ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ ତାତି ଅସମ୍ଭାଳ ହେବାରେ ଲାଗିଛି। କେବଳ ଗରମ ନୁହେଁ ଅସହ୍ୟ ଗୁଳୁଗୁଳି ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଆଗକୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତପ୍ତ ସହର ଥିଲା ବୌଦ୍ଧ ଏବଂ ପାରଳାଖେମୁଣ୍ଡି। ଏଠାରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସହିତ ଭୁବନେଶ୍ଵରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

ଶନିବାରଠାରୁ ରାଜ୍ୟରେ ତାପମାତ୍ରାରେ ଆହୁରି ବୃଦ୍ଧି ହେବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ସମେତ କେନ୍ଦ୍ରୀୟ ଉପକୂଳ ଏବଂ ଉତ୍ତର ଉପକୂଳରେ ତାପମାତ୍ରା ବୃଦ୍ଧି ହେବ। ଶନିବାର, ରବିବାର ଏବଂ ସୋମବାର ପର୍ଯ୍ୟନ୍ତ  ୪୦ ଡିଗ୍ରୀ ତାପମାତ୍ରା ରହିବ। ରାଜ୍ୟକୁ ଆସୁଥିବା ପଶ୍ଚିମା ଉଷ୍ମ ପବନ ଉପକୂଳ ଯାଏ ସିଧା ପ୍ରବାହିତ ହେବ।

ଉପକୂଳରେ ବହୁଥିବା ବଙ୍ଗୋପସାଗରୀୟ ଦକ୍ଷିଣା ପବନ ଦକ୍ଷିଣ ଉପକୂଳରେ ସୀମିତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଦକ୍ଷିଣ ଏବଂ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ହେବ। ଆସନ୍ତା ୨୬ ତାରିଖଠାରୁ ଗରମ ଅସହ୍ୟ ହେବ ବୋଲି କୁହାଯାଇଛି।

ଶନିବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ ନବରଙ୍ଗପୁରରେ କାଳବୈଖାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Tags: #Weather #Summer #HeatWave #Odisha

Comment