ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ସମସ୍ତ ସ୍କୁଲ ୫ ଦିନ ବନ୍ଦ ରହିବା ପରେ ମେ’ ୨ ତାରିଖ ସକାଳ ୬ଟାରୁ ଖୋଲିଛି। ଆଜି ସକାଳ ୬ଟାରୁ ସ୍କୁଲ ଆରମ୍ଭ ହୋଇ ୯ ପର୍ଯ୍ୟନ୍ତ ଚାଲିଥିଲା। ତାପମାତ୍ରାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବରୁ ନିର୍ଦ୍ଧାରିତ ସମୟରେ ପରିବର୍ତ୍ତନ କରାଯାଇଛି। ଏବେଠାରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଶ୍ରେଣୀ ଗୃହରେ ପାଠପଢ଼ା ହେବ।

ଗତ ଏପ୍ରିଲ ୨୫ ତାରିଖଠାରୁ ୫ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିଲା। ସୋମବାର ତୃତୀୟ ଶ୍ରେଣୀରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସକାଳ ୬ରୁ ସ୍କୁଲରେ ବସି ପାଠ ପଢ଼ୁଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକରେ ସମସ୍ତ ବ୍ୟବସ୍ଥା କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଖରାକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇନି। କଲେଜ, ବିଶ୍ଵବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନର ଛୁଟି ଅବଧି ଆଜି ଶେଷ ହେଉଛି। ଗତ ଏପ୍ରିଲ ୨୭ ତାରିଖଠାରୁ କ୍ଲାସ ବନ୍ଦ ରହିଥିଲା।

ଚଳିତ ବର୍ଷ ଜୁନ ୬ ତାରିଖରୁ ଖରା ଛୁଟି ହେବ। ଏ ବର୍ଷ ମାତ୍ର ୧୦ ଦିନର ଛୁଟି ଘୋଷଣା କରିଛନ୍ତି ସରକାର। ପୂର୍ବରୁ ଖରାଛୁଟି ୫୦ ଦିନ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳୁଥିଲା। କୋଭିଡ ମହାମାରୀ ଯୋଗୁଁ ପିଲାଙ୍କ ପାଠକ୍ରମ ଶେଷ ହୋଇନଥିବାରୁ ଏହି ସମୟ ମଧ୍ୟରେ ପାଠ୍ୟକ୍ରମ ଶେଷ କରିବା ଲକ୍ଷ୍ୟରେ ଖରା ଛୁଟିକୁ କମ୍ କରାଯାଇଥିବା କୁହାଯାଇଛି।

Tags: #OdishaSchool #MorningSchool #Students #HeatWave

Comment