ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀରେ ଜଳସ୍ତର ବଢ଼ୁଥିବାରୁ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯାଉଛି। ଆଜି ବନ୍ୟା ସ୍ଥିତିର ସମୀକ୍ଷା ପରେ ହୀରାକୁଦର ଆଉ ୧୪ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପର୍ଯ୍ୟାୟ କ୍ରମେ ଏହି ଗେଟଗୁଡ଼ିକୁ ଖୋଲାଯିବ। ବର୍ତ୍ତମାନ ହୀରାକୁଦର ୧୦ଟି ଗେଟ ଖୋଲାଯାଇଛି। ୩୬ଟି ଗେଟ ଦେଇ ଏବେ ଜଳ ନିଷ୍କାସିତ ହେଉଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି।

ଉପର ମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବାରୁ ପୂର୍ବରୁ ୩୪ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଥିଲା। କିନ୍ତୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ନିଷ୍ପତ୍ତି କ୍ରମେ ଗତକାଲି ୮ଟି ଗେଟ ବନ୍ଦ କରାଯାଇଥିଲା। ମୋଟ ୨୬ଟି ଗେଟରେ ପାଣି ଛଡ଼ାଯାଉଥିଲା। ଆଜି ଆଉ ୧୦ଟି ଗେଟ ଖୋଲାଯିବା ପରେ ବର୍ତ୍ତମାନ ୩୬ଟି ଗେଟରେ ଜଳ ନିଷ୍କାସନ କରାଯାଉଛି। ଆଜି ରାତି ସୁଦ୍ଧା ବାକି ଗେଟ ଖୋଲାଯିବ। ହୀରାକୁଦର ମୋଟ ୪୦ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯିବ ବୋଲି ବିଜୟ ମିଶ୍ର କହିଛନ୍ତି।

ବର୍ତ୍ତମାନ ହୀରାକୁଦକୁ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ ଜଳ ଛଡ଼ାଯାଉଛି। ଏବେ ହୀରାକୁଦର ଜଳସ୍ତର ୬୨୬.୫ ଟପିଛି ବୋଲି ବିଜୟ ମିଶ୍ର କହିଛନ୍ତି। ଆଗକୁ ପରିସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Tags: #HirakudGate #WaterLevel #FloodSituation #FloodInOdisha #Flood

Comment