ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଆତ୍ମହତ୍ୟାକୁ କେମିତି ରୋକିବା’ ସେ ସମ୍ପର୍କରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ।

ଆଜିର ଦିନରେ ଆତ୍ମହତ୍ୟା ସଂଖ୍ୟା ବଢ଼ିଚାଲିଛି। ସାନ ସାନ ପିଲାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ଯାଏଁ ବିଭିନ୍ନ କାରଣରୁ ଆତ୍ମହତ୍ୟାକୁ ଆପଣେଇ ନେଉଛନ୍ତି। ତେଣୁ ଏ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କହନ୍ତି, ‘‘ମଣିଷ ଜୀବନ ଏକ ଦୁର୍ଲଭ ଜୀବନ। ଏଥିରେ ଦୁଃଖ ଅଛି, ସୁଖ ଅଛି, ସମସ୍ୟା ବି ଅଛି। ଅନେକ ଲୋକ ଘଟଣା ସହିତ ନିଜକୁ ଖାପ ଖୁଆଇ ପାରନ୍ତିନି। ତେଣୁ ତାଙ୍କ ଜୀବନର କିଛି ମୂଲ୍ୟ ନାହିଁ ଭାବି ଆତ୍ମହତ୍ୟା କରିଦିଅନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ଜୀବନ ଥରେ ମିଳିଛି ତେଣୁ ପରିସ୍ଥିତିକୁ ସାମ୍ନା କରିବା ପାଇଁ ମନରେ ବଳ ରଖିବା ଦରକାର ଓ ନିଜ ଜୀବନକୁ ଉପଭୋଗ କରିବା ଦରକାର’’।

କାହିଁକି କରନ୍ତି ଆତ୍ମହତ୍ୟା?

ଏକ ରିପୋର୍ଟ ଅନୁସାରେ ସାରାବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ଆତ୍ମହତ୍ୟା କରୁଛନ୍ତି। ସେମାନଙ୍କ ମଧ୍ୟରେ ୧୫ରୁ ୨୯ ବର୍ଷ ବୟସର ପିଲାଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଆତ୍ମହତ୍ୟା କରିବା ପଛରେ ବିଭିନ୍ନ କାରଣ ରହିଛି। ପାରିବାରିକ, ବ୍ୟକ୍ତିଗତ ସମସ୍ୟା, ପ୍ରେମ ସମ୍ପର୍କ, ମାନସିକ ଅସୁସ୍ଥତା ଓ ବେରୋଜଗାର କାରଣରୁ ଆତ୍ମହତ୍ୟାକୁ ଶେଷ ବାଟ ବୋଲି ବାଛି ନେଉଛନ୍ତି।

ସେହିପରି ଅବସାଦ ବା ଡିପ୍ରେସନ, କୌଣସି କାମରେ ବିଫଳତା, କୌଣସି ରୋଗ, ନିଜର ଅତି ଘନିଷ୍ଠ ଲୋକଙ୍କଠାରୁ ଦୂରେଇ ଯିବା, ନିଶାଗ୍ରସ୍ତ ଯୋଗୁଁ ଲୋକ ଆତ୍ମହତ୍ୟା କରନ୍ତି। ତେବେ ଆତ୍ମହତ୍ୟାର ସବୁଠୁ ବଡ଼ କାରଣ ହେଉଛି ଡିପ୍ରେସନ ବା ଅବସାଦ। ଲୋକଟିଏ ଡିପ୍ରେସନରେ ଥିଲେ ଅନ୍ୟମାନେ ଜାଣିପାରନ୍ତି ନାହିଁ। ତାହା ଦିନେ ଆତ୍ମହତ୍ୟାର ରୂପ ନିଏ।

ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ୨୦ରୁ ୪୦ ବର୍ଷ ବୟସରେ ଅଧିକ ଆତ୍ମହତ୍ୟା ହେଉଥିବା ଦେଖାଯାଉଛି। ଘରର କାମ, ପାରିବାରିକ ସମସ୍ୟା, ସ୍ୱାସ୍ଥ୍ୟଗତ ସମସ୍ୟା, ଓଜନ ବୃଦ୍ଧି ଏଭଳି କାରଣରୁ ମହିଳାମାନେ ଆତ୍ମହତ୍ୟା କରିଥାନ୍ତି।

ଆତ୍ମହତ୍ୟା ପୂର୍ବର ସମ୍ଭାବ୍ୟ ଲକ୍ଷଣ

  • ହଠାତ ବ୍ୟକ୍ତିର ବ୍ୟବହାରରେ ପରିବର୍ତ୍ତନ
  • ଦୁଃଖୀ ଦୁଃଖୀ ଲାଗିବା
  • ଏକୁଟିଆ ରହିବା ବା କାହା ସହ କଥା ନହେବା
  • ଛୋଟଛୋଟ କଥାରେ ଚିଡ଼୍‌ଚିଡ଼ା ହେବା
  • ଖାଦ୍ୟ ପାନୀୟ ଓ ପୋଷାକରେ ପରିବର୍ତ୍ତନ

ଯେତେବେଳେ ଏଭଳି ଲକ୍ଷଣ ଆପଣ କାହା ପାଖରେ ଦେଖିବେ ସେତେବେଳେ ତାଙ୍କର ତୁରନ୍ତ କାଉନସେଲିଂ କରାଇବେ। ଏହାଦ୍ୱାରା ସେ ପୂର୍ବ ଭଳି ସ୍ୱାଭାବିକ ହୋଇଯିବାର ସମ୍ଭାବନା ରହିଛି ବୋଲି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କହିଛନ୍ତି।

 ଆତ୍ମହତ୍ୟା ପ୍ରବଣତାକୁ ରୋକିବା କେମିତି?

ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ କହିବା କଥା, ଆତ୍ମହତ୍ୟା କୌଣସି ପ୍ରକାର ସମସ୍ୟାର ସମାଧାନ ନୁହେଁ। ତେଣୁ ପ୍ରତ୍ୟେକଟି ମଣିଷ ଏକଥାକୁ ବୁଝିବା ଦରକାର। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପରିବାର। ପିଲାଟିଏ ଯେତେବେଳେ ବଡ଼ ହେଉଛି ସେତେବେଳେ ପରିବାର ଲୋକ ତା’ପ୍ରତି ବିଶେଷ ଯତ୍ନବାନ ହେବା କଥା। ନିଜ ପିଲାକୁ କେବେ ଅନ୍ୟ ପିଲାଙ୍କ ସହିତ ତୁଳନା କରନ୍ତୁ ନାହିଁ। ଏହା ସେମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ମନେ ରଖନ୍ତୁ ସବୁ ପିଲା ଭିନ୍ନ, ସେମାନଙ୍କ ଭିତରେ ସ୍ୱତନ୍ତ୍ର ପ୍ରତିଭା ଅଛି। ଏହାକୁ ପରିବାର ଲୋକ ଚିହ୍ନି ବାହାରକୁ ଆଣିପାରିବେ।

ସେହିପରି ଯୁବକ ଯୁବତୀମାନେ ନିଶାଖୋର ହୋଇ ଆତ୍ମହତ୍ୟା କରୁଛନ୍ତି। ତେଣୁ ଅଭିଭାବକ ପିଲାଙ୍କ ଉପରେ ନଜର ରଖନ୍ତୁ। ପିଲାଟିଏ କେଉଁ ବାଟରେ ପଇସା ଖର୍ଚ୍ଚ କରୁଛି ସେ ପ୍ରତି ଧ୍ୟାନ ଦିଅନ୍ତୁ। ନିଜର ମନର କଥାକୁ ଅନ୍ୟ ଆଗରେ କହିଲେ ବି ମଣିଷ ହାଲୁକା ଅନୁଭବ କରିଥାଏ। ତେଣୁ ଯିଏ ବି ଆପଣଙ୍କ ନିକଟତର ଲୋକ ତାଙ୍କ ସହିତ କଥା ହୁଅନ୍ତୁ। ନିଜ କଥା ବାଣ୍ଟନ୍ତୁ। ତାହେଲେ ଆମେ ଆତ୍ମହତ୍ୟା ମାନସିକତା ଦୂରେଇ ଦେଇପାରିବା।

ସେହିପରି ଯେଉଁମାନେ ବି ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି ସେମାନେ ପିକନିକ ଯାଇପାରିବେ। ଘରେ ମ୍ୟୁଜିକ ଲଗାଇ ଡ୍ୟାନ୍ସ କରିପାରିବେ। ମୋଟିଭେସନାଲ ଟକ୍‌ ମଧ୍ୟ ଅନେକାଂଶରେ ଡିପ୍ରେସନକୁ ଦୂର କରିଦେଇଥାଏ। ଏହା ମଧ୍ୟ ଆତ୍ମହତ୍ୟାକୁ ରୋକିବାର ଅନ୍ୟ ଏକ ମାଧ୍ୟମ।

ଏହାଛଡ଼ା ଜୀବନରେ ଘଟୁଥବା ପ୍ରତ୍ୟେକ ଘଟଣାକୁ ସକରାତ୍ମକ ଭାବେ ନିଅନ୍ତୁ। ସମସ୍ୟାରୁ ଦୂରେଇ ନଯାଇ ବରଂ ତାକୁ ସାମ୍ନା କରନ୍ତୁ। ଦେଖିବେ ବଡ଼ରୁ ବଡ଼ ଅସୁବିଧା ବି ଆପଣଙ୍କୁ ଛୋଟ ଅନୁଭବ ହେବ। ଯଦି ଆପଣ ସବୁବେଳେ ସମସ୍ୟାଠାରୁ  ଦୂରେଇ ରହିବାକୁ ଚେଷ୍ଟା କରିବେ ତେବେ ସମସ୍ୟା ଆପଣଙ୍କ ପଛା କେବେ ଛାଡ଼ିବ ନାହିଁ।

ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ଦରକାର

ବେଳେ ବେଳେ ଦେଖାଯାଉଛି ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ସେମାନଙ୍କ  ପାଖରେ ସବୁ କିଛି ରହିଛି ତାହେଲେ ସେମାନେ ଆତ୍ମହତ୍ୟା କାହିଁକି କରୁଛନ୍ତି? ଏ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ। ତେବେ ଏହାର କାରଣ ହେଲା, ସେମାନେ ନିଜ ବ୍ୟକ୍ତିଗତ  ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ରଖିପାରନ୍ତିନି। ତେଣୁ ଏହାଦ୍ୱାରା ସେମାନେ ଡିପ୍ରେସନ ହୋଇ ଆତ୍ମହତ୍ୟା କରନ୍ତି।

Comment