ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷକ ନିଯୁକ୍ତି ଘୋଟାଲାରେ ଛନ୍ଦି ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ସହଯୋଗୀ ଅର୍ପିତା ମୁଖର୍ଜୀଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖର୍ଜୀଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ନୂଆ କଥା ସାମ୍ନାକୁ ଆସୁଛି। ଇଡି ଅର୍ପିତା ମୁଖର୍ଜୀଙ୍କ ଘରେ ଚଢ଼ଉ କରି ବର୍ତ୍ତମାନ ସୁଦ୍ଧା ୫୦ କୋଟି ଟଙ୍କା ଏବଂ ପ୍ରାୟ ୮ କେଜି ସୁନା ଜବତ କରିଛି। ଆହୁରି ଟଙ୍କା ଏବଂ ସୁନା ବାହାରିବ ବୋଲି ଆଶା ରଖିଛି ଇଡି।

ଆଜି ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି। ପାର୍ଥ ଚାଟାର୍ଜୀ ଜମା କରିଥିବା ଭଣ୍ଡାର ସମ୍ପର୍କରେ ସୂଚନା ମିଳିଛି। ଶିକ୍ଷକ ନିଯୁକ୍ତି ଘୋଟାଲା ସାମ୍ନାକୁ ଆସିବା ପରେ ଏହା ଉପରୁ ଏବେ ଧୀରେ ଧୀରେ ପରଦା ହଟୁଛି। ୧୧ ବର୍ଷ ପୂବେ ପାର୍ଥ ଚାଟାର୍ଜୀଙ୍କ ପାଖରେ ମାତ୍ର ୬,୩୦୦ ଟଙ୍କା ଥିବାବେଳେ ଏବେ କୋଟି କୋଟି ଟଙ୍କାର ମାଲିକ ପାଲଟିଛନ୍ତି ସେ।

ବର୍ତ୍ତମାନ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାରେ ପଶ୍ଚିମବଙ୍ଗର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଛନ୍ତି। ୧୧ ବର୍ଷ ପୂର୍ବେ ମାତ୍ର ୬,୩୦୦ ଟଙ୍କାର ମାଲିକ ଥିବା ପାର୍ଥ ଚାଟାର୍ଜୀ ଏବେ କୋଟି କୋଟି ଟଙ୍କାର ମାଲିକ ପାଲଟି ଯାଇଛନ୍ତି। ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିଥିବା ସମ୍ପତ୍ତି ତାଲିକାରୁ ଏହା ଜଣାପଡ଼ିଛି। ୨୦୨୧ ମସିହା ବିଧାନସଭା ନିର୍ବାଚନ ସମୟରେ ପାର୍ଥ ଚାଟାର୍ଜୀଙ୍କ ପାଖରେ ନଗଦ ୧,୪୮,୬୭୬ ଟଙ୍କା ଥିବା ନିର୍ବାଚନ ଆୟୋଗକୁ କହିଥିଲେ।

ଶିକ୍ଷକ ନିଯୁକ୍ତି ଘୋଟାଲାରେ ପାର୍ଥ ଚାଟାର୍ଜୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାକୁ ଲାଗିଛି। ପ୍ରଥମେ ଗିରଫ ଏବଂ ପରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଛନ୍ତି ପାର୍ଥ ଚାଟାର୍ଜୀ।

ଗୁମର ଖୋଲିଲେ ଅର୍ପିତା

ଶିକ୍ଷକ ନିଯୁକ୍ତି ଘୋଟାଲାରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯିବା ପରେ ତାଙ୍କ ଘନିଷ୍ଠ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖର୍ଜୀଙ୍କ ଫ୍ଲାଟରେ ଚଢ଼ଉ କରିଥିଲା ଇଡି। ଗତ ୨୩ ତାରିଖରେ ଅର୍ପିତାଙ୍କ ଫ୍ଲାଟରେ ଚଢ଼ଉ ସମୟରେ ୨୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିବା ପରେ ଅର୍ପିତାଙ୍କୁ ଗିରଫ କରିଥିଲା ଇଡି। ଏହା ପରେ ଅର୍ପିତାଙ୍କୁ ଜେରା କରାଯାଇଥିଲା। ପଚରାଉଚୁରା ସମୟରେ ଜବତ ହୋଇଥିବା ସମସ୍ତ ଟଙ୍କା ପାର୍ଥ ଚାଟାର୍ଜୀଙ୍କର ବୋଲି କହିଥିଲେ ଅର୍ପିତା।

ପାର୍ଥ ଚାଟାର୍ଜୀ ଏହି ଟଙ୍କାକୁ ରଖିବା ଲାଗି ଅର୍ପିତାଙ୍କୁ ଦେଇଥିବା ସେ କହିଥିଲେ। ଏହା ପରେ ବୁଧବାର ଦିନ ଇଡି ଅର୍ପିତାଙ୍କର ଆଉ ଏକ ଫ୍ଲାଟରେ ଚଢ଼ଉ କରିଥିଲା। ଫ୍ଲାଟରୁ ନଗଦ ୨୭ କୋଟି ୯୦ ଲକ୍ଷ ଟଙ୍କା, ୬ କେଜି ସୁନା କଙ୍କଣ ଏବଂ ୩ କେଜି ସୁନା ବିସ୍କୁଟ, ସୁନାର ବିସ୍କୁଟ ଆଦି ଜବତ କରିଥିଲେ ଇଡି ଟିମ। ଟଏଲେଟରେ ଲୁଚାଇ ରଖାଯାଇଥିଲା ସୁନା ବକ୍ସ।

କେମିତି ଇଡି ପଞ୍ଜାରେ ଫସିଲେ ଅର୍ପିତା?

ପଞ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ହୋଇଥିବା ଘୋଟାଲାକୁ ନେଇ ଅଭିଯୋଗ ହେବା ପରେ ଚଳିତ ବର୍ଷ ମେ’ ମାସରେ ତଦନ୍ତ ଆରମ୍ଭ କରିଥିଲା ଇଡି। ଏଥିରେ ପଶ୍ଚିମବଙ୍ଗର ଉଦ୍ୟୋଗ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କ ବାସଭବନ ସହ ୧୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଇଡି। ଏହି ଚଢ଼ଉ ସମୟରେ ପାର୍ଥ ଚାଟାର୍ଜୀଙ୍କ ଘରୁ ଅର୍ପିତା ମୁଖର୍ଜୀଙ୍କ ପ୍ରପର୍ଟିର କିଛି କାଗଜପତ୍ର ଇଡିର ହସ୍ତଗତ ହୋଇଥିଲା।

ଏହା ପରେ ଅର୍ପିତାଙ୍କ ସହ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କକୁ ନେଇ ଇଡି ପ୍ରଶ୍ନ କରିବାରୁ ସନ୍ତୋଷଜନକ ଉତ୍ତର ଦେଇନଥିଲେ ପାର୍ଥ। ଏହା ପରେ ଇଡିର ରାଡାର ଭିତରକୁ ଆସିଥିଲେ ଅର୍ପିତା ମୁଖର୍ଜୀ। ଅତର୍କିତ ଭାବେ ଜୁଲାଇ ୨୩ ତାରିଖରେ ଅର୍ପିତାଙ୍କ ଘରେ ଚଢ଼ଉ କରିଥିବା ଇଡ଼ି। ଚଢ଼ଉ ବେଳେ ଅର୍ପିତାଙ୍କ ଘରେ ପୁଳା ପୁଳା ଟଙ୍କା ଦେଖି ତାଜୁବ ହୋଇଯାଇଥିଲେ ଇଡିର ପୁରା ଟିମ। ଏହି ସମୟରେ ତାଙ୍କ ଘରୁ ୨୧ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା।

ଅର୍ପିତା ଜଣେ ମଡେଲ ସହ ଜଣେ ଅଭିନେତ୍ରୀ ମଧ୍ୟ। ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଅନେକ ସିନେମାରେ ଅଭିନୟ କରିଛନ୍ତି ଅର୍ପିତା ମୁଖର୍ଜୀ। ଏହା ସହିତ ଅର୍ପିତା ପାର୍ଥ ଚାଟାର୍ଜୀଙ୍କର ଦୁର୍ଗା ପୂଜାରେ ବ୍ରାଣ୍ଡ ଆମ୍ବାସାଡର ଥିଲେ।

ଏପର୍ଯ୍ୟନ୍ତ ମିଳିଛି ୫୦ କୋଟି, ଆହୁରି ବାହାରିବା ସମ୍ଭାବନା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ପିତା ମୁଖର୍ଜୀଙ୍କର ଗୋଟିଏ ପରେ ଗୋଟି ଫ୍ଲାଟରେ ଚଢ଼ଉ କରି ୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି। କେବଳ ଟଙ୍କା ନୁହେଁ କେଜି କେଜି ସୁନା, ୨୦ରୁ ଅଧିକ ମୋବାଇଲ ଏବଂ ଅନେକ ପ୍ରପର୍ଟିର କାଗଜପତ୍ର ଜବତ କରିଛି ଇଡି। ବୁଧବାର ଦିନ ଇଡି ଟିମ ଚଢ଼ଉ ବେଳେ ଅର୍ପିତାଙ୍କ ଅନ୍ୟ ଏକ ଫ୍ଲାଟରୁ ନଗଦ ୨୭ କୋଟି ୯୦ ଲକ୍ଷ ଟଙ୍କା, ୬ କେଜି ସୁନା କଙ୍କଣ ଏବଂ ୩ କେଜି ସୁନା ବିସ୍କୁଟ, ସୁନାର ବିସ୍କୁଟ ଆଦି ଜବତ କରିଥିଲେ। ଜବତ ଟଙ୍କା ଗଣିବା ପାଇଁ ଟିମକୁ ଲାଗି ଯାଇଥିଲା ୮ରୁ ୧୦ ଘଣ୍ଟା ସମୟ।

ଇଡିର ଯାଞ୍ଚ ପରେ ଅର୍ପିତାଙ୍କର ୪ ଦାମୀ ଗାଡ଼ି ଗାଏବ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଛନ୍ଦି ହୋଇଥିବା ଅର୍ପିତା ମୁଖର୍ଜୀଙ୍କ ଅଡ଼ୁଆ ବଢ଼ି ଚାଲିଛି। ଅର୍ପିତାଙ୍କର ଗୋଟିଏ ପରେ ଗୋଟିଏ ଘରେ ଚଢ଼ଉ କରି ଇଡି ଟିମ୍ କୋଟି କୋଟି ଟଙ୍କା ଜବତ କରିବା ସହ କେଜି କେଜି ସୁନା ଠାବ କରିଛି। ଇଡିର ଚଢ଼ଉ ପରେ ଅର୍ପିତାଙ୍କର ୪ଟି ଦାମୀ କାର୍ ଗାଏବ ହୋଇଯାଇଥିବା କୁହାଯାଉଛି। ଏହି କାର ମଧ୍ୟରୁ ଦୁଇଟି ଅର୍ପିତାଙ୍କ ନାଁରେ ରହିଛି। ଅର୍ପିତାଙ୍କୁ ତାଙ୍କ ଡାଇମଣ୍ଡ ସିଟି ଫ୍ଲାଟରୁ ଗିରଫ କରାଯିବା ପରଠାରୁ ଏହି କାରଗୁଡ଼ିକ ଗାଏବ ହୋଇଥିବା କୁହାଯାଉଛି।

ଗାଏବ ହୋଇଥିବା ଅର୍ପିତାଙ୍କର ଚାରିଟି କାର ଭିତରେ ଟଙ୍କା ଭର୍ତ୍ତି ହୋଇ ରହିଥିଲା ବୋଲି ଇଡି ପକ୍ଷରୁ କୁହାଯାଇଛି। ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଛି।

ପାର୍ଥ ଚାଟାର୍ଜୀଙ୍କ ଘରୁ ବି ଚୋରି

ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାର ମୁ୍ଖ୍ୟ ଅଭିଯୁକ୍ତ କୁହାଯାଉଥିବା ପାର୍ଥ ଚାଟାର୍ଜୀଙ୍କ ଫାର୍ମ ହାଉସରୁ ଚୋରି ହୋଇଥିବା ସୂଚନା ମିଳିଛି। ବେଗମପୁର ସ୍ଥିତି ପାର୍ଥ ଚାଟାର୍ଜୀଙ୍କ ଫାର୍ମ ହାଉସରୁ ଚୋରି ହୋଇଥିବା ଆଜି ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକ ପୋଲିସକୁ ଦେଇଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଚାରିଜଣ ପାର୍ଥ ଚାଟାର୍ଜୀଙ୍କ ଫାର୍ମ ହାଉସର ତାଲା ଭାଙ୍ଗିଥିଲେ। ଇଡି ତାଙ୍କ ଘରେ ଚଢ଼ଉ କରିଥିବା ଲୋକେ ଭାବି ନିଜ ନିଜ ଘରକୁ ଚାଲିଯାଇଥିଲେ। ପାର୍ଥ ଚାଟାର୍ଜୀଙ୍କ ଫାର୍ମ ହାଉସରୁ ଚୋରି ହୋଇଥିବା ଆଜି ଥାନାରେ ଅଭିଯୋଗ ହୋଇଛି। ପୋଲିସ୍ ଫାର୍ମ ହାଉସକୁ ଯାଇ ଯାଞ୍ଚ କରିଛି। ତାଙ୍କ ଘରୁ ଟଙ୍କା ଏବଂ କିଛି ଦରକାରି କାଗଜପତ୍ର ଚୋରି ହୋଇଥିବା ପୋଲିସ୍ ସୂଚନା ଦେଇଛି।

ଶିକ୍ଷକ ନିଯୁକ୍ତି ମାମଲାରେ ଇଡି ପକ୍ଷରୁ ତଦନ୍ତ ଜାରି ରହିଛି। ଅର୍ପିତାଙ୍କ ଘରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ କୋଟି ଟଙ୍କା ଜବତ କରାଯାଇଥିବାବେଳେ ଆହୁରି ଟଙ୍କା ବାହାରିବ ବୋଲି ଇଡି ଟିମ୍ କହିଛନ୍ତି।

Tags: #Crime #TeacheRecruitmentScam #ParthChaterjee #ArpitaMukherjee #EDRaid

Comment