ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାବେଳେ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଆଗାମୀ ୪୮ ଘଣ୍ଟାରେ ଏହା ଲଘୁଚାପ ରୂପ ନେବ। ଫଳରେ ୭ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏଥିପାଇଁ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପଟେ ୮ ତାରିଖରେ ୯ଟି ଜିଲ୍ଲା ଓ ୯ ତାରିଖରେ ୧୬ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।

ଲଘୁଚାପ କ୍ଷେତ୍ର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବା ପରେ ତାହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଡକୁ ମୁହାଁଇବ। ଫଳରେ ଛତିଶଗଡ଼ର ଉପରମୁଣ୍ଡ ସମେତ ତଳମୁଣ୍ଡରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ରୂପ ନେବାର ଅଧିକ ସମ୍ଭାବନା ରହିଛି। ୯ ରୁ ୧୫ ତାରିଖ ମଧ୍ୟରେ ପୁଣି ଏକ ଲଘୁଚାପ ସମ୍ଭାବନା ଥିବାରୁ ଲଗାତାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

Tags: #Rain #Weather #Odisha #LowPressure #IMD #BayofBengal

Comment