ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାରଠାରୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା। ଭୁବନେଶ୍ଵର ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଏହି ମେଳା ଆୟୋଜନ କରାଯାଇଛି। ୧୦ ଦିନ ଧରି ଚାଲିବାକୁ ଥିବା ଆଦିବାସୀ ମେଳାରେ ଝଲସିବ ଆଦିବାସୀ ଲୋକକଳା, ସଂସ୍କୃତି ଏବଂ ପରମ୍ପରା।

ଚଳିତ ବର୍ଷ ମେଳାରେ ୧୦୦ଟି ଷ୍ଟଲ ଲାଗିଛି। ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ ଏବଂ ଟିଡିସିସି ଆଦି ମେଳାରେ ଯୋଗ ଦେଇଛନ୍ତି। କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟର ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ। ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ଵତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିଛି।

ଏହି ମେଳାରେ ଦେଶର ୧୮ଟି ରାଜ୍ୟର କଳାକାରମାନେ ନିଜର କଳା ପ୍ରଦର୍ଶନ କରିବା ସହ ସେମାନଙ୍କ ସାମଗ୍ରୀ ବିକ୍ରି କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ଥର ଆଦିବାସୀ ମେଳାରେ ଆଦିବାସୀମାନଙ୍କ ପାରମ୍ପରିକ ଗୃହ ଦେଖିବାକୁ ମିଳିବ ନାହିଁ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ଜାନୁଆରି ୨୬ ତାରିଖରେ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହୋଇଥାଏ। କିନ୍ତୁ କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ବିଳମ୍ବରେ ଆଦିବାସୀ ମେଳାର ଆୟୋଜନ କରାଯାଇଥିବା ଜଣାପଡ଼ିଛି।

Tags: #AdibasiMela #TribalFair #Bhubaneswar #Odisha #Tradition #Culture

Comment