ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାଜ୍ୟ ପୋଲିସ୍‍ ମୁଖ୍ୟାଳୟସ୍ଥିତ ଆରକେ ପାଢ଼ୀ ମେମୋରିଆଲ୍‍ ହଲ୍‍ଠାରେ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଓ ୟୁନିସେଫ୍‍ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହେଉଥିବା ଅପରାଧକୁ ରୋକିବାକୁ ରାଜ୍ୟ ପୋଲିସ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି।

ପୂର୍ବରୁ ‘ଅପରେସନ୍‍ ସ୍ମାଇଲ୍‍’, ‘ଅପରେସନ୍‍ ମୁସ୍କାନ୍‍’ ଏବଂ ବିଭିନ୍ନ ସମୟରେ ସ୍ପେଶାଲ ଡ୍ରାଇଭ୍‍ କରାଯାଇ ମହିଳା ଓ ଶିଶୁ ଅପରାଧ ରୋକିବାକୁ ରାଜ୍ୟ ପୋଲିସ୍‍ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ମଧ୍ୟ ପୋଲିସ୍‍ ଅଧିକାରୀମାନେ ଏ ଦିଗରେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବେ ବୋଲି କମିଶନର ମତ ରଖିଛନ୍ତି।

ମାନବ ଚାଲାଣରୁ ମହିଳା କିମ୍ବା ଶିଶୁଙ୍କୁ ଉଦ୍ଧାର କରିବା ତଥା ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କଲେ ଯେଉଁ ଆତ୍ମସନ୍ତୋଷ ମିଳିଥାଏ ତାହାର ପଟ୍ଟାନ୍ତର ନାହିଁ ବୋଲି ପୋଲିସ କମିଶନର  କହିଛନ୍ତି।

ଆୟୋଜିତ କର୍ମଶାଳାରେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଡିଜିପି (କ୍ରାଇମ୍‍ବ୍ରାଞ୍ଚ) ଅରୁଣ କୁମାର ବୋଥ୍ରା ଯୋଗ ଦେଇ ମାନବ ଚାଲାଣ ଅଭିଯୋଗକୁ ଗୁରୁତ୍ୱର ସହ­ ଗ୍ରହଣ କରିବା ଉଚିତ୍‍ ଏବଂ ଅଭିଯୋଗକାରୀଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ ଦିଗରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ।

ମହିଳା ଏବଂ ଶିଶୁମାନେ ଅନେକ ସମୟରେ ରାଜ୍ୟ ବାହାରକୁ ଯାଇ ସେଠାରେ ଦଲାଲଙ୍କ ହାବୁଡ଼ରେ ଫସି ଯାଇ ମୁକୁଳି ପାରନ୍ତି ନାହିଁ। ଏଭଳି ପରିସ୍ଥିତିରେ ସ୍ଥାନୀୟ ଥାନାଧିକାରୀ ଅଭିଯୋଗ ଉପରେ ଗୁରୁତ୍ଵ ଦେବା ଉଚିତ୍‍ ବୋଲି ଅରୁଣ ବୋଥ୍ରା ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଅତିରିକ୍ତ ଡିଜିପି, ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ରେଖା ଲୋହାନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କର୍ମଶାଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ କୋଲକାତା ଉଚ୍ଚ ନ୍ୟାୟାଳୟର ଆଇନ୍‍ଜୀବୀ କୌଶିକ୍‍ ଗୁପ୍ତା, ଆର୍ନ୍ତଜାତିକ ଜଷ୍ଟିସ୍‍ ମିଶନ୍‍ର ମୁଖ୍ୟ ଏମ୍‍ ଦେବସିଥମ୍‍, ୟୁନିସେଫ୍‍ ଓଡ଼ିଶାର ନେହା ନାଇଡୁ ପ୍ରମୁଖ ଉପସ୍ଥିତ ରହି ମାନବ ଚାଲାଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଶେଷରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଡିଏସ୍‍ପି ଇମନ୍‍ କଲ୍ୟାଣ ନାୟକ ଧନ୍ୟବାଦ୍‍ ଅର୍ପଣ କରିଥିଲେ।

Tags: #workshop #integratedapproach #crime #womenchildrensafety #commissioneratepolice #ArunBothra #SoumendraPriyadarshi

Comment