ଓଡ଼ିଶାଲାଇଭ୍ ବ୍ୟୁରୋ

ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ‘ଭାରତ ଯୋଡ଼ୋ’ ପଦଯାତ୍ରା। ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନ୍ୟ ନେତୃବୃନ୍ଦ ଚାଲି ଚାଲି ୧୨ ଟି ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୩୫୭୧ କିଲୋମିଟରରୁ ଅଧିକ ପଥ ଯାତ୍ରା କରିବେ। ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ। ତେବେ ‘ଭାରତ ଯୋଡ଼ୋ’ ଅଭିଯାନ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବାବେଳେ ଜମ୍ମୁ-କଶ୍ମୀରରେ ସମାପ୍ତ ହେବ।

ଏହି କ୍ରମରେ ବୁଧବାର ସକାଳେ କନ୍ୟାକୁମାରୀସ୍ଥିତ ଶ୍ରୀପେରଂବୁଦୁର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି, “ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି, ଦେଶ ହରାଇବି ନାହିଁ।”

ତେବେ ଭାରତଯୋଡ଼ୋ ଅଭିଯାନ କ୍ରମରେ ଅପରାହ୍ନ ସୁଦ୍ଧା ତିରୁବଲ୍ଲପୁର ସ୍ମାରକ, ବିବେକାନନ୍ଦ ସ୍ମାରକ, କାମରାଜ ସ୍ମାରକ ପରିକ୍ରମା ପରେ ମହାତ୍ମା ଗାନ୍ଧୀ ମଣ୍ଡପରେ ପ୍ରାର୍ଥନା ସଭା ଆୟୋଜିତ ହେବ। ଏହି ସଭାରେ ଜାତୀୟ ପତାକା ବିତରଣ କରାଯିବ। ସନ୍ଧ୍ୟାରେ ବିଧିବଦ୍ଧ ଭାବେ ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।

ଧ୍ୱସ୍ତବିଧ୍ୱସ୍ତ ହେବାକୁ ଯାଉଥିବା ଦେଶର ସାମାଜିକ, ଅର୍ଥନୈତିକ, ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ଏବେ ଅପରିହାର୍ଯ୍ୟ ହୋଇ ପଡ଼ିଛି ଲୋକଙ୍କ ନିକଟତର ହୋଇ ଏଦିଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିଯାନର ଆରମ୍ଭ କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

ଭାରତ ଯୋଡ଼ୋ ଅଭିଯାନ ‘ଭାଇଚାରା’ର ପ୍ରଚାର ପ୍ରସାର ନିମନ୍ତେ ହୋଇଥିବାରୁ ଏହି ଅଭିଯାନକୁ ସମର୍ଥନ କରିବା ଲାଗି ଲୋକଙ୍କୁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି।

ଦେଶର ସଂଘୀୟ ଢ଼ାଞ୍ଚା ବିପନ୍ନ ହେବା ସହିତ ରାଜ୍ୟମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ପେଟ୍ରୋଲିୟମ ଜାତ ପଦାର୍ଥ ଉପରେ ଆଦାୟ ହେଉଥିବା ଅବକାରୀ ଶୁଳ୍କର ସିଂହଭାଗ କେନ୍ଦ୍ର ସରକାରଙ୍କ ଅଣ୍ଟିକୁ ଚାଲି ଯାଉଛି। ରାଜ୍ୟମାନଙ୍କୁ ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ କରାଯାଉଛି। ସେହିପରି କେନ୍ଦ୍ର ସରକାର ଜିଏସିଟି ବାବଦରେ ରାଜ୍ୟମାନଙ୍କର ପ୍ରାପ୍ୟ ରାଜ୍ୟକୁ ଦେବାରେ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ‘ଭାରତ ଯୋଡ଼ୋ’ ଅଭିଯାନ ମାଧ୍ୟମରେ ଏହାର ପ୍ରତିବାଦ କରିଛି।

କଂଗ୍ରେସ କହିଛି , “ଭାରତବାସୀଙ୍କ ସମ୍ମୁଖରେ ଏବେ ଦୁଇଟି ଭବିଷ୍ୟତ। ଗୋଟିଏ ଭାଇ ଚାରାର ଓ ଅନ୍ୟଟି ଘୃଣା ଓ ବିଦ୍ୱେଷର।” କଂଗ୍ରେସ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ଭାରତଯୋଡ଼ ଅଭିଯାନ ‘ଭାଇଚାରା’ ଭବିଷ୍ୟତର ପ୍ରଚାର ପ୍ରସାର କରିବାପାଇଁ ଏହି ଅଭିଯାନରେ ଅଧିକରୁ ଅଧିକ ଲୋକ ସାମିଲ ହେବା ପାଇଁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଉଛି।

Tags: #Congress #AICC #RahulGandhi #BharatJodoabhiyan

Comment