ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୧ ମସିହାରେ ଦେଶରେ ୧ ଲକ୍ଷ ୬୪ ହଜାର ୩୩ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆରବି) ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ମହିଳାଙ୍କ ସଂଖ୍ୟା ୪୫ହଜାର ୨୬ ରହିଛି। ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ମହିଳା ଆତ୍ମହତ୍ୟା ହାର ୬.୧ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ଆତ୍ମହତ୍ୟା କରିଥିବା ମହିଳାଙ୍କ ମଧ୍ୟରେ ୨୩ହଜାର ୧୭୮ଜଣ ଗୃହିଣୀ, ୫ହଜାର ୬୯୩ଜଣ ଛାତ୍ରୀ ଓ ୪ ହଜାର ୨୪୬ଜଣ ଦିନମଜୁରିଆ ଅଛନ୍ତି। ତେବେ ବର୍ଷକରେ ୧ ଲକ୍ଷ ୧୮ ହଜାର ୯୭୯ଜଣ ପୁରୁଷ ଆତ୍ମହତ୍ୟା କରିଛନ୍ତି।

ତାମିଲନାଡୁରେ ସର୍ବାଧିକ ୩୨୨୧ ଜଣ ମହିଳା ଆତ୍ମହତ୍ୟା କରିଥିବା ବେଳେ ମଧ୍ୟପ୍ରଦେଶରେ ୩ ହଜାର ୫୫, ମହାରାଷ୍ଟ୍ରରେ ୨୮୬୧ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୋଟ ଆତ୍ମହତ୍ୟାର ୩୩.୨ ପ୍ରତିଶତ ପାରିବାରିକ ସମସ୍ୟା ଓ ୧୮.୬ ପ୍ରତିଶତ ଅସୁସ୍ଥତା କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ନିଶାଜନିତ ସମସ୍ୟା ଯୋଗୁଁ ୬.୪ ପ୍ରତିଶତ, ବୈବାହିକ ସମସ୍ୟା ଯୋଗୁଁ ୪.୬ ପ୍ରତିଶତ, ଋଣ ବୋଝରେ ୩.୯ ପ୍ରତିଶତ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଯୌତୁକଜନିତ ଓ ନିସନ୍ତାନ ସମସ୍ୟା ଯୋଗୁଁ ବିବାହିତ ମହିଳାମାନେ ଅଧିକ ସଂଖ୍ୟା​‌ରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ୧୮ବର୍ଷରୁ ୪୫ ବର୍ଷ ମଧ୍ୟରେ ସର୍ବାଧିକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅନ୍ୟପଟେ ୨୦୨୧ରେ ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୫୫ ହଜାର ୬୨୨ଜଣ ପ୍ରାଣ ହରାଇଛନ୍ତି। ଦ୍ରୁତ ଗାଡ଼ିଚାଳନା ଯୋଗୁଁ ୮୭ ହଜାର ୫୦ ଓ ବେପରୁଆ ଗାଡ଼ିଚାଳନା ଯୋଗୁଁ ୪୨ ହଜାର ୮୫୩ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଖରାପ ପାଗ ଯୋଗୁଁ ୫ ହଜାର ୪ଶହ ୫, ନିଶାସେବନ କରି ଗାଡ଼ିଚାଳନା ଫଳରେ ୨ହଜାର ୯୩୫ ଓ ଗାଡ଼ିରେ ବୈଷୟିକ ତ୍ରୁଟି ପାଇଁ ୨ ହଜାର ୨୨ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଦ୍ରୁତ ଗାଡ଼ିଚାଳନା ଯୋଗୁଁ ତାମିଲନାଡୁରେ ସର୍ବାଧିକ ୧୧ ହଜାର ୪୧୯ ଓ କର୍ଣ୍ଣାଟକରେ ୮ ହଜାର ୭୯୭ ଜଣ ପ୍ରାଣ ହରାଇଥିବା ବେଳେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ହଜାର ୪୭୯ ଓ ରାଜସ୍ଥାନରେ ୪ ହଜାର ୨୯୯ ଜଣଙ୍କ ପ୍ରାଣ ଯାଇଥିବା ଜଣାପଡ଼ିଛି।

ନିଶାସେବନ କରି ଗାଡ଼ିଚାଳନାଜନିତ ମୃତ୍ୟୁ ମାମଲାରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ରହିଥିବା ବେଳେ ଏହା ପଛକୁ ତେ​‌ଲେଙ୍ଗାନା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରହିଛନ୍ତି।

Tags: #NCRBReport2022 #SuicideCases2021 #Accidentcases2021 #Crime

Comment