ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛି ବର୍ଷ ହେଲା ମେ’ ମାସରେ ଓଡ଼ିଶାକୁ ବାତ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ମେ’ ମାସରେ ତାଣ୍ଡବ ରଚିଛନ୍ତି  ବାତ୍ୟା ‘ଆଇଲା’ଠାରୁ ‘ୟଶ’ ପର୍ଯ୍ୟନ୍ତ। ମେ’ ମାସ ଆସିଲେ ଲୋକଙ୍କ ମନରେ ବାତ୍ୟା ଭୟ ସୃଷ୍ଟି ହେଉଛି। ଏ ବର୍ଷ ମଧ୍ୟ ମେ’ ମାସରେ ବାତ୍ୟା ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ ଲୋକଙ୍କ ମନରେ ଛନକା ପଶିଛି।

ଓଡ଼ିଶାରେ ୨୦୦୯ ମସିହାଠାରୁ ଲଗାତର ୨୦୨୧ ମସିହା ପର୍ଯ୍ୟନ୍ତ ପ୍ରତି ମେ’ ମାସରେ ବାତ୍ୟା ଆସୁଛି। ବାତ୍ୟାର ତାଣ୍ଡବ ରାଜ୍ୟବାସୀଙ୍କର ବ୍ୟାପକ କ୍ଷୟକ୍ଷତି କରୁଛି। ୨୦୦୯ ମେ’ ମାସରେ ବାତ୍ୟା ‘ଆଇଲା’ ଦକ୍ଷିଣ ଓଡ଼ିଶା ଛୁଇଁଥିଲା। ବ୍ୟାପକ କ୍ଷୟକ୍ଷତିରେ ଲୋକଙ୍କ ଅଣ୍ଟା ସଳଖ ନହେଉଣୁ ପୁଣି ୨୦୧୦ ମେ’ ମାସରେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା ବାତ୍ୟା ‘ଲୈଲା’। ୨୦୧୯ ମେ’ ୩ ତାରିଖରେ ଆସିଥିଲା ବାତ୍ୟା ‘ଫନି’ ପୁରୀ, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାକୁ ଛାରଖାର କରିଦେଇଥିଲା। କେବେ ବାତ୍ୟାର ତାଣ୍ଡବ ଦେଖିନଥିବା ରାଜଧାନୀବାସୀଙ୍କର ବ୍ୟାପକ କ୍ଷତି ଘଟାଇଥିଲା ‘ଫନୀ’।

ସେହିପରି ୨୦୨୦ ମସିହା ମେ’ ୧୯ ତାରିଖରେ ବାତ୍ୟା ‘ଅମ୍ଫାନ’ ଆସିଥିଲା। ଉତ୍ତର ଓଡ଼ିଶାରେ ତାଣ୍ଡବ ଚରିଥିଲା ‘ଅମ୍ଫାନ’। ୨୦୨୧ ମେ’ ୨୬ ତାରିଖରେ ବାତ୍ୟା ‘ୟଶ’ ଓଡ଼ିଶା ଦେଇ ଅତିକ୍ରମ କରିଥିଲା। ଚଳିତ ବର୍ଷ ମେ’ରେ ବାତ୍ୟା ଆସିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ରାଜ୍ୟବାସୀ ଚିନ୍ତାରେ ପଡ଼ିଛନ୍ତି। 

ମେ’ ମାସରେ ଆସିବାକୁ ଥିବା ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେବ। ଏହି ବାତ୍ୟା କେତେ ଶକ୍ତିଶାଳୀ ହେବ ଏବଂ କେଉଁଠି ସ୍ଥଳଭାଗ ଛୁଇଁବ ତାହା ବର୍ତ୍ତମାନ ଆକଳନ କରାଯାଇପାରି ନାହିଁ। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଲଘୁଚାପ ସୃଷ୍ଟି ସମ୍ପର୍କରେ ସୂଚନା ଦିଆଯିବା ସହ ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହେବ ବୋଲି ଆକଳନ କରାଯାଇଛି। ଏହି ଲଘୁଚାପ ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି।

ମେ’ ମାସରେ ବାତ୍ୟା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି  ଆଇଏମଡି ସୂଚନା ଦେଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ମେ’ ୫ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉଭୟ ସମୁଦ୍ର ଓ ବାୟୁମଣ୍ଡଳରେ ଅନୁକୂଳ ପରିସ୍ଥିତି ଯୋଗୁଁ ଲଘୁଚାପ ଶୀଘ୍ର ଘନୀଭୂତ ହେବାର ସମ୍ଭାବନା ରହିଛି। ଫଳରେ ମେ’ ୬ ତାରିଖରେ ଅବପାତ ଓ ୭ ତାରିଖରେ ବାତ୍ୟାର ରୂପ ନେଇ ମେ’ ୮ ତାରିଖରେ ବାତ୍ୟା ହେବାର ସମ୍ଭାବନା ରହିଛି। 

ମେ’ ୬ ତାରିଖ ପରେ ବାତ୍ୟା ଗତିପଥ ଉତ୍ତର-ପଶ୍ଚିମ କିମ୍ବା ପଶ୍ଚିମ-ଉତ୍ତର ଦିଗରେ ଗତି କରି ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ଯଦି ପାଣିପାଗ ବିଭାଗର ଆକଳନ ସଠିକ୍ ହୁଏ ତେବେ ମେ’ ୮ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ। ଗୋପାଳପୁରରୁ ଆରମ୍ଭ କରି କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ବର୍ଷା ହେବାର ସମ୍ଭାବାନ ରହିଛି।

ଆଇଏମଡି ପକ୍ଷରୁ କୁହାଯାଇଛି ମେ’ ୫ ତାରିଖ ମଧ୍ୟରେ ଆଣ୍ଡାମାନସାଗରେ ଏକ ଲଘୁଚାପ ସୃଷ୍ଟି ହୋଇ ୬ ତାରିଖ ବେଳକୁ ଏହା ଅଧିକ ଶକ୍ତିଶାଳୀ ହେବ। ଆସନ୍ତା ମେ’ ୧୦ ତାରିଖ ସୁଦ୍ଧା ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ବିଭାଗ। ପ୍ରାଥମିକ ସ୍ତରରେ ଅଧିକାଂଶ ମଡେଲ୍‍ ଏହି ବାତ୍ୟାର ଗତିପଥ ଓଡ଼ିଶା-ପଶ୍ଚିମବଙ୍ଗ ଦର୍ଶାଉଥିବାବେଳେ ଲଘୁଚାପ ସୃଷ୍ଟି ପରେ ହିଁ ବାତ୍ୟା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Tags: #Cyclone #CycloneInOdisha #CycloneInMay

Comment