ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ(ସୋଆ)କୁ ‘ସୋସିଆଲ୍ ଲିଡରସିପ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଣ୍ଟରପ୍ରିନ୍ୟୁରସିପ କାଉନ୍ସିଲ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ଅବସରରେ ସୋଆକୁ ସମ୍ବର୍ଦ୍ଧିତ କରାଯାଇଛି। ସୋଆ ପକ୍ଷରୁ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତାଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଭୁବନେଶ୍ୱର ଜନତା ମଇଦାନଠାରେ ଗତ ବୁଧବାର ଆରମ୍ଭ ହୋଇଥିବା ଏହି ମହିଳା ଉଦ୍ୟୋଗୀ ମେଳା-୨୦୨୨କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

ମେଳାରେ ଲାରା ଦତ୍ତା ବଲିଉଡରେ ନିଜର ଅନୁଭୂତି ଏବଂ ମହିଳା ସଶକ୍ତିକରଣ ସମ୍ପର୍କରେ କହିଥିଲେ। ୧୦୦ରୁ ଊର୍ଦ୍ଧ୍ଵ ମହିଳା ଉଦ୍ୟୋଗୀ ସାମିଲ ହୋଇଥିବା ଏହି ମେଳାରେ ଶିକ୍ଷା ଓ ଅନୁସନ୍ଧାନକୁ ସାମାଜିକ ଦାୟିତ୍ୱ ବହନ ନିମନ୍ତେ ସମ୍ମାନିତ କରାଯାଇଛି। ମେଳାରେ ରାଜ୍ୟର କୋଣ ଅନୁକୋଣରୁ ଅନେକ ଛୋଟ ବଡ଼ ମହିଳା ଉଦ୍ୟୋଗୀ ସାମିଲ୍ ହୋଇଛନ୍ତି। ଏହି ମେଳା ଆସନ୍ତା ମେ’ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।

Tags: #SOAReceivedAward #SocialLeadershipAward #WomenBussinessMela

Comment