ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିଭା ଥିଲେ ଆପଣଙ୍କ ବାଟ କେହି ରୋକିପାରିବେନି। ଯେତେ ପ୍ରତିକୂଳ ପରିସ୍ଥିତିରେ ଥିଲେ ବି ଆପଣଙ୍କ ପ୍ରତିଭା ଦିନେ ଫୁଟି ବାହାରିବ। ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ଭୁବନେଶ୍ୱର ସାଲିଆ ସାହିର ଝିଅ ସୁଲେଖା କହଁର। ବସ୍ତିରେ ଏକ ଗରିବ ପରିବାରରେ ତାଙ୍କର ଜନ୍ମ। ବୟସ ୧୫ ବର୍ଷ। କିନ୍ତୁ  ନିଜର ପ୍ରତିଭା ପାଇଁ ସେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତୀୟ ମହିଳା ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଖେଳିବାର ଗୌରବ ଲାଭ କରିଛନ୍ତି। ସୁଲେଖା ଛତିଶଗଡ଼ର ମାତା ରୁକ୍ମଣୀ ଫୁଟବଲ କ୍ଲବ (ଏମଆରଏଫ୍‌ସି) ଦଳରେ ଅଛନ୍ତି।

ସୁଲେଖାଙ୍କ ଖୁବ୍‌ କମ୍ ବୟସରେ ବାପାଙ୍କୁ ହରାଇଥିଲେ। ବାପା ଚାଲିଗଲା ପରେ ପରିବାର ଦାୟିତ୍ୱ ତାଙ୍କ ମୀନା ତିର୍କୀ କାନ୍ଧ ଉପରେ ଆସିଥିଲା। ମୀନା ପରିବାର ଚଳାଇବାକୁ ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କରିଥିଲେ। ଝିଅ ସୁଲେଖାକୁ ପ୍ରତି ଦିନ ଘରେ ଛାଡ଼ି ଦେଇ କାମକୁ ବାହାରି ଯାଉଥିଲେ। ସେହି ସମୟରେ ସୁଲେଖା ବସ୍ତିର ପିଲାମାନଙ୍କ ସହ ଖେଳ ବୁଲା କରୁ କରୁ ଖେଳ ପ୍ରତି ଆକର୍ଷିତ ହୋଇଥିଲେ।

‘‘ମୁଁ ବସ୍ତିର ପୁଅମାନଙ୍କ ସହ ଫୁଟବଲ ଖେଳିବା ଆରମ୍ଭ କରିଥିଲେ। ମୋ ପରିବାର ଏଥିପାଇଁ ମତେ କେବେ ରୋକିନଥିଲା। ସେଇମାନଙ୍କ ସମର୍ଥନ ପାଇଁ ଆଜି ମୁଁ ଏକ ଜାତୀୟ ଦଳରେ ଫୁଟବଲ ଖେଳିବାର ସୁଯୋଗ ପାଇଛି’’, କହନ୍ତି ସୁଲେଖା।

ମିନା ସୁନ୍ଦରଗଡ଼ରୁ ଆସି ସାଲିଆ ସାହିରେ ବିବାହ କରିଥିଲେ। ଦିନ ମଜୁରିଆ ଭାବେ ସ୍ୱାମୀ, ସ୍ତ୍ରୀ ଉଭୟ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ। ୨୦୦୭ରେ ସୁଲେଖା ଜନ୍ମ ହୋଇଥିଲେ। ଏହାର କିଛି ବର୍ଷ ପରେ ମୀନାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗ ଘଟିଥିଲା।

ସୁଲେଖାଙ୍କ ମା’ ମୀନା ପରବର୍ତ୍ତୀ ସମୟରେ ଦ୍ୱିତୀୟ ବିବାହ କରିଛନ୍ତି। ଖୁସିର କଥା ମୀନାଙ୍କ ଦ୍ୱିତୀୟ ସ୍ୱାମୀ ଶାନ୍ତନୁ କୁମାର ମୀନାଙ୍କୁ ଆପଣେଇବା ସହିତ ସୁଲେଖାକୁ ମଧ୍ୟ ଆପଣେଇଛନ୍ତି। ସୁଲେଖା ଫୁଟବଲରେ କ୍ୟାରିୟର କରିବାକୁ ଚାହୁଁଥିବାରୁ ତାଙ୍କୁ ଏଦିଗରେ ପ୍ରେରଣା ଯୋଗାଇଛନ୍ତି।

୨୦୧୪ରେ ଅର୍ଡର ଏକାଡେମୀ ପକ୍ଷରୁ ବସ୍ତି ପିଲାଙ୍କୁ ନେଇ ଆୟୋଜିତ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  ସେ ସମୟରେ କୋଚ୍‌ ଜୟଦେବ ମହାପାତ୍ର ସୁଲେଖାଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ। ସେବେଠୁ ତାଙ୍କୁ ନିୟମିତ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ।

ସୁଲେଖା ଏବେ ଆଇଆର୍‌ସି ଭିଲେଜ ସରକାରୀ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ଖେଳ ପ୍ରତି ଏକାଗ୍ରତା ହିଁ ତାଙ୍କୁ ଏତେ ଅଳ୍ପ ବୟସରେ ଜାତୀୟ ଫୁଟବଲ ଲିଗ୍‌ ଖେଳିବାର ସୁଯୋଗ ଆଣି ଦେଇଛି। ଜାତୀୟ ଦଳରେ ସାମିଲ ହୋଇ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ଜାତୀୟ ମହିଳା ଫୁଟବଲ୍‌ରେ ଭାରତୀୟ ମହିଳା ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଗତ ୧୫ ତାରିଖରୁ ୨୦୨୧-୨୨ ସିଜନ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଏଥିରେ ମୋଟ୍‌ ୧୨ଟି ଦଳ ଭାଗ ନେଇଛନ୍ତି। ଛତିଶଗଡ଼ର ମାତା ରୁକ୍ମିଣୀ ଫୁଟବଲ୍‌ ଏକାଡେମୀ ଏଥର ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ହାସଲ କରିଛି। ଏହି ଏକାଡେମୀ ପକ୍ଷରୁ ସୁଲେଖା ଖେଳୁଛନ୍ତି।

କୋଚ୍‌ ଜୟଦେବ ମହାପାତ୍ର କହନ୍ତି ‘’ସୁଲେଖା ଜଣେ ପ୍ରତିଭାବାନ ଖେଳାଳି। ଫୁଟବଲକୁ ନେଇ ବହୁ ଆଗକୁ ଯିବା ତା’ର ସ୍ୱପ୍ନ। ଖେଳ ତା’ ପାଇଁ ସବୁ କିଛି। ମୋର ବିଶ୍ୱାସ ସେ ନିଶ୍ଚୟ ବହୁ ଆଗକୁ ଯିବ’’।

Comment