ଓଡ଼ିଶାଲାଇଭ୍ ବ୍ୟୁରୋ

କୋର୍ଟଗୁଡ଼ିକରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଏହା ଦ୍ଵାରା ନ୍ୟାୟିକ ବ୍ୟବସ୍ଥା ଉପରେ ସାଧାରଣ ନାଗରିକମାନଙ୍କର ବିଶ୍ଵାସ ବଢ଼ିବ। ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ଏହିପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଦିନ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଟେକ୍ନୋଲୋଜି ଉପରେ ଗୁରୁତ୍ଵ ଦେବା ସହ ଡିଜିଟାଲ ଇଣ୍ଡିଆ ମିଶନ ଅଧିନରେ ନ୍ୟାୟପାଳିକା ବ୍ୟବସ୍ଥାରେ ଟେକ୍ନୋଲୋଜିର ବିକାଶ ପାଇଁ ଭାରତ ସରକାର ଗୁରୁତ୍ଵ ଦେଉଛନ୍ତି ବୋଲି କହିଛନ୍ତି।

ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମସ୍ତଙ୍କ ପାଇଁ ନ୍ୟାୟ ସୁଲଭ, ସରଳ ଏବଂ ଶୀଘ୍ର ହେବା ଆବଶ୍ୟକ। ନ୍ୟାୟ ପ୍ରକ୍ରିୟାକୁ ବିଳମ୍ବ ନକରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଲୋକଙ୍କ ସୁବିଧା ଦୃଷ୍ଟିରୁ କୋର୍ଟଗୁଡ଼ିକରେ ରହିଥିବା ଖାଲି ପଦବୀ ତୁରନ୍ତ ପୂରଣ କରାଯିବ।

ଜିଲ୍ଲା କୋର୍ଟଠାରୁ ଆରମ୍ଭ କରି ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନ୍ୟାୟ ପାଳିକାରେ ଜ୍ଞାନକୌଶଳ ଆବଶ୍ୟକତାକୁ ମିଶନ ମୋଡରେ ଆଗକୁ ନିଆଯାଉଛି। ଏହାକୁ ଆଇଟି ଢ଼ାଞ୍ଚାରେ ସୁଦୃଢ଼ ମଧ୍ୟ କରାଯାଉଛି।

୨୦୧୫ ମସିହାରେ ପ୍ରାୟ ୧,୮୦୦ରୁ ଅଧିକ ଅନାବଶ୍ୟକ ଆଇନ ବା ଧାରାକୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୧,୪୫୦ଟି ଧାରାକୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିବାବେଳେ ରାଜ୍ୟ ସରକାର ୭୫ଟି ଧାରାକୁ ଉଚ୍ଛେଦ କରିଛନ୍ତି। କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ମିଶି ଦେଶର ନୂତନ ଭବିଷ୍ୟତ ଗଠନ କରୁଛନ୍ତି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି।

Tags: #JointConference #PMNarenderaModi #ChiefMinisters #ChiefJustice #HighCourt

Comment