ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଅଧିକାରୀମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜାଉଛନ୍ତି। ହେଲେ ଆମେ ମିଛୁଆ ବିଧାୟକ ହୋଇ ରହିବାକୁ ଚାହୁଁନୁ। ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନରେ ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଓଡ଼ିଶାରେ ଅଫିସର ରାଜ୍‌ ଚାଲିଥିବା ନେଇ ପୂର୍ବରୁ ବିରୋଧୀମାନେ ବାରମ୍ୱାର ଅଭିଯୋଗ କରି ଆସିଛନ୍ତି, ଯାହାକୁ ଶାସକ ଦଳ ସବୁବେଳେ ଖଣ୍ଡନ କରିଥାଏ। କିନ୍ତୁ ଖୋଦ୍‌ ଶାସକ ଦଳର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ରାଜ୍ୟରେ ଚାଲିଥିବା ଅଫିସର ରାଜ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ବିଧାୟକ କହିଛନ୍ତି ଯେ, ରାଜ୍ୟରେ ସରକାରୀ ଅଧିକାରୀଙ୍କର ଅହଂକାର ବଢ଼ିଯାଇଛି। ଏହା ଉପରେ ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ବିପଦରେ ପଡ଼ିବ।

“ଓଡ଼ିଶାରେ ଦିନକୁ ଦିନକୁ ଅପେକ୍ଷାକୃତ ଭାବେ ମଦ୍ୟପାନ ହାର ବଢୁଛି ବୋଲି ଗୃହରେ ପ୍ରଶ୍ନ କରିଥିଲି। ଏ ସମ୍ପର୍କିତ ପ୍ରଶ୍ନରେ ଅଫିସରଙ୍କଠାରୁ ତଥ୍ୟ ସଂଗ୍ରହ କରି ମନ୍ତ୍ରୀ କହିଛନ୍ତି ଯେ, ମଦ୍ୟପାନ ହାର ବଢୁନି। ଏହାର ଅର୍ଥ ମୁଁ ମିଛ କହୁଛି। କିନ୍ତୁ ମୁଁ ମିଛୁଆ ବିଧାୟକ ହୋଇ ରହିବାକୁ ଚାହୁଁନାହିଁ। ମୁଁ ସେମିତି କିଛି ଭ୍ରମାନ୍ତକ ତଥ୍ୟ ଦେଇନାହିଁ। ସବୁଠାରୁ ଉଦ୍‌ବେଗର କଥା ହେଉଛି ଜାତୀୟ ହାର ଅପେକ୍ଷା ଓଡ଼ିଶାରେ ମଦ୍ୟପାନ ହାର ବଢୁଛି। କିଛି ଲୋକ ଏହାକୁ ବିକାଶର ଏକ ଲକ୍ଷଣ ବୋଲି କହିପାରନ୍ତି। କିନ୍ତୁ ତାମିଲନାଡୁ ଓ କେରଳ ପରି ରାଜ୍ୟରେ ମଦ୍ୟପାନ ହାର କମୁଥିବା ବେଳେ ଓଡ଼ିଶାରେ ବ‍ଢ଼ିବାଟା ଆଦୌ ଶୁଭଙ୍କର ନୁହେଁ”, କହିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଭାରତରେ ମହିଳା ମଦ୍ୟପାନ ହାର ୧.୨ ପ୍ରତିଶତରେ ଥିବା ବେଳେ ଓଡ଼ିଶାରେ ଏହା ୪.୩ ପ୍ରତିଶତ ରହିଛି। ଏହାର ଅର୍ଥ ପାଖାପାଖି ୪ ଗୁଣ ଅଧିକ ମହିଳା ପୂର୍ବ ଅପେକ୍ଷା ମଦ୍ୟପାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ରିପୋର୍ଟ ପ୍ରକାଶ ପାଇଛି। ତେଣୁ ଏ ବିଷୟରେ ରାଜ୍ୟ ସରକାର ସଚେତନ ହେବା ଆବଶ୍ୟକ।

Tags: #SoumyaranjanPatnaik #Odisha #BJD #OfficerRaj #ଓଡ଼ିଶା #ବିଧାୟକସୌମ୍ୟରଞ୍ଜନପଟ୍ଟନାୟକ

Comment