ଓଡ଼ିଶାଲାଇଭ୍ ବ୍ୟୁରୋ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ମହାନୀର ଜଳ ସ୍ତର ବଢ଼ିବା ସହ ଗୋଟି ଗୋଟି କରି ବର୍ତ୍ତମାନ ପର୍ଯ୍ୟନ୍ତ ହୀରକୁଦର ୩୦ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ରାଜ୍ୟର ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ରାଜଧାନୀ ଭୁବନେଶ୍ଵରରେ ସାମ୍ଭାବ୍ୟ ବନ୍ୟାର ମୁକାବିଲା ଲାଗି ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ଶନିବାର ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ବିଏମସି ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ କୁମାର ସାହୁ ଏବଂ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ଵରର ଯେଉଁ ସ୍ଥାନରେ ପାଣି ଜମିବ ସେଠାରେ ତୁରନ୍ତ ନିଷ୍କାସନ ବ୍ୟବସ୍ଥା କରାଯିବ। ବ୍ଲକେଜ ହେଲେ ତୁରନ୍ତ ଜେସିବି ଲଗାଇ ତାହା କଢ଼ାଯିବ। ଏହା ସହିତ ତଳିଆ ଅଞ୍ଚଳରେ ପାଣି ପଶି ଲୋକ ପ୍ରଭାବିତ ହେଲେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ବ୍ୟବସ୍ଥା କରାଯାଇଥିବା ମେୟର ସୁଲୋଚନା ଦାସ କହିଛନ୍ତି।

ଏହା ସହିତ ପ୍ରଭାବିତ ଲୋକଙ୍କୁ ପ୍ରନାନ୍ତର କରିବା ଲାଗି ଭୁବନେଶ୍ଵରର ତିନିଟି ଜୋନରେ ୩ଟି ଆଶ୍ରୟସ୍ଥଳ କରାଯାଇଛି। ସେଠାରେ ଲୋକଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ଏପଟେ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଢେଙ୍କାନାଳ ଜିଲ୍ଲା ପାଇଁ ୬ ଜଣ ଯନ୍ତ୍ରୀଙ୍କୁ ନିଯୁକ୍ତି କରାଯାଇଛି।

Tags: #FloodSituation #BMC #BMCMeeting #MayorSulochanaDas

Comment