ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ସେପ୍ଟେମ୍ଵର ୧୨ ତାରିଖରେ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି ‘ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’। ଏଥିରେ ମୋଟ୍ ୩୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମ ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଖେଳାଯିବ।

ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା, ବଲାଙ୍ଗିର, ବରଗଡ଼, ଗଜପତି, ସମ୍ଵଲପୁର, ପୁରୀ, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ, କୋରାପୁଟ, ଯାଜପୁର, ଝାରସୁଗୁଡ଼ା, କଟକ, ନବରଙ୍ଗପୁର, ଦେଓଗଡ଼, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ଵର, ସୋନପୁର, ଭଦ୍ରକ, ଅନୁଗୁଳ ଜଗତସିଂହପୁର ଆଦି ୨୪ଟି ଜିଲ୍ଲାରୁ ଆସିଥିବା ହକି ଦଳ ଭାଗ ନେଇଛନ୍ତି। ସେହିପରି ୬ଟି ଏକାଡେମି ଦଳ ଯଥା – ଇଷ୍ଟ କୋଷ୍ଟ ରେଲଓ୍ଵେସ୍, କିଟ୍ / କିସ୍ ବିଶ୍ଵବିଦ୍ୟାଳୟ, ଓଡ଼ିଶା ସେକ୍ରେଟାରିଏଟ୍, ଓଡ଼ିଶା ପୋଲିସ, ସେଲ୍, ଏସଏମଏସ ହକି ଏକାଡେମି ଆଦି ଦଳ ରହିଛନ୍ତି।ସେପ୍ଟେମ୍ଵର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମ ଭେନ୍ୟୁରେ ୩୦ଟି ଦଳ ମଧ୍ୟରେ ଲିଗ୍ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ୧୬ ତାରିଖରେ କିଟ୍ ଷ୍ଟାଡିୟମ ଭେନ୍ୟୁରେ ସେମିଫାଇନାଲ୍ ଖେଳାଯିବ। ସେହିପରି ସେପ୍ଟେମ୍ଵର ୧୭ ତାରିଖରେ କିଟ୍ ଷ୍ଟାଡିୟମ ଭେନ୍ୟୁରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

Tags: #HAOSeniorMenHockeyChampionships2022 #HockeyAssociationofOdisha #HockeyOdisha

Comment