ଓଡ଼ିଶାଲାଇଭ୍ ବ୍ୟୁରୋ

ଖବରକାଗଜ ସଂଗ୍ରହ କରି ଗିନିସ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ଓଡ଼ିଆ ପୁଅ ଶଶାଙ୍କ ଶେଖର ଦାଶ। ମଙ୍ଗଳବାର ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଗିନିସ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଇଟାଲୀର ସେର୍ଗିଓ ବୋଦିନୀଙ୍କ ରେକର୍ଡ ଭଙ୍କି ଶଶାଙ୍କ ଏହି ରେକର୍ଡ ହାସଲ କରିଛନ୍ତି। ପୂର୍ବରୁ ଗିନିସ ବୁକ ୧,୪୪୪ଟି ଖବରକାଗଜ ସଂଗ୍ରହର ରେକର୍ଡ ରହିଥିଲା। ଶଶାଙ୍କ ୪,୫୧୫ଟି ଖବରକାଗଜ ସଂଗ୍ରହ କରି ଏହି ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି।

ରାଜ୍ୟପାଳ ନିଜ ବାସଭବନରେ ଆୟୋଜିତ ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ମାନ ବଢ଼ାଇଥିବା ୧୦ ଜଣ ବ୍ୟକ୍ତିତ୍ଵଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ଶଶାଙ୍କ ଶେଖର ଦାଶଙ୍କୁ ଗିନିଜ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରମାଣପତ୍ରକୁ ପ୍ରଦାନ କରିଥିଲେ ରାଜ୍ୟପାଳ।

ଅନେକ ଦେଶ ଓ ଭାଷାର ଖବରକାଗଜ ସଂଗ୍ରହ କରିବା ପରେ ଶଶାଙ୍କ ଗିନିସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ସେମାନଙ୍କ ପରାମର୍ଶରେ ସେ ଗତ ୨୦୧୯ ନଭେମ୍ବର ୩୦ ତାରିଖ ଏକ ପ୍ରଦର୍ଶନୀ ରାଜଧାନୀ ଭୁବନେଶ୍ୱରରେ ଆୟୋଜନ କରି ୪,୪୪୪ଟି ଖବରକାଗଜ ପ୍ରଦର୍ଶନ କରିଥିଲେ। ଏହାର ଗଣତି ପରେ ଆବଶ୍ୟକୀୟ ପ୍ରମାଣ ଶଶାଙ୍କ ଗିନିସ ଦ୍ୱାରା ପ୍ରଦାନ କରାଯାଇଥିବା ୱେବପୋର୍ଟାଲରେ ପଠାଇଥିଲେ। ଏହା ପରେ ସେ ଏହି ଗିନିଜ ବୁକରେ ସ୍ଥାନ ପାଇବାକୁ ଯୋଗ୍ୟ ସାବ୍ୟସ୍ତ ହୋଇଥିଲେ।

ଗତ ୨୦୦୦ ମସିହାରୁ ଖବରକାଗଜ ସଂଗ୍ରହ କରୁଛନ୍ତି ଶଶାଙ୍କ। ସେ ପ୍ରଥମେ ପ୍ରଥମେ ଓଡ଼ିଆ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ। ପରେ ଓଡ଼ିଶାରୁ ପ୍ରକାଶ ପାଉଥିବା ଅନ୍ୟ ଭାଷାର ଖବରକାଗଜ ଓ ଏହା ପରେ ଭାରତର ବିଭିନ୍ନ ରାଜ୍ୟର ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ। ଇତିମଧ୍ୟରେ ତାଙ୍କ ପାଖରେ ବତ୍ତର୍ମାନ ୫,୧୦୦ ପ୍ରକାରର ପ୍ରାୟ ୧୦,୦୦୦ରୁ ଅଧିକ ପେପର ରହିଛି। ଏଗୁଡ଼ିକ ୧୫୩ଟି ଦେଶର ହୋଇଥିବାବେଳେ ୯୪ଟି ଭାଷାର ରହିଛି।

ଶଶାଙ୍କ ପୂର୍ବରୁ ତିନିଥର ଲିମକା ବୁକ ଅଫ ରେକର୍ଡ, ଥରେ ଇଣ୍ଡିଆ ବୁକ ଅଫ ରେକର୍ଡ, ଥରେ କ୍ରେଡେନ୍ସ ବୁକ ଅଫ ୱାର୍ଲ୍ଡ ରେକର୍ଡ  ଓ ଥରେ ଓଏମ୍ଜି ରେକର୍ଡରେ ସାମିଲ ହୋଇସାରିଛନ୍ତି।

Tags: #PaperManIndia #SashankaSekharDash #GinisBookofWorldRecord

Comment