ଓଡ଼ିଶାଲାଇଭ୍‌ ବ୍ୟୁରୋ

କିମ୍ଵଦନ୍ତୀ କଳାକାର ସ୍ଵର୍ଗତ ବିଜୟ ମହାନ୍ତିଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ଓଡ଼ିଶାଲାଇଭ୍ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି।

ନାୟକ, ଖଳନାୟକ, ହାସ୍ୟ ଅଭିନେତା ସବୁପ୍ରକାର ଭୂମିକାରେ ଫିଟ୍ ହୋଇପାରୁଥିବା ଅଭିନେତା ଥିଲେ ବିଜୟ ମହାନ୍ତି। ତାଙ୍କର ନିଖୁଣ ଅଭିନୟ ପ୍ରତିଟି ଚରିତ୍ରକୁ କରିଥିଲା ଜୀବନ୍ତ। କୋଟି କୋଟି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିବା ବିଜୟଙ୍କ ପରଲୋକକୁ ଆଜି ଦୁଇ ବର୍ଷ ପୂରିଛି ସତ ହେଲେ ତାଙ୍କ ଅଭିନୟ ମାଧ୍ୟମରେ ସେ ଆଜିବି ପ୍ରତିଟି ଓଡ଼ିଆ ଦର୍ଶକଙ୍କ ପାଖରେ ଜୀବିତ।

୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁରେ ଜନ୍ମ ହୋଇଥିବା ବିଜୟ ଯେ ଦିନେ ଏତେ ବଡ଼ କଳାକାର ହୋଇ ବାହାରିବେ ତାହା କେହି କେବେ କଳ୍ପନା କରିନଥିଲେ। କିନ୍ତୁ ବିଜୟଙ୍କ ଭିତରେ ଥିବା ପ୍ରତିଭା ତାଙ୍କୁ ଜଣେ ସଫଳ କଳାକାର ଭାବେ ପ୍ରତିଷ୍ଠିତ କରାଇପାରିଲା।

ଜନ୍ମ କେନ୍ଦ୍ରପଡ଼ାରେ ହୋଇଥିଲେ ମଧ୍ୟ ବିଜୟଙ୍କ ପିଲାବେଳେ କଟିଥିଲା ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ। ମହାରାଜା ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲରେ ବିଜୟ ପାଠ ପଢୁଥିଲେ। ସ୍କୁଲ ଜୀବନରୁ ହିଁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇସାରିଥିଲା। ସ୍କୁଲର ବିଭିନ୍ନ ମଞ୍ଚ ନାଟକରେ ସେ ସାମିଲ ହେଉଥିଲେ। ପିଲାଟି ବେଳୁ ବିଜୟଙ୍କର ଏହି ଅଭିନୟ ନିଶା ତାଙ୍କୁ ଟାଣି ନେଇଥିଲା ନାସନାଲ ସ୍କୁଲ ଅଫ୍ ଡ୍ରାମାକୁ (ଏନ୍‌ଏସ୍‌ଡି)। ଗ୍ରାଜୁଏସନ ପରେ ସେ ଦିଲ୍ଲୀ ଯାଇ ଏନ୍‌ଏସ୍‌ଡିରୁ ଅଭିନୟ ଶିକ୍ଷା ଆରମ୍ଭ କରିଥିଲେ।

ଅଭିନୟ ଯାତ୍ରା

ଏନ୍‌ଏସ୍‌ଡିରୁ ପାଠପଢ଼ା ଶେଷ ହେବା ପରେ ୧୯୭୫ରେ ବିଜୟ ମହାନ୍ତି ଓଡ଼ିଶା ଫେରିଥିଲେ। ପିଲାଟି ବେଳୁ ମଞ୍ଚକୁ ଭଲ ପାଉଥିବା ବିଜୟ ଓଡ଼ିଶା ଫେରିବା ପରେ ପ୍ରଥମେ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ୧୯୭୭ ମସିହାରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଏହିଠାରୁ ହିଁ ତାଙ୍କର ସିନେମା ଦୁନିଆରେ ପାଦ ପଡ଼ିଥିଲା। ସିନେ ଦୁନିଆରେ କ୍ୟାରିୟର ଆରମ୍ଭରୁ ତାଙ୍କ ଖଳନାୟକ ଭୂମିକା ମିଳିଥିଲା। ସବୁଠାରୁ ବଡ଼ କଥା ହେଉଛି ବିଜୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହିଠାରୁ ଓଡ଼ିଆ ସିନେମା ଜଗତରେ ଏକ ନୂଆ କଳାକାରଙ୍କର ଜନ୍ମ ହୋଇଥିଲା। ଲଗାତାର ବିଭିନ୍ନ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନରେ ଛାଇ ଗଲେ ବିଜୟ।

ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକା ଆଖି ସବୁ ଦେଖୁଛି ଭଳି ଏକାଧିକ ହିଟ୍ ଫିଲ୍ମରେ ବିଜୟଙ୍କର ପ୍ରଭାବଶାଳୀ ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା।

ଆରତୀ, ମମତା, ଏଇ ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଲକ୍ଷ୍ମଣ ରେଖା ପ୍ରଭୃତି ୧୮୦ରୁ ଅଧିକ ଫିଲ୍ମରେ ରହିଛି ବିଜୟଙ୍କର ନିଖୁଣ ଅଭିନୟର ଝଲକ୍। ଅଭିନୟ କରିବା ସହିତ ବିଜୟ ମହାନ୍ତି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ହେଉଛି ‘ଭୁଲି ହୁଏନା’।

ଅଭିନୟ, ନିର୍ଦ୍ଦେଶନା ବାଦ୍ ବିଜୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ୧୯୭୭ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଅଧ୍ୟାପକ ଭାବରେ ସେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଏଠାକାର ଅଧ୍ୟକ୍ଷ ମଧ୍ୟ ରହିଥିଲେ। ତାଙ୍କ ଉଦ୍ୟମରେ ବାରିପଦାରେ ‘ଯୁଗେଚ୍ଛା’ ନାମରେ ଏକ ନାଟ୍ୟଦଳ ଗଢ଼ି ଉଠିଥିଲା। ସେ ଦୂରଦର୍ଶନର ଆଶାର ଆଲୋକ, ଶ୍ରୀଜଗନ୍ନାଥ, ସୁଭଦ୍ରା, ସାରା ଆକାଶ, ସମୟ ଚକ, ସକାଳର ଅପେକ୍ଷାରେ, ନଦେଖିଲା ଲୋକ ଦେଖ, ମହାଯଜ୍ଞ, ବିଧାତାର ଖେଳ ପ୍ରଭୃତି ଧାରାବାହିକରେ ମଧ୍ୟ ସେ ଅଭିନୟ କରିଥିଲେ।ପୁରସ୍କାର ଓ ସମ୍ମାନ

ଅଭିନୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ୨୦୧୪ରେ ଜୟଦେବ ସମ୍ମାନରେ ସମ୍ମାନୀତ ହୋଇଥିଲେ ବିଜୟ ମହାନ୍ତି। ଏହାବ୍ୟତୀତ ସେ ୬ରୁ ଅଧିକ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ସେହିପରି କଳା ସଂସ୍କୃତି କ୍ଷେତ୍ରକୁ ତାଙ୍କର କାଳଜୟୀ ଅବଦାନ ନିମେନ୍ତ ତାଙ୍କୁ ଜାତୀୟ ପୁରସ୍କାର, ଓଡ଼ିଶା ସିନେ କ୍ରିଟିକ ସମ୍ମାନ ଆଦିରେ ସେ ସମ୍ମାନୀତ କରାଯାଇଛି।

ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିବାହ କରିଥିଲେ ବିଜୟ। ଦୁହେଁ ଏକାଧିକ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି। ତାଙ୍କ ଯୋଡ଼ି ଓଲିଉଡରେ ଏକ ସଫଳ ଯୋଡ଼ି ଭାବେ ପରିଚୟ ସୃଷ୍ଟି କରିଥିଲା।ରାଜନୀତିରେ ଭାଗ୍ୟ ପରୀକ୍ଷା

ଅଭିନୟ ବ୍ୟତୀତ ରାଜନୀତିରେ ମଧ୍ୟ ଭାଗ୍ୟ ପରୀକ୍ଷା କରିଥିଲେ ବିଜୟ। ୨୦୧୪ରେ ସେ କଂଗ୍ରେସରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ଛିଡ଼ା ହୋଇଥିଲେ। ମାତ୍ର ଏଥିରେ ସେ ପରାଜିତ ହୋଇଥିଲେ। ଏହାପରେ ସେ ରାଜନୀତିରୁ ଦୂରେଇ ଯାଇ ପୁଣି ଅଭିନୟରେ ମନ ବଳାଇଥିଲେ।

ଓଡ଼ିଶା ସିନେ ଜଗତର ଜଣେ କିମ୍ଵଦନ୍ତୀ କଳାକାର ଥିଲେ ବିଜୟ ମହାନ୍ତି। ତାଙ୍କ ଅଭିନୟର ଯାଦୁ ସବୁବେଳେ ଦର୍ଶକଙ୍କୁ ସିନେମା ସହ ବାନ୍ଧି ରଖିଥାଏ। ସଶରୀରେ ବିଜୟ ମହାନ୍ତି ଆଉ ନାହାନ୍ତି ସତ, ହେଲେ ତାଙ୍କ ଅଭିନୟ ପାଇଁ ସେ ଚିରଦିନ ଦର୍ଶକଙ୍କ ମନରେ ଅମର ହୋଇ ରହିବେ।

Tags: #BijayMohanty #Ollywood #OdiaCinema #NSD #ବିଜୟମହାନ୍ତି #ଅଭିନୟ #ଓଡ଼ିଶାସିନେଜଗତ

Comment