ଓଡ଼ିଶାଲାଇଭ୍ ବ୍ୟୁରୋ

 

୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜୁ ଜନତା ଦଳ(ବିଜେଡି), ରାଜ୍ୟ ବିଜେପି ଓ କଂଗ୍ରେସ ପକ୍ଷରୁ ଏନେଇ କସରତ ଆରମ୍ଭ ହୋଇସାରିଛି। ଦଳୀୟ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ରାଜନୈତିକ ବୟାନବାଜି ଜୋର ଧରିଛି। ଦଳୀୟ ସଂଗଠନକୁ ମଜବୁତ୍ କରିବା ସହ ଜନତାଙ୍କ ସମର୍ଥନ ପାଇବା ପାଇଁ ତିନି ରାଜନୈତିକ ଦଳ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି।

ସୋମବାର ଦିନ ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ରହିଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ପକ୍ଷରୁ କୋର୍‌ କମିଟି ବୈଠକ ବସିଛି। ଅନୁଷ୍ଠିତ ବୈଠକରେ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ରହିଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେପିର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ। ଆଗାମୀ ନିର୍ବାଚନ ପାଇଁ ସ୍ଥିତି ସୁଦୃଢ କରିବା ନେଇ ବୈଠକରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି।

ସେହିପରି ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଆସନ୍ତା ୨୯ ତାରିଖରେ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେ.ପି ନଡ୍ଡା। ୨୯ ଓ ୩୦ ତାରିଖରେ ନଡ୍ଡା ଓଡ଼ିଶାରେ ରହିବେ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।

ଅନ୍ୟପଟେ ଶାସକ ଦଳ ବିଜେଡି ପକ୍ଷରୁ ମଧ୍ୟ ଅନୁରୂପ ଭାବେ କସରତ ଜାରି ରହିଛି। ନିକଟରେ ବିଜେଡିର ବିଭିନ୍ନ ସଂଗଠନର କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି। ୬ଦିନିଆ ଦିଲ୍ଲୀ ଗସ୍ତରୁ ଫେରିଥିବା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏହି ଚିତ୍ର ବେଶ୍ ବାରି ହୋଇପଡିଛି।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଜେଡିର ବହୁ କର୍ମୀ ଓ ଦଳୀୟ କର୍ମକର୍ତ୍ତା ଭୁବନେଶ୍ୱରରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ଦଳର ରଜତ ଜୟନ୍ତୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଜନସେବା ଓ ବଳିଷ୍ଠ ନେତୃତ୍ୱ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯିବା ପରେ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଦଳୀୟ ପ୍ରଚାର ପ୍ରସାରର ସୁଯୋଗ ପାଇଛନ୍ତି।

ସେହିପରି କଳିଙ୍ଗ ଷ୍ଟାଡିୟମରେ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବା ଉଦ୍ଦେଶ୍ୟରେ ଦୁଇ ଦୁଇଥର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ କୌଣସି କାରଣରୁ ସମ୍ମିଳନୀ ବାତିଲ ହୋଇଛି। ତେବେ ବିଜେପିର କାର୍ଯ୍ୟାବଳୀକୁ ଦୃଷ୍ଟିରେ ରଖି ବିଜେଡି ଆଗାମୀ ରଣନୀତି ସ୍ଥିର କରିବାକୁ ଯୋଜନା ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସେପଟେ ୨୦୨୪କୁ ଶେଷ ସୁଯୋଗ ଭାବେ ବିବେଚନା କରୁଥିବା କଂଗ୍ରେସ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଟାର୍ଗଟେ୍ କରୁଥିବା ଦେଖିବାକୁ ମିଳୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଆକ୍ଷେପ କରି କଂଗ୍ରେସ ଜନତାଙ୍କ ସମର୍ଥନ ସାଉଁଟିବାକୁ ପ୍ରୟାସ କରୁଛି।

Tags: #2024GeneralElection #BJD #BJP #CONGRESS #JPNadda #SunilBansal #NaveenPatnaik

Comment