ଓଡ଼ିଶାଲାଇଭ୍ ବ୍ୟୁରୋ

ମମତାର ବାଲିଘର…ଉଜୁଡ଼ିଛି କାହିଁକାର…ଏ ବତାସୀ ଝଡ଼ ବୁଝେନା…। ଅଶି ଦଶକର ଲୋକପ୍ରିୟ ଚଳଚ୍ଚିତ୍ର ‘ବତାସୀ ଝଡ଼’ର ଏହି ସୁମଧୁର ଗୀତ ପୁନର୍ଜୀବିତ ହୋଇଛି। ପ୍ରଯୋଜନା ସଂସ୍ଥା ଷ୍ଟାର୍ ଫିଲ୍ମସ୍ ପକ୍ଷରୁ ଏହାକୁ ପୁନରୁଦ୍ଧାର କରାଯାଇ ଦର୍ଶକ ମହଲରେ ଲୋକାର୍ପଣ କରାଯାଇଛି।ବୁଧବାର ସନ୍ଧ୍ୟାରେ ଭୁବନେଶ୍ଵର ସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ‘ବତାସୀ ଝଡ଼’ର ସ୍ମୃତି ଉତ୍ସବରେ ଚଳଚ୍ଚିତ୍ର ସହିତ ଜଡ଼ିତ କଳାକାରଙ୍କ ସମେତ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଚଳଚ୍ଚିତ୍ରର ଏହି ଶୀର୍ଷକ ଗୀତଟି ଲୋକାର୍ପିତ ହୋଇଛି।

୧୯୮୧ ମସିହାରେ କାହାଣୀକାର ସତ୍ୟବ୍ରତ ମହାନ୍ତିଙ୍କ ରଚିତ ‘ବତାସୀ ଝଡ଼’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ସତ୍ୟବ୍ରତ ମହାନ୍ତିଙ୍କ ପତ୍ନୀ ଆରତୀ ମହାନ୍ତି ଏହାକୁ ପ୍ରଯୋଜନା କରିଥିଲେ। ନିର୍ଦ୍ଦେଶକ ରମେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଜୟା ସ୍ଵାମୀ, ଅକ୍ଷୟ ମହାନ୍ତି, କାଶୀ ରଥ, ଅମର ଚୌଧୁରୀଙ୍କ ସମେତ ବହୁ ନବାଗତ କଳାକାରଙ୍କୁ ଦେଖିବାକୁ ମିଳିଥିଲା।୪୦ ବର୍ଷ ତଳେ ନିର୍ମିତ ଏହି ଚଳଚ୍ଚିତ୍ରଟି ଏବେ ଦର୍ଶକ ମହଲରୁ ଉଭାନ ହୋଇଯାଇଛି। ପ୍ରାୟ ୨୫ ବର୍ଷ ହେବ କୌଣସି ମାଧ୍ୟମରେ ବି ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇନାହିଁ। ଏହାର ପ୍ରିଣ୍ଟ ବିଭିନ୍ନ କାରଣରୁ ନଷ୍ଟ ହୋଇଯାଇଛି। ନେଗେଟିଭ୍ ମଧ୍ୟ ଉପଲବ୍ଧ ନାହିଁ। ତେବେ କେବଳ ଏକମାତ୍ର ସମ୍ଵଳ ଭାବେ ଏକ ଭିଏଚ୍ଏସ୍ କ୍ୟାସେଟ୍‌ଟି ରହିଛି। ଏହି କ୍ୟାସେଟ୍‌କୁ ଆଧାର କରି ସିନେମାକୁ ପୁନରୁଦ୍ଧାର କରିବାକୁ ପ୍ରୟାସ କରିଥିଲା ଷ୍ଟାର୍ ଫିଲ୍ମସ୍। ଫିଲ୍ମ ଜର୍ଣ୍ଣାଲିଷ୍ଟସ୍ ଫୋରମର ମୁଖ୍ୟ ତଥା ବିଶିଷ୍ଟ ସିନେ ସାମ୍ଵାଦିକ ସୂର୍ଯ୍ୟ ଦେଓ ଏବଂ ସମ୍ପାଦକ ଆଲୋକ ଶାହଙ୍କ ପ୍ରଚେଷ୍ଟାରେ କେବଳ ୪ ମିନିଟ୍ ଅବଧିର ‘ମମତାର ବାଲିଘର’ ଶୀର୍ଷକ ଗୀତଟିକୁ ପୁନରୁଦ୍ଧାର କରାଯାଇପାରିଛି।

ବତାସୀ ଝଡ଼ ସ୍ମୃତି ଉତ୍ସବ ପାଳନ ଅବସରରେ ଏହି ଗୀତଟିକୁ ପୁନଃ ପ୍ରଦର୍ଶନ କରାଯାଇଥିଲା। ସେହିପରି ବତାସୀ ଝଡ଼ ଉପରେ ଆଧାରିତ ଏକ ବୁକଲେଟ୍ ଉନ୍ମୋଚନ ହେବା ସହ ଚଳଚ୍ଚିତ୍ର ସହ ଜଡ଼ିତ କଳାକାରମାନଙ୍କୁ ଷ୍ଟାର୍ ଫିଲ୍ମ ପକ୍ଷରୁ ସମ୍ଵର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ, ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଜ୍ୟୋତି ମିଶ୍ର, ଅଭିନେତ୍ରୀ ପିଙ୍କି ପ୍ରଧାନ, ସମାଜସେବୀ ନମ୍ରତା ଚଢ଼ା, ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ସମେତ ବତାସୀ ଝଡ଼ ଚଳଚ୍ଚିତ୍ରର ପ୍ରଯୋଜିକା ଆରତୀ ମହାନ୍ତି ଉପସ୍ଥିତ ଥିଲେ। ସେହିପରି ଆରତୀ ମହାନ୍ତିଙ୍କ କନ୍ୟା କାନ୍ତା ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରାକ୍ଷୀ ଦାସ ଏହାର ସଂଯୋଜନା କରିଥିଲେ।

Tags: #BatasiJhada #OdiaCinema #Ollywood #StarFilms #ବତାସୀଝଡ଼ #ଓଡ଼ିଆଚଳଚ୍ଚିତ୍ର

Comment