ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍‌ ସହ ସ୍ଵତନ୍ତ୍ର ସାକ୍ଷାତକାରରେ ଅଭିନେତ୍ରୀ ଜୟା ସ୍ଵାମୀ ତାଙ୍କ ଜୀବନ ସଂଘର୍ଷର କାହାଣୀ ସହ ଦୁଇଟି ବଡ଼ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ହେଉଛି ତାଙ୍କ ଶ୍ୟାମଳ ରଙ୍ଗ ଆଉ ଗୋଟିଏ ସିନେମା ଜଗତର ଅକୁହା ରାଜନୀତିକୁ ନେଇ। 

ସେତେବେଳର ଓଡ଼ିଆ ସିନେମା ‘ଫୁଲ ଚନ୍ଦନ’, ‘ଜାଇଫୁଲ’ ଏବଂ ‘ହାକିମ ବାବୁ’ରେ ଜୟା ସ୍ଵାମୀଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ‘ଫୁଲ ଚନ୍ଦନ’ ଓ ‘ଜାଇଫୁଲ’ରେ ସେ ପାର୍ଶ୍ଵ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। କିନ୍ତୁ ‘ହାକିମ ବାବୁ’ ତାଙ୍କୁ ଅଭିନୟର ସେଣ୍ଟର ଷ୍ଟେଜ୍‌କୁ ଆଣିଥିଲା।

‘ହାକିମ ବାବୁ’ରେ ଆଦିବାସୀ ଝିଅ ଧାନୀ ଚରିତ୍ରକୁ ସେ ସୁନ୍ଦର ଭାବେ ଫୁଟାଇ ପାରିଥିଲେ। ସେତେବେଳର ଓଡ଼ିଆ ଅଭିନେତ୍ରୀମାନଙ୍କ ମେଳରେ ଜୟା ସ୍ଵାମୀଙ୍କର ସିନେମା ଜଗତରେ ଆଗକୁ ବଢ଼ିବାର ଯଥେଷ୍ଟ ସମ୍ଭାବନା ଥିଲା। କିନ୍ତୁ ଏହି ନାୟିକା କମର୍ସିଆଲ ସିନେମାରେ ଲମ୍ବା ଇନିଂସ ଖେଳି ପାରିନଥିଲେ। କାରଣ ତାଙ୍ଗ ରଙ୍ଗ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

“ମୋ ରଙ୍ଗ ମୋ ପାଇଁ ଦିନେ ବଡ଼ ଚ୍ୟାଲେଞ୍ଜ ହେଇକି ଠିଆ ହୋଇଥିଲା। କିନ୍ତୁ ମୁଁ କଡ଼ା ଟକ୍କର ଦେଇ ସେଥିରୁ ମୁକୁଳିଛି। ବାହାରେ ଦର୍ଶକ ମୋ ରଙ୍ଗକୁ ନେଇ କୌଣସି ଟିପ୍ପଣୀ ଦେଇନାହାନ୍ତି। ମୋ ପାଇଁ ଅସହଜ ପରିସ୍ଥିତି ସୃଷ୍ଟି କରିନାହାନ୍ତି। କିନ୍ତୁ ସିନେମା ଜଗତରେ ରଙ୍ଗକୁ ନେଇ ବହୁତ ରାଜନୀତି ହୋଇଛି”, କହିଛନ୍ତି ଜୟା।

ଓଡ଼ିଆ ଫିଲ୍ମ ଜଗତରେ ରଙ୍ଗକୁ ନେଇ ବଡ଼ ବଡ଼ ଇସ୍ୟୁ କରିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ମୁଁ କଡ଼ା ଟକ୍କର ଦେଇଛି। ମୋ ରଙ୍ଗକୁ ନେଇ ପ୍ରଶ୍ନ ଉଠାଇ ଥିବା ବ୍ୟକ୍ତିମାନେ ଆଜି ପର୍ଯ୍ୟନ୍ତ ମୋ ପ୍ରଶ୍ନର ଉତ୍ତର ଦେଇ ପାରିନାହାନ୍ତି ବୋଲି ରୋକଠୋକ କହିଛନ୍ତି ଜୟା ସ୍ଵାମୀ।

ରଙ୍ଗକୁ ନେଇ ଅଭିନେତ୍ରୀ ଜୟା ସ୍ଵାମୀଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରିକି କିଛି ଦିନ ଫିଲ୍ମ ଜଗତର ଦୂରେଇ ଯିବା ଏହା ଗୋଟିଏ କାରଣ ମଧ୍ୟ ଥିଲା। କିନ୍ତୁ ତାଙ୍କ ଦମଦାର ଅଭିନୟ ଏବଂ ନୃତ୍ୟ ଶୈଳି ଏବେ ବି ଦର୍ଶକଙ୍କ ହୃଦୟରେ ଛାପ ଛାଡ଼ିଛି।

ଓଡ଼ିଆ ଅଭିନେତା ସ୍ଵର୍ଗତ ଅଜିତ ଦାସ ଗୋଟିଏ ସାକ୍ଷାତକାରରେ କହିଥିଲେ, “ଜୟାର ରଙ୍ଗ ଟିକେ ଯଦି ଭଲ ଥାନ୍ତା ତା’ସମୟରେ ରହିଥିବା ସବୁ ନାୟିକାମାନଙ୍କୁ ପଛରେ ପକାଇ ସେ କେତେବାଟ ପଳେଇଥାନ୍ତା। ରଙ୍ଗ ଯୋଗୁଁ ସେ ଅଟକି ଗଲା”।

“ମୋ ରଙ୍ଗ କଳା କିନ୍ତୁ ମୁଁ ଅସୁନ୍ଦର ନୁହେଁ। ଏ କଥା କେବଳ ମୁଁ ନୁହେଁ ମୋ ଦର୍ଶକ ଏବଂ ବଡ଼ ବଡ଼ କ୍ୟାମେରାମ୍ୟାନ କୁହନ୍ତି। ମୁଁ ଯଦି ଭଲ ଅଭିନୟ କରିନଥାନ୍ତି ମୋ ଭିତରେ ଯଦି ସେତିକି ଦକ୍ଷତା ନଥାନ୍ତା ରାଜ୍ୟ ସରକାର ମୋତେ ପୁରସ୍କୃତ କରିବାକୁ ବାଛି ନଥାନ୍ତେ”, ବୋଲି କହିଛନ୍ତି ଜୟା।ଅଭିନେତା ଅଭିନେତ୍ରୀଙ୍କ ପାଇଁ ସୁନ୍ଦର ଏବଂ ଗୋରା ଚେହେରାର ଆବଶ୍ୟକତା ନୁହେଁ, ଅଭିନୟ ଦକ୍ଷତା ରହିବା ଦରକାର। ପ୍ରଥମେ ଭଳ ମଣିଷ ହେବା ଦରକାର। ନିଜ କାମ ପ୍ରତି ନିଷ୍ଠା ଦରକାର। ବଡ଼ ବଡ଼ କଳାକାର ଅଛନ୍ତି ଯେଉଁମାନେ ସେତେ ସୁନ୍ଦର ନଥିଲେ ମଧ୍ୟ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ପାରିଛନ୍ତି। ନିଜ ନିଜର ସିଗନେଚର ଦେଇକି ଯାଇଛନ୍ତି।

“ଓଡ଼ିଆ ଫିଲ୍ମ ଜଗତରେ ହୀନ ରାଜନୀତି ଚାଲେ। ସେମାନେ ଗୋଟିଏ ଗୋଟିଏ ଗୋଷ୍ଠୀ କରି କାମ କରିବାକୁ ଯୋଜନା କରନ୍ତି। ମୁଁ ଅଣଓଡ଼ିଆ ବୋଲି ସେମିତି କରାଗଲାକି କ’ଣ ଜାଣିନି। ମୁଁ ସଂଘର୍ଷ କରି ମୋ ପାଇଁ ଫିଲ୍ମ ଦୁନିଆଁରେ ସ୍ଥାନଟିଏ ସୃଷ୍ଟି କରିପାରିଛି। ମୁଁ ଯେଉଁ ହୀନ ରାଜନୀତିର ଶିକାର ହୋଇଛି ଆଗାମୀ ପିଢ଼ି ସେମିତି ନଭୋଗନ୍ତୁ। ଏହା ପ୍ରତିବାଦ କରନ୍ତୁ କହିଛନ୍ତି ଜୟା।

Tags: #JayaSwami #Ollywood #OdiaCinema #OdiaFilm

Comment