ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକଣ୍ଡ ଉପରୁ ଏଯାଏଁ ପରଦା ହଟି ପାରୁନାହିଁ। କେବଳ ହତ୍ୟାକାଣ୍ଡ ନୁହେଁ ‘ମେମୋରି ଚିପ’ର ରହସ୍ୟ ମଧ୍ୟ ଉନ୍ମୋଚନ ହୋଇପାରୁ ନାହିଁ।

ମାନସ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ, ତାଙ୍କ ସହଯୋଗୀ ଝୁନା ଭୋଇ, ନିରଞ୍ଜନ ସେଠୀ ଏବଂ ରଂଜନ ନାୟକଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇ ତନାଘନା କରିଥିଲା। ରିମାଣ୍ଡ ଅବଧି ଶେଷ ହୋଇଥିଲେ ମଧ୍ୟ ପୁନର୍ବାର ଶର୍ମିଷ୍ଠା ଏବଂ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ।

ପ୍ରଥମ ରିମାଣ୍ଡ ସମୟରେ ହତ୍ୟାକାଣ୍ଡ ବିଖାଣିଲେ ଶର୍ମିଷ୍ଠା

ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପରେ କ୍ରାଇମବ୍ରାଞ୍ଚ ଟିମ୍ କ୍ରାଇମ ସିନ ରିକ୍ରିଏସନ କରାଇଥିଲା। କ୍ରାଇମବ୍ରାଞ୍ଚର ଘଣ୍ଟା ଘଣ୍ଟା ଧରି ଜେରା ଏବଂ ଏକାଧିକ ପ୍ରଶ୍ନରେ ଘାଇଲା ହୋଇଥିଲେ ଶର୍ମିଷ୍ଠା। ଶର୍ମିଷ୍ଠାଙ୍କଠାରୁ ଅନେକ ତଥ୍ୟ ଓଗାଳି ଥିଲା କ୍ରାଇମବ୍ରାଞ୍ଚ ଟିମ୍। ଏପ୍ରିଲ ୨ ତାରିଖ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେଲା। ଏହି ଅବଧି ମଧ୍ୟରେ ଶର୍ମିଷ୍ଠା କ୍ରାଇମବ୍ରାଞ୍ଚ ଆଗରେ ମାନସ ହତ୍ୟାକାଣ୍ଡ ଏବଂ ଷଡ଼ଯନ୍ତ୍ର ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ରିମାଣ୍ଡର ଚତୁର୍ଥ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କୁ ସାଂଗରେ ଧରି ଅପରାଧ ଘଟାଇଥିବା ୩ଟି ଜିଲ୍ଲାକୁ ନେଇ ଡେମୋ କରାଇଥିଲା। ଶର୍ମିଷ୍ଠାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ପରେ ଭୁବନେଶ୍ଵରର ଦୟାଲ ଆଶ୍ରମ ଏବଂ ଶେଷରେ ନୟାଗଡ଼ ଜିଲ୍ଲାର ରାଜସୁନାଖଳା ଥାନା ଅନ୍ତର୍ଗତ ବଧିପାଟଣା ନିଆଯାଇଥିଲା। ଦୟାଲ ଆଶ୍ରମରେ ସିନ ରିକ୍ରିଏସନ ପରେ ଶର୍ମିଷ୍ଠା କାନ୍ଦି କାନ୍ଦି ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କରେ କହିଥିଲେ।

ମାନସ ହତ୍ୟାକାଣ୍ଡ ସମ୍ପର୍କରେ ଶର୍ମିଷ୍ଠା କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ସତ ମାନି ଥିଲେ ସୁଦ୍ଧା କେଉଁ କାରଣ ପାଇଁ ମାନସଙ୍କୁ ହତ୍ୟା କରାଗଲା ତା’ ଉପରୁ ପରଦା ଉଠିପାରୁ ନାହିଁ। ଏଯାଏଁ ହତ୍ୟାର ପ୍ରମୁଖ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

ମେମୋରି ଚିପ୍ ଯୋଗୁଁ ହତ୍ୟାକାଣ୍ଡ!

ସାମାନ୍ୟ ଗୋଟିଏ ମେମୋରି ଚିପ୍ ଯୋଗୁଁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଗଲା। ଏହି ମେମୋରି ଚିପରେ ଏମିତି କି ରହସ୍ୟ ରହିଥିଲା? କାହାର ଗୁମର ପଦାରେ ପଡ଼ିବା ଭୟରେ ଏହି ହତ୍ୟାକାଣ୍ଡ ଘଟିଲା ତାକୁ ନେଇ ପ୍ରଶ୍ନ ଉଠିଛି। ସେହି ସମୟରେ କଥା ଉଠିଥିଲା ମେମୋରି ଚିପରେ କିଛି ଅଶ୍ଳୀଳ ଚିତ୍ର ରହିଛି।

ଇତି ମଧ୍ୟରେ ନିରଞ୍ଜନ ସେଠୀଙ୍କ ଏକ ଅଭିନୀତ ଜଗନ୍ନାଥ ଜଣାଣ ଭିଡିଓ ଭାଇରାଲ ହେଲା। ଯାହା ପୁରୀ ସମୁଦ୍ର କୂଳରେ ସୁଟିଂ ହୋଇଥିଲା। ଭିଡିଓଟିକୁ ଦେଖିବା ପରେ ମାନସ ହତ୍ୟାକାଣ୍ଡର କାରଣ ଏହି ଭିଡିଓ ହୋଇନଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ଏହି ମେମୋରି ଚିପ କାହା ପାଖରେ ରହିଛି ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।

ପୁଣି ୩ ଦିନିଆ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନା

ମାନସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଓ ଝୁନାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା। ପୂର୍ବରୁ ଅଭିଯୁକ୍ତମାନଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମଏଫସି କୋର୍ଟରେ ଆବେଦନ କରିଥିଲା। କିନ୍ତୁ ୫ ଦିନ ପାଇଁ ଅନୁମତି ମିଳିଥିଲା। ଏପ୍ରିଲ ୨ ତାରିଖରେ ରିମାଣ୍ଡ ଅବଧି ଶେଷ ହୋଇଥିଲା। ଆହୁରି ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଶର୍ମିଷ୍ଠାଙ୍କୁ ପୁନର୍ବାର ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରାଯାଇଥିଲା। ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ଝୁନାଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।  

ଗତ ୫ ଦିନିଆ ରିମାଣ୍ଡରେ ଯାଇଥିବା ୪ ଅଭିଯୁକ୍ତଙ୍କଠାରୁ ପୋଲିସ୍ ଜେରା କରିବା ସହ ସିନ ରିକ୍ରିଏସନ କରି ଅନେକ ତଥ୍ୟ ହାସଲ କରିଛି। କିନ୍ତୁ ଯେଉଁ ମେମୋରି ଚିପ୍ ଯୋଗୁଁ ଏହି ଜଘନ୍ୟ କାଣ୍ଡ ଘଟିଲା ତାହାର ସୁରାକ ଏଯାଏଁ ମିଳିପାରିନାହିଁ। ଏହି ମେମୋରି ଚିପ୍ ସମ୍ପର୍କରେ ଖୋଳତାଡ଼ କରିବାକୁ ଉଭୟ ଶର୍ମିଷ୍ଠା ଏବଂ ଝୁନାଙ୍କୁ କ୍ରାଇମବ୍ରାଞ୍ଚ ପୁନର୍ବାର ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ଆଜି ଉଭୟ ଶର୍ମିଷ୍ଠା ଏବଂ ଝୁନାଙ୍କୁ ମୁହାଁମୁହିଁ ଜେରା କରୁଛି କ୍ରାଇମବ୍ରାଞ୍ଚ।

Tags: #CameramanManasMurderCase #PrimeAccused #SarmisthaRout #JhunaBhoi #CrimeBranch #Remand

Comment