ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପ ରେଖ। ଏଣେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ମୁଣ୍ଡଟେକିବା ସହ ଏହାକୁ ନେଇ ରାଜନୀତି ଘନେଇବାରେ ଲାଗିଛି। ଏହି ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟର ମଧ୍ୟ ହୋଇଛି। ଏହି ମାମଲାର ଶୁଣାଣି ଏବଂ ପ୍ରତ୍ନତତ୍ତ୍ଵ ବିଭାଗର ସତ୍ୟପାଠ ଦାଖଲ ପରେ ଚାପରେ ରହିଛି ଶ୍ରୀମନ୍ଦିର ପ୍ରଶାସନ। ଇତିମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗଠିତ ସାଂସ୍କୃତିକ ଉପଦେଷ୍ଟା କମିଟି ବୈଠକ ଡକାଇ ପ୍ରକଳ୍ପର ରୂପରେଖ ପରିବର୍ତ୍ତନ ନେଇ ଆଲୋଚନା କରିଛି।

ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପ୍ରକଳ୍ପର ରୂପରେଖରେ ସାମାନ୍ୟ ପରିବର୍ତ୍ତନ ହେବା ନେଇ ନିଷ୍ପତ୍ତି ହୋଇଛି। ପୂର୍ବରୁ ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଥିଲା ସେଥିରେ ପରିବର୍ତ୍ତନ କରାଯାଇଛି।

ନିଷିଦ୍ଧାଞ୍ଚଳ ପରିବର୍ତ୍ତେ ୧୦୦ ମିଟର ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ଏହି ଅଭ୍ୟର୍ଥନା କେନ୍ଦ୍ରରେ ଆଧ୍ୟାତ୍ମିକତାର ଛାପ ରହିବ। ନିର୍ମାଣ ସମୟରେ ଶ୍ରୀମନ୍ଦିର ଯେପରି ସ୍ପଷ୍ଟ ଦେଖାଯିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କୁହାଯାଇଛି। ପ୍ରତ୍ନତତ୍ତ୍ଵ ବିଭାଗ ଡିଜିଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ଏହା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାହାରେ ବସବାସ କରୁଥିବା ସାହିବାସୀଙ୍କ ଗମନାଗମନ ନିମନ୍ତେ ରାସ୍ତା ନିର୍ମାଣ କରାଯିବ। ଦରକାର ପଡ଼ିଲେ ରାସ୍ତା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Tags: #SriJagannath #JagannathTemple #SriMandirParikramaPrakalpa

Comment