ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ୍ ଷ୍ଟାର ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ଆଉ ବିଚ୍ ରାସ୍ତାରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ପ୍ରକୃତିଙ୍କୁ ପିଟିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ରାଜଧାନୀ ଭୁବନେଶ୍ଵରରେ ଶନିବାର ଘଟିଥିବା ଏହି ହାଇଡ୍ରାମା ପରେ ଏବେ ଦୁଇ ‘ଷ୍ଟାର୍’ ପରିବାରଙ୍କ କଳି ଥାନାରେ ପହଞ୍ଚିଛି।ଘଟଣାର ଆରମ୍ଭ

ଶନିବାର ସକାଳେ ଭୁବନେଶ୍ଵର ସତ୍ୟନଗର ଅଞ୍ଚଳରେ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଗୋଟିଏ କାର୍‌ରେ ଥିଲେ। ଏହି ସମୟରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଆସି ପ୍ରଥମେ ବାବୁସାନଙ୍କୁ ଟଣାଓଟରା କରି କାର୍ ଭିତରୁ ବାହାରିବାକୁ କହିଥିଲେ। ପରେ ସେ ପ୍ରକୃତିଙ୍କ ଚୁଟିକୁ ଧରି ମଧ୍ୟ ଟଣାଓଟରା କରିଥିଲେ। ଏହାପରେ ପ୍ରକୃତି କାର୍‌ରୁ ବାହାରି ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଥିବା ବେଳେ ତୃପ୍ତି ତାଙ୍କୁ ମାଡ଼ ମାରିବା ସହ ‘ଇଏ ମୋ ପରିବାର ଭାଙ୍ଗୁଛି’ ବୋଲି ବାରମ୍ଵାର କହୁଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବାବୁସାନ ଏବଂ ପ୍ରକୃତିଙ୍କ ସମ୍ପର୍କକୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସିଥିଲା। ଘଟଣାକୁ ନେଇ ଉଭୟ ପକ୍ଷରୁ ବୟାନବାଜି ସହ ଥାନାରେ ଏତଲା ପର୍ଯ୍ୟନ୍ତ କଥା ଯାଇଛି।

 

View this post on Instagram

 

A post shared by prakrutimishra (@prakrutimishra)

ମାନସିକ ଏବଂ ଶାରିରୀକ ଭାବେ ମତେ ହାରାସ୍ କରିଛନ୍ତି ତୃପ୍ତି: ପ୍ରକୃତି

ଭୁବନେଶ୍ଵରରେ ଆଜି ଘଟିଥିବା ହାଇ ଡ୍ରାମା ପରେ ପ୍ରକୃତି ମିଶ୍ର ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି, “ଏକ ପିଲ୍ମର ପ୍ରମୋସନ ପାଇଁ ମୁଁ ଏବ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇ ବାହାରିଥିଲୁ। ସେହି ସମୟରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ କିଛି ଗୁଣ୍ଡାମାନଙ୍କୁ ଧରି ବାବୁସାନଙ୍କ ନିର୍ଯ୍ୟାତନା ଦେବା ସହ ମୋତେ ଅତର୍କିତ ଭାବରେ ଶାରିରୀକ ଏବଂ ମାନସିକ ଆଘାତ ଦେଇଛନ୍ତି। ତୃପ୍ତିଙ୍କର ଏଭଳି ବ୍ୟବହାର ମୋ ପକ୍ଷେ ଆଦୌ ଗ୍ରହଣୀୟ ନୁହେଁ। ମୁଁ ନିଶ୍ଚିତ ଯେ, ମୁଁ ଠିକ୍ ବାଟରେ ଅଛି। ଆଇନ ଉପରେ ମୋ ଭରସା ଅଛି।”

ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଖରାପ ସମ୍ପର୍କ ରହିଛି ବୋଲି ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି। ବାରମ୍ଵାର ଦୁହିଁଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବା ପରେ ଶେଷକୁ ରାସ୍ତା ଉପରେ ପ୍ରକୃତିଙ୍କୁ ତୃପ୍ତି ମାଡ଼ ମାରିଥିବା କଥାକୁ ତୃପ୍ତିଙ୍କ ମାଉସୀ ସ୍ଵୀକାର କରିଛନ୍ତି। ଏହି ଘଟଣା ପରେ ଷ୍ଟାର୍ ପରିବାରର ଏ କଳିରେ ନୂଆ ନୂଆ ମୋଡ଼ ଆସିବାରେ ଲାଗିଛି।ପ୍ରକୃତି ମୋର ଭଲ ସାଙ୍ଗ: ବାବୁସାନ

ଗୋଟିଏ ପଟେ ବାବୁସାନ ଏବଂ ପ୍ରକୃତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ନେଇ ତାଙ୍କ ପତ୍ନୀ ଅଭିଯୋଗ କରିଥିବା ବେଳେ ଏ କଥାକୁ ଖଣ୍‍ନ କରିଛନ୍ତି ବାବୁସାନ। ପ୍ରକୃତି ମୋ ଭଲ ସାଙ୍ଗ ବୋଲି ବାବୁସାନ କହିଛନ୍ତି। ଏହାସହ ଆଜିର ହାଇ ଡ୍ରାମା ଘଟଣା ବାବଦରେ ପ୍ରତିକ୍ରିୟା ଦେଇ ବାବୁସାନ କହିଛନ୍ତି ଯେ, ମୁଁ ପିଲ୍ମ ଦୁନିଆରେ ଅଛି। ପ୍ରତିଦିନ କେତେ ହିରୋଇନମାନଙ୍କ ସହ ମୋର ବସିବା ହୁଏ। ପ୍ରକୃତି ମୋର ପିଲା ବେଳର ଭଲ ବନ୍ଧୁ। ତେଣୁ ତାଙ୍କ ସାଙ୍ଗରେ କଥା ହେବା ବସା ଉଠା କରିବାରେ ଭୁଲ କିଛି ନାହିଁ। ହେଲେ ମୋ ପତ୍ନୀ ପିଲ୍ମ ଦୁନିଆରୁ ନୁହଁନ୍ତି। ସେ ମୋ ପେସା ବିଷୟରେ ଜାଣି ନାହାନ୍ତି। ତେଣୁ ପ୍ରକୃତି ଆଉ ମୋ ସମ୍ପର୍କକୁ ନେଇ ତାଙ୍କର ଭୁଲ ବୁଝାମଣା ହୋଇଛି।ବାବୁସାନଙ୍କୁ ବାରମ୍ଵାର ବ୍ଲାକମେଲ୍ କରୁଥିଲେ ପ୍ରକୃତି: ତୃପ୍ତି

ସମୟ ଗଡ଼ିବା ସହ ବାବୁସାନ ଏବଂ ପ୍ରକୃତିଙ୍କ ସମ୍ପର୍କକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି। ଉଭୟଙ୍କ ସମ୍ପର୍କର ଆରମ୍ଭ, ବାବୁସାନଙ୍କୁ ନିଶା ଦେଇ କବଳିତ କରି ପ୍ରକୃତି କିଭଳି ତାଙ୍କୁ ବାରମ୍ଵାର ବ୍ଲାକମେଲ୍ କରୁଥିଲେ ସେ ନେଇ ମୁହଁ ଖୋଲିଛନ୍ତି ତୃପ୍ତି। ସେ କହିଛନ୍ତି, “୨୦୨୦ କୋଭିଡ୍ ସମୟରେ ବାବୁସାନ ଏବଂ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ସେହିବର୍ଷ ସେପ୍ଟେମ୍ଵର ମାସରେ ଉଭୟଙ୍କ ସମ୍ପର୍କ ନେଇ ମୁଁ ପ୍ରଥମେ ଜାଣିଥିଲି। ଏହାପରେ ମୁଁ ବାବୁସାନଙ୍କୁ ବୁଝାଇଥିଲି। ହେଲେ ସେତେବେଳେକୁ ପ୍ରକୃତି ବାବୁସାନଙ୍କୁ ବିଭିନ୍ନ ନିଶାଦ୍ରବ୍ୟ ସେବନ କରାଇ ପୂର୍ଣ୍ଣ ରୂପେ କବଳିତ କରିଦେଇଥିଲେ। ଏପରିକି ସେ ବାବୁଙ୍କୁ ନପାଇଲେ ସେ ହାତ କାଟିଦେବେ କିମ୍ଵା ତାଙ୍କର ଯଦି କିଛି ହେଇଯାଏ, ସେଥିପାଇଁ ବାବୁସାନ ଦାୟୀ ରହିବେ ବୋଲି ପ୍ରକୃତି ବାରମ୍ଵାର ବାବୁସାନଙ୍କୁ ବ୍ଲାକମେଲ୍ କରୁଥିଲେ। ଏତେ ସବୁ ସହିଲା ପରେ ବି ମୁଁ ସେମାନଙ୍କୁ ବୁଝାଇଥିଲି। ହେଲେ ଆଜି ସବୁ ସୀମା ପାର୍ ହେବା ପରେ ମୁଁ ଏହି ପଦକ୍ଷେପ ନେବାକୁ ବାଧ୍ୟ ହେଲି।”

ଉଭୟ ପକ୍ଷରୁ ଥାନାରେ ଏତଲା

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାରିବା ଘଟଣା ପରେ ପ୍ରକୃତିଙ୍କ ପରିବାର ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଶନିବାର ଅପରାହ୍‌ଣରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଏବଂ ମା’ କୃଷ୍ଣପ୍ରିୟା ମିଶ୍ର ଖାରବେଳନଗର ଥାନାରେ ଏକ ଏତଲା ଦେଇଛନ୍ତି। ତୃପ୍ତିଙ୍କ ବାପା ଲଳିତ ମହାପାତ୍ରଙ୍କ ନାଁରେ ଏତଲା ଦେଇଥିବା ମନ୍ମଥ ମିଶ୍ର କହିଛନ୍ତି। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ମଥ ମିଶ୍ର କହିଛନ୍ତି, “ପ୍ରକୃତି ଏବଂ ବାବୁସାନ ସିନେମା ଦୁନିଆର ପରିଚିତ ମୁହଁ। ସେମାନେ ଏକାଠି ମିଶି କାମ କରନ୍ତି। ହେଲେ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଆସିବା ପରେ ମୁଁ ଝିଅକୁ ଏନେଇ ପଚାରିଥିଲି। ଉଭୟଙ୍କ ମଧ୍ୟରେ ପିୟୋର ପ୍ରେଣ୍ଡସିପ୍ ରହିଥିବା ଝିଅ ମତେ କହିଛି। ମୋ ଝିଅ ଉପରେ ମୋର ପୂରା ବିଶ୍ଵାସ ଅଛି।”

ଗୋଟିଏ ପଟେ ତୃପ୍ତିଙ୍କ ପରିବାର ନାଁରେ ପ୍ରକୃତିଙ୍କ ପରିବାର ଏତଲା ଦେବା ପରେ ବୋହୂ ତୃପ୍ତିଙ୍କୁ ନେଇ ସମାନ ଖାରବେଳନଗର ଥାନାରେ ହାଜର ହୋଇଥିଲେ ଅପରାଜିତା ମହାନ୍ତି। ଏହାପରେ ପ୍ରକୃତିଙ୍କ ନାଁରେ ଏତଲା ଦେଇଛନ୍ତି ତୃପ୍ତି। ଉଭୟ ପକ୍ଷର ଏତଲା ପରେ ଖାରବେଳନଗର ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ଅରୁଣ ସ୍ଵାଇଁ ସୂଚନା ଦେଇଛନ୍ତି।

ପ୍ରକୃତିଙ୍କ ନାଁରେ ତୃପ୍ତି ପାଲଟା ଅଭିଯୋଗ କରିବା ପରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ପୁଣି କହିଛନ୍ତି ଯେ, ପ୍ରକୃତି ଏବଂ ବାବୁସାନଙ୍କ ମଧ୍ୟରେ ବନ୍ଧୁତ୍ଵ ସମ୍ପର୍କ ରହିଛି। ହେଲେ ତୃପ୍ତି, ପ୍ରକୃତିଙ୍କୁ ଆକ୍ରମଣ କରି ଆଇନ ହାତକୁ ନେଇଛନ୍ତି।

ଅନ୍ୟପକ୍ଷେ ଟିକି ଅପା (ଅପରାଜିତା) ତାଙ୍କ ପୁଅ ବାବୁସାନଙ୍କୁ ବୁଝାନ୍ତୁ ବୋଲି ମନ୍ମଥ ମିଶ୍ର କହିଛନ୍ତି।ଆପଣା ସୁନା ତ ଭେଣ୍ଡି, କହିବା କାହାକୁ: ଉତ୍ତମ ମହାନ୍ତି

ଷ୍ଟାର୍ ପରିବାରରେ ସୃଷ୍ଟି ହୋଇଥିବା ଏହି କଳିରେ ମୁହଁ ଖୋଲିଛନ୍ତି ବାବୁସାନଙ୍କ ବାପା ଉତ୍ତମ ମହାନ୍ତି। ଅପରାଜିତାଙ୍କ ଭଳି ସେ ମଧ୍ୟ ବୋହୂ ତୃପ୍ତିଙ୍କ ସପକ୍ଷରେ ଯାଇଛନ୍ତି। ସେ କହିଛନ୍ତି, “ମୋ ବୋହୂ ତୃପ୍ତି ବହୁତ ଭଲ। ବାବୁସାନ ଓ ତୃପ୍ତି ପରସ୍ପରକୁ ବହୁତ ଭଲ ପାଆନ୍ତି। ପ୍ରକୃତି ସହ ବାବୁର ସମ୍ପର୍କକୁ ନେଇ ତୃପ୍ତି ପାଖରେ ପ୍ରମାଣ ଥାଇପାରେ। ତେଣୁ ବାବୁସାନକୁ ମୁଁ ଅନେକ ଥର ବୁଝାଇଛି, ପ୍ରକୃତିକୁ ଛାଡ଼ି ଦେବାକୁ। ବାବୁ ମୋତେ କହିଥିଲା; ପ୍ରକୃତି ମୁମ୍ବାଇ ଚାଲିଯିବ, ମୁଁ ଏଠି କାମ କରିବି। ହେଲେ ଆପଣା ସୁନା ତ ଭେଣ୍ଡି, କାହାକୁ କହିବା।”

Comment