ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଏପ୍ରିଲ ୨୯ ତାରିଖଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ପରୀକ୍ଷା ସୁପରିଚାଳନା ନିମନ୍ତେ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନୋଡାଲ ସେଣ୍ଟରଗୁଡ଼ିକ ଉପରେ ୨୪ ଘଣ୍ଟା ତୀକ୍ଷ୍ନ ନଜର ରଖାଯିବ। କପି ରୋକିବା ପାଇଁ ୩୮ଟି ସ୍ପେସାଲ ସ୍କ୍ୱାଡ୍ ଏବଂ ୬୫ଟି ଫ୍ଲାଇଂ ସ୍କ୍ୱାଡ୍ ରହିବେ। ପ୍ରତି ଜିଲ୍ଲାକୁ ଗୋଟିଏ ଲେଖାଏଁ ସ୍ପେସିଆଲ ସ୍କ୍ୱାଡ୍ ପଠାଯିବ।

ରାଜ୍ୟର ମୋଟ ୩,୨୦୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫,୭୧,୯୦୯ ଛାତ୍ରଛାତ୍ରୀ। ୩୧୫ଟି ନୋଡାଲ ସେଣ୍ଟର ଏବଂ ୨୧ଟି ଥାନାରେ ପ୍ରଶ୍ନପତ୍ର ରଖାଯିବା ପାଇଁ ବ୍ୟବସ୍ଥା ହୋଇଛି।

ରାଜ୍ୟରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସେକେଣ୍ଡ ସିଟିଂରେ ହେବାକୁ ଥିବା ମଧ୍ୟମା ଏବଂ ଓପନ ସ୍କୁଲ ପରୀକ୍ଷା ପ୍ରଥମ ସିଟିଂରେ ହେବ। ଆସନ୍ତା ମେ’ ୨ ଓ ୪ ତାରିଖରେ ହେବାକୁ ଥିବା ମଧ୍ୟମା ପରୀକ୍ଷା ମେ’ ୯ ଓ ୧୦ ତାରଖକୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ଓପନ ସ୍କୁଲର ୩ଟି ପରୀକ୍ଷା ଆସନ୍ତା ମେ’ ୮, ୯ ଓ ୧୦ ତାରିଖରେ କରାଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ମାଟ୍ରିକ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଆସନ୍ତା ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଆସନ୍ତା ମେ’ ୭ ତାରିଖରେ ଶେଷ ହେବ। ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାର ସମୟ ଅବଧି ରହିବ ୨ ଘଣ୍ଟା କିନ୍ତୁ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ନିର୍ଦ୍ଧାରିତ ହୋଇଛି।

Tags: #MatricExam #MadhyamaExam #StateOpenSchoolExam

Comment