ଓଡ଼ିଶାଲାଇଭ୍ ବ୍ୟୁରୋ

ହୀରାକୁଦର ବନ୍ୟାଜଳ କେଉଁ କେଉଁ ବାଟ ଦେଇ ମହାନଦୀର ତଳମୁଣ୍ଡରେ ପହଞ୍ଚିଥାଏ ଜାଣନ୍ତୁ…

ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଓଡ଼ିଶାରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହୀରାକୁଦରେ ଜଳସ୍ତର ବଢ଼ିବା ପରେ ଏକାଧିକ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏହି ବନ୍ୟାଜଳ ମହାନଦୀ ଏବଂ ଏହାର କିଛି ଶାଖାନଦୀ ଦେଇ କଟକ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିଥାଏ। ଏହିଠାରୁ ବନ୍ୟାଜଳ ଉପକୂଳବର୍ତ୍ତୀ କିଛି ଜିଲ୍ଲା ବା ତଳମୁଣ୍ଡରେ ପହଞ୍ଚି ବନ୍ୟା ସୃଷ୍ଟି କରିଥାଏ।

ତେବେ ହୀରାକୁଦରୁ ଆସୁଥିବା ଏହି ବନ୍ୟାଜଳ କଟକ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିବାକୁ କେତେ ଘଣ୍ଟା ଲାଗିଥାଏ? କେଉଁ କେଉଁ ବାଟ ଦେଇ ହୀରାକୁଦର ବନ୍ୟା ଜଳ ମହାନଦୀର ତଳମୁଣ୍ଡକୁ ପହଞ୍ଚିଥାଏ ଆପଣ ଜାଣିଛନ୍ତି କି?ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ଏହା ଖଇରମାଳ, ବରମୂଳ ଓ ମୁଣ୍ଡଳି ଦେଇ ମହାନଦୀର ତଳମୁଣ୍ଡରେ ପହଞ୍ଚିଥାଏ। ପ୍ରଥମେ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେବା ପରେ ପ୍ରାୟ ୧୧୫ କିଲୋମିଟର ଦୂର ଖଇରମାଳରେ ପହଞ୍ଚିଥାଏ। ଏଥିପାଇଁ ପାଖାପାଖି ୧୨ରୁ ୧୮ ଘଣ୍ଟା ସମୟ ଲାଗିଥାଏ।

ସେହିପରି ଖଇରମାଳରେ ବନ୍ୟାଜଳ ପହଞ୍ଚିବା ପରେ ସେଠାରୁ ପ୍ରାୟ ୧୦୬ କିଲୋମିଟର ଦୂର ବରମୂଳକୁ ଆସିବାକୁ ଆଉ ୧୨ରୁ ୧୬ ଘଣ୍ଟା ସମୟ ଲାଗିଥାଏ। ଏହାପରେ ବନ୍ୟାଜଳ ବରମୂଳରୁ ଆସି କଟକ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିଥାଏ। ଏଥିପାଇଁ ମଧ୍ୟ ପାଖାପାଖି ୧୨ ଘଣ୍ଟା ସମୟ ଲାଗିଥାଏ। ଏହିପରି ଭାବେ ହୀରାକୁଦରୁ ବନ୍ୟାଜଳ ଆସି ମୁଣ୍ଡଳିରେ ପହଞ୍ଚିଥାଏ। ଏଥିପାଇଁ ପାଖାପାଖି ୩୬ ଘଣ୍ଟା ସମୟ ଲାଗିଥାଏ। ମୁଣ୍ଡଳିଠାରେ ଏହି ଜଳକୁ ନିୟନ୍ତ୍ରଣ କରାଯାଇ ଧୀରେ ଧୀରେ ନିଷ୍କାସନ କରାଯାଇଥାଏ।

Tags: #Hirakud #Mahanadi #Mundali #Flood #Odisha #ହୀରାକୁଦ #ମୁଣ୍ଡଳି #ମହାନଦୀ #ବନ୍ୟା

Comment