ଓଡ଼ିଶାଲାଇଭ୍ ବ୍ୟୁରୋ

ନବର୍ନିାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶାର ବିଧାୟକ ଟିମ୍। ବୁଧବାର ଦିନ ବାଚସ୍ପତିଙ୍କ ସହ ଓଡ଼ିଶାର ୨୪ ଜଣ ବିଧାୟକ ରାଷ୍ଟ୍ରପତି ଭବନରେ ପହଞ୍ଚି ଓଡ଼ିଶା ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପୂର୍ବରୁ ଆଜି ପୂର୍ବାହ୍ନ ୧୦ଟାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭବନ ସମ୍ମିଳନୀ କକ୍ଷରେ ବିଧାୟକମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏହା ପରେ ସମସ୍ତେ ରାଇସିନା ଅଭିମୁଖେ ବାହାରିଥିଲେ।

ବାଚସ୍ପତିଙ୍କ ସହ ଓଡ଼ିଶା ବିଧାୟକ ଟିମ୍ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ଆତିଥ୍ୟ ପ୍ରଦାନ କରାଯାଇଥିଲା। ନବନିର୍ବାଚିତ ରାଷ୍ଟ୍ରପତି ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ଟିମ୍। ରାଷ୍ଟ୍ରପତିଙ୍କୁ ଭେଟି ଓଡ଼ିଶା ବିଧାନସଭା ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ଉପହାର ମଧ୍ୟ ଦେଇଥିଲେ ବିଧାୟକ ଟିମ୍।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇ ଓଡ଼ିଶାର ବିକାଶ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ସମ୍ବିଧାନର ପରିଧି ଭିତରେ ରହି ଯାହା ସମ୍ଭବ ସେ ଓଡ଼ିଶା ମାଟିର ବିକାଶ ଲାଗି ପଦକ୍ଷେପ ନେବେ ବୋଲି ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

ରାଷ୍ଟ୍ରପତିଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ପିନ୍ଧା ବସ୍ତ୍ର ଉପହାର

ଏହି ଅବସରରେ ରାଷ୍ଟ୍ରପତିଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥିଲେ ବାଚସ୍ପତି ଏବଂ ବିଧାୟକମାନେ। ଉପହାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁହାପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ, ପିନ୍ଧା ବସ୍ତ୍ର ଏବଂ ବିଭିନ୍ନ ଜିଲ୍ଲାର ସ୍ଵତନ୍ତ୍ର ଶାଢ଼ି ଭେଟି ଦିଆଯାଇ ଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ରାଷ୍ଟ୍ରପତି ଅତୀତର ସ୍ମୃତି ସବୁ ମନେ ପକାଇଥିଲେ। ତାଙ୍କର ଏହି ସଫଳତା ପାଇଁ ସ୍ଵତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଥିବା କହିଛନ୍ତି ବିଧାୟକ ଟିମ।

ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବା ପରେ ବାଚସ୍ପତି ଏବଂ ବିଧାୟକମାନେ ଏକାଠି ବସି ଫଟୋ ଉଠାଇଥିଲେ। ଏହା ସହ ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସ୍ଵତନ୍ତ୍ର ଫଟୋ ମଧ୍ୟ ଉଠାଇଥିଲେ। ପରେ ବାଚସ୍ପତି ଏବଂ ବିଧାୟକ ଟିମ୍ ରାଷ୍ଟ୍ରପତି ଭବନକୁ ବୁଲି ଦେଖିଥିଲେ।

ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ମଙ୍ଗଳବାର ଦିନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ଵରେ ବିଜେଡିର ୧୫ ଜଣ, ବିଜେପିର ୬ ଜଣ, କଂଗ୍ରେସର ୩ ଜଣ ଏବଂ ସିପିଆଇର ଜଣେ ବିଧାୟକ ଦିଲ୍ଲୀ ଗସ୍ତ କରିଥିଲେ।

Tags: #Politics #PresidentOfIndia #DraupadiMurmu #PoliticalLeaders

Comment