ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି। 

ଧର୍ମ ଏକ ବିଶ୍ୱାସ। ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର। କିଏ କେଉଁ ଧର୍ମକୁ ଗ୍ରହଣ କରିବ ବା କେଉଁ ଧର୍ମର ନିୟମକୁ ପାଳନ କରିବ, ତାହା ସମ୍ପୃକ୍ତ ବ୍ୟକ୍ତିର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି। ଏପରିକି ଜଣେ ବାପା, ତା’ ପୁଅକୁ ବି କହି ପାରିବ ନାହିଁ ଯେ, ସେ କେଉଁ ଧର୍ମ ଗ୍ରହଣ କରିବ ବା ଧର୍ମ ନିୟମକୁ ପାଳନ କରିବ। ବ୍ୟକ୍ତି ସ୍ୱାଧୀନତାର ଏକ ବିଶେଷ ଉଦାହରଣ ହେଉଛି ଧର୍ମ। କିନ୍ତୁ, ଆମ ସମାଜକୁ ଅଧିକରୁ ଅଧିକ ସଂକୀର୍ଣ୍ଣ ଏବଂ ଗୋଷ୍ଠୀ କୈନ୍ଦ୍ରିକ କରିଦେଉଛି ଏଇ ଧର୍ମ। ଧର୍ମକୁ ନେଇ ଯେତିକି ଚିନ୍ତା ନାହିଁ, ତା’ଠୁ ଅଧିକ ଚିନ୍ତା ଧର୍ମାନ୍ତରୀକରଣକୁ ନେଇ। ଖାସ୍ ଏଇ ପ୍ରସଙ୍ଗକୁ ନେଇ ଦେଶର ବିଭିନ୍ନ ଭାଗରେ ବାଦ ବିବାଦ ଲାଗି ରହିଛି। କେତେବେଳେ ହିନ୍ଦୁଙ୍କୁ ମୁସଲମାନ ବା ହିନ୍ଦୁଙ୍କୁ ଖ୍ରୀଷ୍ଟିୟାନ ଧର୍ମରେ ପରିବର୍ତ୍ତିତ କରିବା ଖବରକୁ ନେଇ ବିବାଦ ମୁଣ୍ଡ ଟେକୁଛି ତ ଆଉ କେତେବେଳେ ମୁସଲମାନ ଓ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିସାରିଥିବା ହିନ୍ଦୁଙ୍କୁ ପୁଣି ଥରେ ନିଜ ଧର୍ମକୁ ଫେରାଇ ଆଣିବା ପାଇଁ ଧର୍ମ ପରାବର୍ତ୍ତନ ବା ଲୋକପ୍ରିୟ ଭାଷାରେ ଘର ୱାପସୀ କାର୍ଯ୍ୟକ୍ରମ ଚାଲୁଛି। ଯାହାକୁ ନେଇ ଅନେକ ସମୟରେ ବିଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ବିବାଦ, ବିତର୍କ, ଗଣ୍ଡଗୋଳ ଏବଂ ହିଂସାର ସୂତ୍ରପାତ ହେଉଛି।

ଏମିତି ହିଁ ଏକ ବିବାଦ ଯେ କେତେବଡ଼ ଭୟଙ୍କର ରୂପ ନେଇପାରେ, ତାହା ବିଶ୍ୱବାସୀ ଦେଖିଥିଲେ ୧୯୯୯ ଜାନୁଆରୀ ୨୨ ତାରିଖରେ। କେନ୍ଦୁଝର ଜିଲ୍ଲାର ପାର୍ବତ୍ୟାଞ୍ଚଳରେ ହାଡ଼ଥରା ଶୀତଦିନର ଏକ ବିଳମ୍ବିତ ରାତିରେ ମନୋହରପୁର ଗାଁରେ ଘଟିଗଲା ଏକ ଲୋମହର୍ଷକ ଘଟଣା। ଅଷ୍ଟ୍ରେଲୀୟ ଖ୍ରୀଷ୍ଟିୟାନ ମିଶନାରୀ ଗ୍ରାହାମ୍ ଷ୍ଟୁଆର୍ଟ ଷ୍ଟେନସ୍ ଏବଂ ତାଙ୍କ ଦୁଇ କୁନି ପୁଅ ଫିଲିପ୍ ଓ ଟିମୋଥି, ଏକ ଗାଡ଼ି ଭିତରେ ଥିଲା ବେଳେ ସେମାନଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା। ଏହି ଘଟଣା ସେତେବେଳେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାକୁ ବିଶ୍ୱର କୋଣ ଅନୁକୋଣରୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କୁ ଅପଦସ୍ତ ହେବାକୁ ବି ପଡ଼ିଛି।

ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଧର୍ମାନ୍ତରୀକରଣକୁ ନେଇ ହିଂସା ଯେ ଏ ସ୍ତରରେ ପହଞ୍ଚିବ, ଏକଥା କେହି କେବେ କଳ୍ପନା କରିନଥିଲେ। ଏହି ଘଟଣା କାଳ କାଳ ପାଇଁ ଓଡ଼ିଶା ଇତିହାସର ଏକ କଳଙ୍କିତ ଅଧ୍ୟାୟ। ତେବେ ଏହି ଘଟଣା ଘଟିଲା ବେଳେ ଓଡ଼ିଶାରେ ଗଣମାଧ୍ୟମ କହିଲେ ଖବରକାଗଜ, ରେଡିଓ ଏବଂ ଦୂରଦର୍ଶନ ବ୍ୟତୀତ ଆଉ କେହି ନଥିଲେ। ଈଟିଭି ଓଡ଼ିଆ ବି ଜନ୍ମ ନେଇନଥିଲା ସେତେବେଳେ। ଘଟଣାର ତଦନ୍ତ ଭାର ନେଇଥିଲା କେନ୍ଦ୍ର ଗୁଇନ୍ଦା ସଂସ୍ଥା- ସିବିଆଇ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର କୁମାର ପାଲ ଓରଫ୍ ଦାରା ସିଂ ସମେତ ୧୮ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ। ଘଟଣା ଘଟିବାର ପ୍ରାୟ ବର୍ଷକ ପରେ ୨୦୦୦ ମସିହା ଜାନୁଆରୀ ୩୦ ତାରିଖରେ ମୟୂରଭଞ୍ଜର ଜଙ୍ଗଲରୁ ଦାରା ସିଂକୁ ଗିରଫ କରାଗଲା। ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଚାଲିଲା ମାମଲାର ବିଚାର।

ଏହି ମାମଲାର ବିଚାର କରି ୨୦୦୩ ମସିହା ସେପ୍ଟେମ୍ବର ୨୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ମହେନ୍ଦ୍ର ନାଥ ପଟ୍ଟନାୟକ ଚୂଡ଼ାନ୍ତ ରାୟ ପ୍ରକାଶ କରିଥିଲେ। ଏଥିରେ ୧୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଅନ୍ୟମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ତେବେ କୋର୍ଟ, ଦୋଷୀ ୧୩ ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର କୁମାର ପାଲ ଓରଫ୍ ଦାରା ସିଂକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇବା ସହ ଅନ୍ୟ ୧୨ ଜଣଙ୍କୁ ଦେଇଥିଲେ ଆଜୀବନ କାରାଦଣ୍ଡାଦେଶ। ମାମଲାର ରାୟ ପ୍ରକାଶ ଦିନ ଥିଲା ଈଟିଭି ପାଇଁ ଏକ ପରୀକ୍ଷାର ମୁହୂର୍ତ୍ତ। କାରଣ ଇନଫୋଟେନମେଣ୍ଟ ଚାନେଲରେ ଯେଉଁ ସମୟରେ ନ୍ୟୁଜ୍ ନଥାଏ ଏବଂ ଅନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥାଏ, ସେହି ସମୟରେ କୌଣସି ବଡ଼ ଖବର ଆସିଲେ, ତାକୁ ପ୍ରସାରଣ କରିବା କାଠିକର ପାଠ।

ତଥାପି, ମାମଲାର ଗୁରୁତ୍ୱ, ଜାତୀୟ ଗଣମାଧ୍ୟମର ଚାପ ଏବଂ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାକୁ ନଜରରେ ରଖି, ଈଟିଭିର ପ୍ରୋଗ୍ରାମିଂ ମୁଖ୍ୟଙ୍କଠାରୁ ଏଥିଲାଗି ଅନୁମତି ନିଆଯାଇଥିଲା। ଯେ କୌଣସି ମୁହୂର୍ତ୍ତରେ ଦଣ୍ଡାଦେଶ ପ୍ରକାଶ ପାଇବା କ୍ଷଣି, ଏହାକୁ ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଗଲା। ଶେଷରେ କୋର୍ଟ ପରିସରରେ ଦଣ୍ଡାଦେଶ ହେବା ସଙ୍ଗେ ସଙ୍ଗେ ଈଟିଭିରେ ଚାଲିଲା ବ୍ରେକିଂ ନ୍ୟୁଜ୍। ଦର୍ଶକଙ୍କ ନିକଟରେ ପହଞ୍ଚିଲା ପ୍ରଥମ ଖବର। ଏହି ଖବର ପ୍ରସାରଣ ବେଳେ ଥିଲା ଏକ ରୋମାଞ୍ଚକର ଅନୁଭୂତି। ଘଟଣାର ବିଚାର ଆରମ୍ଭ ହେବା ଦିନଠୁ ଏହାକୁ ନିୟମିତ ଭାବେ ରିପୋର୍ଟ କରୁଥିଲେ ଈଟିଭିର ତତ୍କାଳୀନ କ୍ରାଇମ୍ ରିପୋର୍ଟର ଜୟଦେବ ବେହେରା। ସେଦିନ ରାୟ ପ୍ରକାଶ ବେଳେ ବି ସିଏ ହିଁ ଦେଇଥିଲେ ବ୍ରେକିଂ ନ୍ୟୁଜ୍ ଏବଂ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଘଟଣାକୁ ଉପସ୍ଥାପନ କରିଥିଲେ ସେ।

ଈଟିଭିର ତତ୍କାଳୀନ କ୍ରାଇମ୍ ରିପୋର୍ଟର ଜୟଦେବ ବେହେରା

ତେବେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ ଏହି ରାୟ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାରା ସିଂ ସମେତ ଅନ୍ୟ ଅଭିଯୁକ୍ତ। ପ୍ରାୟ ତିନି ବର୍ଷ ଯାଏଁ ଏହି ମାମଲାର ବିଚାର ଚାଲିବା ପରେ ଶେଷରେ ୨୦୦୫ ମସିହା ମେ’ ୧୯ ତାରିଖରେ ରାୟ ପ୍ରକାଶ କଲେ ମାନ୍ୟବାର ହାଇକୋର୍ଟ। ତଳ କୋର୍ଟଙ୍କ ଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦାରା ସିଂର ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡାଦେଶରେ ପରିଣତ କରିଥିଲେ ମାନ୍ୟବର ହାଇକୋର୍ଟ। ସେହିଭଳି ତଳ କୋର୍ଟରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ମହେନ୍ଦ୍ର ହେମ୍ବ୍ରମର ଦଣ୍ଡାଦେଶକୁ କାଏମ ରଖିଥିଲେ କୋର୍ଟ। ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ହାଇକୋର୍ଟ। 

ଆଜୀବନ କାରାଦଣ୍ଡାଦେଶ ପାଇଥିବା ମହେନ୍ଦ୍ର ହେମ୍ବ୍ରମ

ଏହି ରାୟ ପ୍ରକାଶ ପାଇବା ଦିନ ଈଟିଭି ଓଡ଼ିଆ, ଜାତୀୟ ସ୍ତରର ସମସ୍ତ ଗଣମାଧ୍ୟମକୁ ପଛରେ ପକାଇଦେଇଥିଲା। ମାମଲାର ଗମ୍ଭୀରତା ଓ ଆନ୍ତର୍ଜାତିକ ସ୍ତରରେ ଗୁରୁତ୍ୱକୁ ନଜରରେ ରଖି ସବୁ ଗଣମାଧ୍ୟମ ଏହାରି ଉପରେ ନଜର ରଖିଥିଲେ। କିନ୍ତୁ ଈଟିଭିର ସୁନିୟୋଜିତ ଯୋଜନା, ଭୁବନେଶ୍ୱର ଏବଂ କଟକ ବ୍ୟୁରୋର ଉପଯୁକ୍ତ ସମନ୍ୱୟ ସାଙ୍ଗକୁ କଟକରେ ଈଟିଭିର ବ୍ୟୁରୋ ମୁଖ୍ୟ ତପନ ସ୍ୱାଇଁଙ୍କ ପ୍ରୟାସରେ ସବୁଠୁ ପ୍ରଥମେ ଏହି ଖବରକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇ ପାରିଥିଲା ଈଟିଭି। କେବଳ ସେତିକି ନୁହେଁ, ମୟୂରଭଞ୍ଜର ବାରିପଦା ମଣ୍ଡଳ କାରାଗାର ଭିତରୁ ମୁଖ୍ୟ ଅଭିଯୁକ୍ତ ଦାରା ସିଂ ସହିତ ସ୍ୱତନ୍ତ୍ର ଏକ୍ସକ୍ଲୁସିଭ୍ ସାକ୍ଷାତକାର କରିବାରେ ସକ୍ଷମ ହୋଇଥିଲା ଈଟିଭି।

ଈଟିଭିର ତତ୍କାଳୀନ ବ୍ୟୁରୋ ମୁଖ୍ୟ ତପନ ସ୍ୱାଇଁ

ଚାନେଲର ତତ୍କାଳୀନ ବାଲେଶ୍ୱର ବ୍ୟୁରୋ ମୁଖ୍ୟ କୃଷ୍ଣ ଚନ୍ଦ୍ର ସାହୁ ଜେଲ୍ ଭିତରୁ ଦାରା ସିଂ ସହିତ ସାକ୍ଷାତକାର କରିବାରେ ସମର୍ଥ ହୋଇଥିଲେ। ସେହିଭଳି ଅନ୍ୟତମ ଅଭିଯୁକ୍ତ ମହେନ୍ଦ୍ର ହେମ୍ୱ୍ରମ ସହିତ ସ୍ୱତନ୍ତ୍ର ସାକ୍ଷାତକାର କରାଯାଇଥିଲା କଟକ ଚୌଦ୍ୱାର ଜେଲ ଭିତରୁ। ସେହି ସମୟରେ ଈଟିଭି ହିଁ ଏକମାତ୍ର ଚାନେଲ ଥିଲା, ଯିଏକି କାରାଗାରର କୋଠରୀ ଭିତରୁ ଦାରା ସିଂ ସହିତ ସାକ୍ଷାତକାର କରି, ଏହିଭଳି ଏକ ଜଘନ୍ୟ ଅପରାଧ ପଛରେ କ’ଣ ଥିଲା ଦାରା ସିଂ ଓ ତା’ ସହଯୋଗୀମାନଙ୍କ ଉଦ୍ଦେଶ୍ୟ, ସେ ସମ୍ପର୍କିତ ତଥ୍ୟ ପ୍ରଥମ ଥର ପାଇଁ ଲୋକଲୋଚନକୁ ଆଣିପାରିଲା।

ତତ୍କାଳୀନ ବାଲେଶ୍ୱର ବ୍ୟୁରୋ ମୁଖ୍ୟ କୃଷ୍ଣ ଚନ୍ଦ୍ର ସାହୁ ଜେଲ୍ ଭିତରୁ ଦାରା ସିଂ ସହିତ ସାକ୍ଷାତକାର ସମୟରେ

କଥା ସେଇଠି ସରିନଥିଲା। ମେ ୨୧ ତାରିଖ ଦିନ ପି.ଟି.ଆଇ (ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ) ଗ୍ରାହାମ୍ ଷ୍ଟେନସ୍ ହତ୍ୟା ଘଟଣା ସମ୍ପର୍କିତ ଏକ ଖବର ପ୍ରକାଶ କରିଥିଲା। ସେଥିରେ ଈଟିଭିରେ ପ୍ରସାରିତ ସାକ୍ଷାତକାର ସମ୍ପର୍କରେ ଉଲ୍ଲେଖ କରାଯିବା ସହିତ ଏହାର କିଛି ଉଦ୍ଧୃତାଂଶକୁ ବି ସ୍ଥାନିତ କରାଯାଇଥିଲା। ଓଡ଼ିଶାରେ ଟେଲିଭିଜନର ଲୋକପ୍ରିୟତା ବଢୁଥିବା ବେଳେ ଏଭଳି କୌଣସି ଗଣମାଧ୍ୟମରେ ଖବର ପ୍ରସାରଣକୁ ନେଇ ଯେଉଁ ଉତ୍କଣ୍ଠା, ଆଗ୍ରହ ଏବଂ ଦୃଶ୍ୟମାନ ପ୍ରତିଦ୍ୱନ୍ଦ୍ୱିତା ଥିଲା ତାହା ଏକ ଇତିହାସର ଅଧ୍ୟାୟ।

 Tags: #JailRoom #GrahamStuartStains #DaraSingh #DrFakirMohanNahak #HelloIndia #Television #ETvOdia #Reporting

Comment