ଓଡ଼ିଶାଲାଇଭ୍ ବ୍ୟୁରୋ

ସିଏସ୍ଆଇଆର୍-ଆଇଏମ୍ଏମ୍‌ଟିରେ ମେ’ ୧୧ ତାରିଖରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରତିଯୋଗିତା ‘ବିଜ୍ଞାନ ମେଳା’ ଆୟୋଜିତ ହୋଇଥିଲା। ସିଏସ୍ଆଇଆର୍-ଆଇଏମ୍ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ଏସ୍. ବାସୁ  ବିଜ୍ଞାନ ମେଳାର ଉଦଘାଟନ କରିଥିଲେ। ଜିଜ୍ଞାସା ପ୍ରୋଗ୍ରାମ ଅଧିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରି ୩୫ରୁ ଊର୍ଦ୍ଧ୍ଵ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ।

ବିଜ୍ଞାନ ମେଳାର ଉଦଘାଟନ ଅବସରରେ ଏସ୍ ବାସୁ କହିଥିଲେ, “୧୯୯୯ ମସିହା ମେ’ ୧୧ ଏବଂ ମେ’ ୧୩ ତାରିଖରେ ପୋଖରାନରେ ଆଣବିକ ବୋମା ବିସ୍ଫୋରଣ ପରୀକ୍ଷା କରାଯାଇଥିଲା। ଏହା ପୂର୍ବରୁ ୧୯୭୪ରେ ପୋଖରାନରେ ଏକ ପରୀକ୍ଷା କରାଯାଇଥିଲା ଏବଂ ଭାରତର ଆଣବିକ ସାମର୍ଥ୍ୟ ବିଷୟରେ ବିଶ୍ୱ ଜାଣିବାକୁ ପାଇଥିଲା। ୧୯୯୯ ମେ’ ୧୧ ତାରିଖରେ ପୋଖରାନରେ ହୋଇଥିବା ଆଣବିକ ବୋମା ବିସ୍ଫୋରଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ କିଛି ବୈଜ୍ଞାନିକ ଜାଣିଥିଲେ। ତେଣୁ ମେ’ ୧୧ ତାରିଖକୁ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ତେଣୁ ସିଏସ୍ଆଇଆର୍-ଆଇଏମ୍‌ଏମ୍‌ଟି ଏହି ଦିବସକୁ ପାଳନ କରୁଛୁ”।

ଏହି ଅବସରରେ ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସ୍କିଲ୍ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚ ‘ପ୍ରଜୁକ୍ତିବିଦ୍ୟା ଜଗତରୁ ଶିକ୍ଷା’ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ କିଛି ନୂତନ ଏବଂ ଅଦ୍ଭୁତ କରିବା ଦ୍ଵାରା ଜଣେ ବୈଜ୍ଞାନିକ ହୋଇପାରିବ। ସେ ଏହି ଅବସରରେ ଆଇଟି ସେକ୍ଟରରେ କାମ କରିବା ସମୟରେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ। ଆଲୋଚନାରେ ସିଏସ୍ଆଇଆର୍-ଆଇଏମ୍ଏମଟିର ନିର୍ଦ୍ଦେଶକ ଏସ୍ ବାସୁ ଏବଂ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ।

ଜିଜ୍ଞାସା ପ୍ରୋଗ୍ରାମର ସଂଯୋଜକ ତଥା ନୋଡାଲ୍ ସାଇଣ୍ଟିଷ୍ଟ ଡକ୍ଟର ଦେବୀ ପ୍ରସାଦ ଦାସ ଏହି ଅବସରରେ କହିଥିଲେ, “ସିଏସ୍ଆଇଆରର ବୈଜ୍ଞାନିକ ସଂଯୋଗ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନକୁ ବୃତ୍ତି ଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ। ଏହି ଭଳି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନେ କାଳ୍ପନିକ ମଡେଲ ମାଧ୍ୟମରେ ସାମାଜିକ ସମସ୍ୟାର ସମାଧାନ ପ୍ରକାଶ କରିପାରିବେ”।

ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ପ୍ରୋକେକ୍ଟଗୁଡ଼ିକୁ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ନାଇଜର, ଇନଷ୍ଟିଚ୍ୟୁଟ ଅଫ କେମିଷ୍ଟ୍ରି, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ନିରୀକ୍ଷଣ କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ବିଜେତା ଟିମକୁ ମାନପତ୍ର ଏବଂ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଛାତ୍ରଛାତ୍ରୀମାନଙ୍କୁ ଜୁନିଅର ଏବଂ ସିନିଅର ଭାବେ ୨ଟି ଦଳରେ ବିଭକ୍ତ କରାଯାଇଥିଲା। ବିଜେତାମାନଙ୍କୁ ସିଏସ୍ଆଇଆର୍– ଆଇଏମ୍ଏମଟି ଅଡିଟୋରିଅମରେ ଜାତୀୟ ପ୍ରଜୁକ୍ତିବିଦ୍ୟା ଦିବସ ଅବସରରେ ପୁରସ୍କାର ରାଶି, ପ୍ରମାଣପତ୍ର ଏବଂ ମୋମେଣ୍ଟମ ପ୍ରଦାନ କରାଯାଇଥିଲା।

Tags: #ScienceExhibition #NationalITDaya

Comment