ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୨୬ ତାରିଖଠାରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ୫ ଦିନ ପାଇଁ ବନ୍ଦ ରହିବ। ରାଜ୍ୟରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହୁଥିଲେ ମଧ୍ୟ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଜାରି ରହିବ। ଏ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟର ୨୭ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବାବେଳେ ୧୬ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟର ୮ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି। ତାତି ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପୂର୍ବରୁ ଗତ ଏପ୍ରିଲ ୧୬ ତାରିଖରେ ରାଜ୍ୟରେ ସ୍କୁଲ ଖରାଛୁଟି ଜୁନ ୬ରୁ ୧୬ ତାରିଖ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ପୂର୍ବରୁ ଖରା ଛୁଟି ୫୦ ଦିନ ଦିଆଯାଉଥିବାବେଳେ ଚଳିତ ବର୍ଷ ମାତ୍ର ୧୦ ଦିନ ଖରାଛୁଟି ଘୋଷଣା କରାଯାଇଥିଲା। ଏହା ପରେ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଖରା ଛୁଟି ସମୟ ସୀମା ବୃଦ୍ଧି କରିବାକୁ ଦାବି ହୋଇ ଆସୁଥିଲା।

Tags: #School #PrivateAndGovtSchool #OdishaSchool #SchoolClose

Comment