ଏହା ଆପଣଙ୍କୁ ଏକ ଉଦ୍ଭଟ ଥିଓରି ଭଳି ମନେ ହୋଇପାରେ। କିନ୍ତୁ ଅଧିକାଂଶ ସମୟରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ଠିକଣା ସମୟରେ ଯଦି ଠିକଣା ଢଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିପାରନ୍ତି ତେବେ ହୁଏତ ବଡ଼ ବଡ଼ ବିପଦ ଟଳିଯାଇପାରେ ଏବଂ ଜଘନ୍ୟ ଅପରାଧକୁ ରୋକା ଯାଇପାରେ।

ଦୟାଲ୍ ଆଶ୍ରମର କେୟାର୍ ଟେକର୍

ଟେଲିଭିଜନ୍ ଏବଂ ୱେବଚ୍ୟାନେଲ୍‌ରେ ପ୍ରସାରିତ ବିଭିନ୍ନ ଭିଡିଓ ସାକ୍ଷାତକାର ଭିତରେ ଜଣେ ମହିଳାଙ୍କ ବାଇଟ ଉପରେ ବିଶେଷ ଧ୍ୟାନ ଦିଆଯାଇପାରେ। ସେ ହେଉଛନ୍ତି ଭୁବନେଶ୍ୱରସ୍ଥିତ ଦୟାଲ୍ ଆଶ୍ରମର କେୟାର୍ ଟେକର୍। ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଏହି ସ୍ଥାନରେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଆଣି ରଖିଥିଲେ ଏବଂ ପ୍ରବଳ ମାରଧର କରି ଶେଷରେ ତାଙ୍କୁ ହତ୍ୟା କରିଥିଲେ।

ଏହି ମହିଳା ଜଣକ ଯେଉଁ ସବୁ କଥା ମିଡିଆକୁ କହିଛନ୍ତି ତାକୁ ତାଙ୍କ ମୁହଁରେ ଉପସ୍ଥାପନ କଲେ କଥାଟା ଅଧିକ ସରଳ ମନେ ହେବ।

‘‘ମ୍ୟାଡମ୍ ଅନ୍ୟମାନଙ୍କ ସହ ମିଶି ମାନସକୁ ଆଣି ସେହି ଘରେ ରଖିଥିଲେ। ଘରକୁ ବାହାରୁ ତାଲା ପକାଇ ଦେଇଥିଲେ। ମାନସକୁ ସେମାନେ ମାରଧର କରୁଥିଲେ। ମାନସର ସାର୍ଟ ଚିରି ଦେଇଥିଲେ।

‘‘ଏ ବିଷୟରେ ମୁଁ ମୋ ମାଆଙ୍କୁ କହିଛି ବୋଲି ଜାଣିବା ପରେ ମ୍ୟାଡାମ୍ ମୋତେ ଏକପ୍ରକାର ଡରାଇ ଦେଇଥିଲେ। କହିଥିଲେ ତୁ ରାଜ୍‌କୁ ଜାଣିନୁ, ସେ ଚାହିଁଲେ ସଫା କରିଦେବ।

‘‘ସେମାନେ ମାନସକୁ ଶୋଇବାକୁ ଖଟଟେ ଦେଇଥିଲେ। ଖାଇବାକୁ ଦେଉଥିଲେ ମଧ୍ୟ ମାନସ ଖାଉନଥିଲା। ମ୍ୟାଡାମ୍ ସେ ଘରେ ମଗ୍‌ଟିଏ ରଖିଥିଲେ। ସେଇଥିରେ ପରିସ୍ରା କରିବାକୁ ମାନସକୁ କହିଥିଲେ। ରାଜ୍ ଭାଇ ମାନସକୁ ବହୁତ ଡରାଇ ଦେଇଥିଲେ।

‘‘ସିଆର୍‌ପିରେ ଚିପ୍ ରଖିଛି ବୋଲି ମାନସ କହିବା ଫଳରେ ମ୍ୟାଡମ୍ ଓ ଅନ୍ୟମାନେ ମିଶି ଦିନେ ରାତିରେ ସେଠିକି ନେଇକି ଯାଇଥିଲେ। ତେବେ ସେ କଟକରେ ଚିପ୍ ଅଛି ବୋଲି ପୁଣି କହିବା ଫଳରେ ମ୍ୟାଡମ୍ ଜାଣିଥିଲେ ଯେ ସେ ଭୁଆଁ ବୁଲୋଉଛି। ତେଣୁ ତାକୁ ପୁଣି ରୁମ୍‌ରେ ଆଣି ତାଲା ପକାଇ ଦେଇଥିଲେ।

‘‘ଚିପ୍ ଫେରାଇ ଦେବାକୁ ଆଗରୁ ମାନସକୁ ମ୍ୟାଡମ୍ କହିଥିଲେ। ମ୍ୟାଡମ୍ କହିଥିଲେ ଯେ ସେ ନିଜେ ଯାଇ ଚିପ୍ ନେଇଆସିବେ। କିନ୍ତୁ ମାନସ ଡରି ଯାଇ କହିଥିଲା ଅନ୍ୟ କାହା ହାତରେ ଟଙ୍କା ପଠାଇଲେ ସେ ଚିପ୍ ଦେଇଦେବ।

‘‘ମାନସ ପାଖରେ ସେ ଚିପ୍ ଅଛି ବୋଲି ତା’ର ସାଙ୍ଗ ଦୀପକ ମ୍ୟାଡମ୍‌ଙ୍କୁ କହିଥିଲା। ମାନସ ଦୟାଲ୍ ଆଶ୍ରମର ସିସିଟିଭି ଫୁଟେଜ୍‌କୁ ନେଇ କମ୍ପ୍ୟୁଟରରୁ ଡିଲିଟ୍ କରିଦେଇଥିଲା ବୋଲି ଦୀପକ ମ୍ୟାଡମ୍‌ଙ୍କୁ କହିଥିଲା।

‘‘ମାନସ ଚାନ୍ଦବାଲି ସୁଟିଂ ପାଇଁ ଯାଇଛି ବୋଲି ସେ ଦୀପକ ମ୍ୟାଡମ୍‌ଙ୍କୁ କହିଥିଲା। ମାନସ ଯାହାସବୁ ଦୀପକକୁ କହୁଥିଲା, ଦୀପକ ସେ କଥା ମ୍ୟାଡମ୍‌ଙ୍କୁ କହି ଦେଉଥିଲା।

‘‘ସେଦିନ ସନ୍ଧ୍ୟାରେ ମ୍ୟାଡମ୍ ଓ ଅନ୍ୟମାନେ ମାନସକୁ ପ୍ରବଳ ମାରଧର କରୁଥିଲେ। ଏ ବିଷୟରେ ଜାଣି ଆଶ୍ରମରେ ରହୁଥିବା ଜଣେ ବୟସ୍କ ଲୋକ ଅତି ଭୟଭୀତ ହୋଇ ଯାଇଥିଲେ। ଆମେ ଟିଭି ସାଉଣ୍ଡ୍ କମେଇ ଦେଇଥିଲୁ। କିନ୍ତୁ ଝୁନୁ ଦିଦି ଆସି ଆମକୁ ଟିଭି ସାଉଣ୍ଡ୍ ବଢ଼େଇବା ପାଇଁ କହିଲା।

‘‘ସେଦିନ ମ୍ୟାଡମ୍ ମୋତେ ଟେଲର୍ ପାଖକୁ ଶାଢ଼ି ଆଣିବାକୁ ପଠାଇଦେଲେ। ଅଟୋରେ ଜଲ୍‌ଦି ଯିବାକୁ କହିଲେ। ମୁଁ ଟେଲର୍‌ ପାଖରେ ପହଞ୍ଚି ଟେଲର୍‌କୁ ପଚାରିଲାରୁ ସେ ମୋତେ ରସିଦ୍ ମାଗିଲା। ମୁଁ ମ୍ୟାଡମ୍‌ଙ୍କୁ ଫୋନ୍ କଲି। ମ୍ୟାଡମ୍ ଫୋନ୍ ଉଠାଇଲେ ନାହିଁ। ମୁଁ ଫେରି ଆସି ପହଞ୍ଚିଲା ବେଳକୁ ମ୍ୟାଡମ୍ ଓ ଅନ୍ୟ ସମସ୍ତେ ପଳାଇଥିଲେ। ସେ ରୁମ୍ ବାହାରୁ ତାଲା ପଡ଼ିନଥିଲା। ରୁମ୍‌ରେ ମାନସ ନଥିଲା।

‘‘ତା’ ପର ଦିନ ମ୍ୟାଡମ୍ ଟିକେ ଦବିଗଲା ଭଳି ଦିଶୁଥିଲେ। ପଚାରିଲାରୁ ମୋତେ କହିଲେ, ମାନସ ଅଣ୍ଡରଟେକିଂ ଦେବା ପରେ ତାକୁ ସିଆର୍‌ପି ଛକରେ ଛାଡ଼ି ଦେଇଛନ୍ତି। କିନ୍ତୁ ମାନସ ମ୍ୟାଡମ୍‌ଙ୍କ ନାଁରେ ମିଛ କେସ୍ ଦେଇଥିବା ମ୍ୟାଡମ୍ ମୋତେ କହିଲେ।

‘‘ପରେ ଟିଭିରେ ମାନସ ହତ୍ୟାକାଣ୍ଡ ବିଷୟରେ ଶୁଣି ମୁଁ ଚମକି ପଡ଼ିଲି। ସେଦିନଠୁ ମ୍ୟାଡମ୍ ଆଉ ଝୁନା ଦିଦି କୁଆଡ଼େ ଯାଇଛନ୍ତି ମୁଁ ଜାଣିନି। ସେତେବେଳେ ମୁଁ ବହୁତ ଡରି ଯାଇଥିଲି। ତେଣୁ ଏକଥା କାହାକୁ କହିପାରୁନଥିଲି।’’

ଦୟାଲ୍ ଆଶ୍ରମର କେୟାର୍ ଟେକର୍‌ଙ୍କ ଏହି ବୟାନରେ ବର୍ଣ୍ଣିତ ମ୍ୟାଡମ୍ ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଝୁନା ଦିଦି ହେଲେ ଶର୍ମିଷ୍ଠାଙ୍କ ସହଯୋଗୀ। ଦୀପକ ହେଲେ ମାନସଙ୍କ ବନ୍ଧୁ। ଦୀପକଙ୍କୁ ଶର୍ମିଷ୍ଠା ଜାଣିଥିଲେ।

ଏବେ ପୁଣି ସେହି ପ୍ରଶ୍ନ ପାଖକୁ ଫେରିବା। ଜଣେ ଲୋକକୁ ଚାନ୍ଦବାଲିରୁ ଉଠାଇ ଆଣି ଗୋଟିଏ ରୁମ୍‌ରେ ଭର୍ତ୍ତି କରି କଏଦ୍ କରି ରଖିବା, ତାକୁ ମାରଧର କରିବା, ଜୀବନରେ ମାରି ଦେବାକୁ ଧମକ ଦେବା ଆଦି ଘଟଣା ଅତି ପାଖରୁ ଦେଖିଥିଲେ ଦୟାଲ୍ ଆଶ୍ରମର ସେହି କେୟାର୍ ଟେକର୍। ଫେବ୍ରୁଆରି ୫ରୁ ୭ ତାରିଖ ମଧ୍ୟରେ ସେ ଯଦି ଏ ସମ୍ପର୍କରେ ଠିକଣା ଜାଗାରେ କହିପାରିଥାନ୍ତେ ତାହାହେଲେ ହୁଏତ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ନିରଞ୍ଜନ ସେଠୀ ଓ ଅନ୍ୟ ଅଭିଯୁକ୍ତମାନେ ଯୁବ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରିପାରିନଥାନ୍ତେ। ଗୋଟିଏ ନିରୀହ ଜୀବନ ବଞ୍ଚି ଯାଇଥାନ୍ତା। ଗୋଟିଏ ଜଘନ୍ୟ ଅପରାଧ ଘଟାଇବା ଆଗରୁ ଅଭିଯୁକ୍ତମାନଙ୍କ ହାତରେ ହାତକଡ଼ି ଲାଗିପାରିଥାନ୍ତା।

ସେହି ବିବାଦୀୟ ମେମୋରି ଚିପ୍‌ରେ କ’ଣ ଥିଲା?

ଯେଉଁ କ୍ୟାମେରା ଚିପ୍‌କୁ ନେଇ ଏତେ ବଡ଼ କାଣ୍ଡ ଘଟିଗଲା ସେଥିରେ ବାସ୍ତବିକ ଥିଲା କ’ଣ? ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ। କାରଣ ଚିପ୍‌ଟି ପୋଲିସର ହାତରେ ଲାଗି ନାହିଁ। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ବଞ୍ଚି ନାହାନ୍ତି। ଚିପ୍‌କୁ ପାଗଳ ଭଳି ଖୋଜୁଥିବା ଶର୍ମିଷ୍ଠା ରାଉତ ଫେରାର୍ ଅଛନ୍ତି।

ଏହି ଅପରାଧ ଘଟଣାର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ଓଡ଼ିଶା ସରକାରଙ୍କ ସଦ୍ୟ ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଏବେ ଜେଲ୍‌ରେ। ଭଦ୍ରକ ପୋଲିସ ନିରଞ୍ଜନଙ୍କଠାରୁ ଏହି ମେମୋରି ଚିପ୍ ବାବଦରେ ନିଶ୍ଚିତ ଭାବରେ ଅଧିକ ତଥ୍ୟ ପାଇଥିବ। କିନ୍ତୁ ପୋଲିସ ସେ ବାବଦରେ ସମ୍ଭବତଃ ନିରବତା ଅବଲମ୍ବନ କରିବାକୁ ଉଚିତ ମନେ କରିଛି।

ଦୟାଲ୍ ଆଶ୍ରମର କେୟାର୍ ଟେକରଙ୍କ କଥାକୁ ଅତି ଗଭୀର ଭାବେ ଦେଖିଲେ ମନେହୁଏ ଯେ ସେ ଚିପ୍ ପ୍ରସଙ୍ଗରେ କହିଲା ବେଳେ ସିସିଟିଭି ଫୁଟେଜ୍ କଥା ଉଠାଇଛନ୍ତି। ଯଦି ତାଙ୍କ କଥା ସତ ହୋଇଥାଏ ତେବେ ମାନସଙ୍କ ହାତରେ ଦୟାଲ୍ ଆଶ୍ରମର କୌଣସି ବିବାଦୀୟ ସିସିଟିଭି ଫୁଟେଜ୍ ଲାଗିଥିଲା। ଯାହକୁ ନେଇ ଶର୍ମିଷ୍ଠାଙ୍କ ନିଦ ହଜିଯାଇଥିଲା। ସମ୍ଭବତଃ ସେହି ସିସିଟିଭି ଫୁଟେଜକୁ ଚିରଦିନ ଲାଗି ଡିଲିଟ୍ କରିବା ପାଇଁ ବାବୁ ନିରଞ୍ଜନ ସେଠୀଙ୍କ ମନ ଛଟପଟ ହେଉଥିଲା।

ତେବେ ସେ ସିସିଟିଭି ଫୁଟେଜରେ ଏପରି କ’ଣ ଜିନିଷ ଥିଲା ଯେ ଯାହା ଉଭୟ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀ ଉଭୟଙ୍କୁ ଅପରାଧର ଗଳିରେ ଏତେ ବାଟ ନେଇ ଆସିଲା। କେବଳ ସେତିକି ନୁହେଁ ରାଜ୍ କମ୍ୟୁନିକେସନ୍‌ର ମାଲିକଙ୍କର ସେହି ସିସିଟିଭି ଫୁଟେଜ୍ ସହିତ କୌଣସି ଆପତ୍ତିଜନକ ସମ୍ପର୍କ ଥିଲା କି? ଯଦି ନଥିଲା ତେବେ ସେ କେଉଁ ଲାଭ ପାଇଁ ଶର୍ମିଷ୍ଠା ଓ ନିରଞ୍ଜନଙ୍କ କ୍ରାଇମ୍ ପ୍ଲଟରେ ଏମିତି ସାମିଲ୍ ହୋଇପାରିଲେ!

ଦୟାଲ୍ ଆଶ୍ରମରେ ଚାଲିଥିଲା ଶର୍ମିଷ୍ଠାଙ୍କ ୱେବ୍ ଚ୍ୟାନେଲ୍‌ର ଅଫିସ୍। ତେବେ କୌଣସି ଅଫିସ୍ ବା ସର୍ବସାଧାରଣ ସ୍ଥାନର ସିସିଟିଭି ଫୁଟେଜ୍‌ରେ ଆପତ୍ତିଜନକ କଥା ରହିବ କାହିଁକି? ବିଷୟକୁ ଟିକେ ଗଭୀର ଭାବେ ଦେଖିଲେ ମନେ ହେବ ଯେ ଶର୍ମିଷ୍ଠାଙ୍କ ଅଫିସ୍‌ ବା ସେଠାରେ ଥିବା କୌଣସି ବ୍ୟକ୍ତିଗତ କୋଠରୀ ବା ସ୍ଥାନରେ ଘଟୁଥିବା କୌଣସି ଆପତ୍ତିଜନକ ଘଟଣାକୁ ସିସିଟିଭି କ୍ୟାମେରା କଏଦ୍ କରିଥିବ। ତେବେ ସେହି ଆପତ୍ତିଜନକ ବିଷୟ କ’ଣ ହୋଇପାରେ, ତାହା ଅପରାଧର କଥା କି,  ଏବଂ ଯଦି ତାହା ଅପରାଧ ହୋଇଥାଏ ଶର୍ମିଷ୍ଠା ଓ ନିରଞ୍ଜନ ବା ଅନ୍ୟ କୌଣସି ତୃତୀୟ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଯୋଗୁଁ ଅନ୍ୟ କେହି କୌଣସି ଅପରାଧର ଶିକାର ହୋଇଥିବେ କି? ସମ୍ଭବତଃ କ୍ରାଇମବ୍ରାଞ୍ଚ ଏହି ସବୁ ବିଷୟକୁ ତଦନ୍ତ ସହ ଯୋଡ଼ିବ।

ଯେଉଁ କୋଠାରେ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣା ଘଟିଛି ବର୍ତ୍ତମାନ ସୁଦ୍ଧା ତା’ର ସିସିଟିଭି ଫୁଟେଜ୍ ପୋଲିସ ହାତକୁ ଆସିଯିବା କଥା। ତେବେ ଏ ବାବଦରେ ଗଣମାଧ୍ୟମ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ।

ନିରଞ୍ଜନଙ୍କଠାରେ ଶେଷ ନା ଆରମ୍ଭ?

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା କେବଳ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ କ୍ରାଇମ୍ ଡାଏରୀର ପ୍ରମୁଖ ବିଷୟ ନା ଏହା ପଛରେ ଆଉ ଅନ୍ୟମାନେ ସାମିଲ୍ ହୋଇଛନ୍ତି? ଏ ବାବଦରେ ଆଗାମୀ ଦିନରେ ହୁଏତ କ୍ଷୀର ଓ ପାଣି ଅଲଗା ହୋଇଯିବ। ପୋଲିସ ଏ ଦିଗରେ କିପରି ନଜର ଦେବ ତାହା ହେଉଛି ତଦନ୍ତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।

ଓଡ଼ିଶା ସରକାରଙ୍କ ଅବସରପ୍ରାପ୍ତ ଓଡ଼ିଶା ସୂଚନା ଅଧିକାରୀ ନିରଞ୍ଜନ ସେଠୀଙ୍କୁ ଗିରଫ କରି ଭଦ୍ରକ ପୋଲିସ କୋର୍ଟ ଚାଲାଣ କରିଥିଲା। ଭଦ୍ରକ ଜିଲ୍ଲା ଅତିରିକ୍ତ ଏସ୍‌ପି ଗଣମାଧ୍ୟମକୁ ଆମୂଳଚୂଳ ଘଟଣା ବର୍ଣ୍ଣନା କରି କହିଥିଲେ ଯେ ନିରଞ୍ଜନ ସେଠୀ ହିଁ ଏହି ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ୍। ଅର୍ଥାତ୍ କ୍ୟାମେରାମ୍ୟାନ୍ ମାନସଙ୍କୁ ଭଦ୍ରକ ଜିଲ୍ଲାରୁ ଉଠାଇ ଆଣିବା ପରଠାରୁ ତାଙ୍କୁ ହତ୍ୟା କରି ନୟାଗଡ଼ ଜିଲ୍ଲାରେ ତାଙ୍କ ଶବକୁ ପୋତିବା ପର୍ଯ୍ୟନ୍ତ ସବୁକଥାକୁ ନିରଞ୍ଜନ ବ୍ୟକ୍ତିଗତ ଭାବେ ଯୋଜନା କରିଥିଲେ।

ପୋଲିସର କଥା ଅନୁଯାୟୀ ଏହି ଅପରାଧର ଆରମ୍ଭ ଓ ଶେଷ ହେଉଛନ୍ତି ନିରଞ୍ଜନ ସେଠୀ। ତେବେ ଯେଉଁ ବିବାଦୀୟ ଚିପ୍ ପାଇଁ ଏହି ଅପରାଧ ଘଟିଥିବା କଥା କୁହାଯାଉଛି ତେବେ ସେ ବିଷୟରେ ପୋଲିସ ନିରଞ୍ଜନଙ୍କଠାରୁ କ’ଣ କଥା ଆଦାୟ କରାଯାଇଛି ତାହା ସାଧାରଣରେ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ନିରଞ୍ଜନଙ୍କ ଅପରାଧୀ ସାଥି ଶର୍ମିଷ୍ଠା ଏପର୍ଯ୍ୟନ୍ତ ଫେରାର୍ ଅଛନ୍ତି। ତେଣୁ ମନେ କରାଯାଉଥିଲା ଯେ ଭଦ୍ରକ ପୋଲିସ୍ ନିରଞ୍ଜନଙ୍କୁ କୋର୍ଟରେ ହାଜର କରି ଅଧିକ ତଦନ୍ତ ଲାଗି ତାଙ୍କୁ ରିମାଣ୍ଡରେ ନେବାକୁ ଚାହିଁବ। କିନ୍ତୁ ଭଦ୍ରକ ପୋଲିସ୍ କାହିଁକି ଏ ଦିଗରେ ବିଶେଷ ପଦକ୍ଷେପ ନେଲା ନାହିଁ ତାହା ସେମାନଙ୍କୁ ଜଣା।

ଏହି ଜଘନ୍ୟ ହତ୍ୟା ଘଟଣାରେ ସମସ୍ତଙ୍କ ମନରେ ଏବେ ସେହି ଗୋଟିଏ ପ୍ରଶ୍ନ: ଘଟଣା ବାବୁ ନିରଞ୍ଜନ ସେଠୀଙ୍କ ପାଖରେ ଶେଷ ହେବ ନା ସେଇଠୁ ଆରମ୍ଭ ହେବ ଅପରାଧ ଡାଏରୀର ନୂଆ ଫର୍ଦ୍ଦ? କିଏ ଜାଣେ!

Tags: #CameramanMurderCase #ManasSwain #MurderCase #PoliceInvestigation #OdishaBhadrak #DayalAshram #SarmisthaSwain #CrimeBranchInvestigation

Comment