ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଏ କହେ, ସେମାନେ ଏ କୂଳର ହେଲେ ନା ସେ କୂଳର। ଘରଠୁ ବିତାଡ଼ିତ ହୋଇ, ସମାଜରୁ ବାସନ୍ଦ ପରେ ଅଭାବ ଅନଟନ ଭିତରେ ବଞ୍ଚନ୍ତି ଆଉ ଏକ ସମାଜ। ସେମାନେ ତୃତୀୟ ଲିଙ୍ଗୀ ବା କିନ୍ନର। କିନ୍ତୁ ସେମାନଙ୍କ ଭିତରୁ ଅନେକ ସଂଘର୍ଷ କରି ଆଜି ସଫଳତା ପାଇଛନ୍ତି। ସେମିତି ଜଣେ କିନ୍ନର ହେଲେ ମେଘନା ସାହୁ।

କିନ୍ନର ବୋଲି ଜାଣିବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ଘରୁ ବାହାରି ଆସିବା ପରେ ସେ ଅନେକ ଘାତ ପ୍ରତିଘାତର ଶିକାର ହୋଇଥିଲେ। କିନ୍ତୁ ହାରି ଯାଇନଥିଲେ। ୨୦୧୮ରେ ଓଡ଼ିଶାର ମେଘନା ସାହୁ ଦେଶର ପ୍ରଥମ ଏବଂ ଏକମାତ୍ର ଟ୍ରାନ୍ସଜେଣ୍ଡର କ୍ୟାବ୍‌ ଡ୍ରାଇଭର ହୋଇ ଲୋକଲୋଚନକୁ ଆସିଥିଲେ। ପ୍ରଥମେ ୨୦୧୭ରେ  ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ମେଘନା।

ମାର୍କେଟିଂ ଏବଂ ଏଚ୍‌ଆରରେ ଏମବିଏ କରିଥିବା ମେଘନା ଉଚ୍ଚଶିକ୍ଷିତା ହୋଇ ମଧ୍ୟ କିନ୍ନର ହୋଇଥିବାରୁ ଚାକିରି ଖଣ୍ଡେ କରିବାକୁ ବଞ୍ଚିତ ହୋଇଥିଲେ। ଦୁର୍ବ୍ୟବହାର ଓ ପାନ୍ତରଅନ୍ତରର ଶିକାର ହେବା ପରେ ନିଜେ ଏକ ଗାଡ଼ି କିଣି ତାକୁ ବ୍ୟବସାୟିକ ଭାବେ ଚଳାଇବାକୁ ସ୍ଥିତ କରିଥିଲେ। ହେଲେ କମର୍ସିଆଲ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବା ତାଙ୍କ ପାଇଁ କାଠିକାର ପାଠ ଥିଲା। ବହୁ ସଂଘର୍ଷ ପରେ ଲାଇସେନ୍ସ ମିଳିବାରୁ ଓଲା ସହ ଯୋଗାଯୋଗ କରି ଏହାର ପାର୍ଟନର ଡ୍ରାଇଭର ଭାବେ କାମ ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ ମେଘନା ଏକ ଏନଜିଓ ସହ କାମ କରୁଥିବା ବେଳେ ସାମାଜିକ କର୍ମୀ ଭାବେ ମଧ୍ୟ କିନ୍ନରମାନଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିଛନ୍ତି।  କିନ୍ନରମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।

କିନ୍ନର ଜାଣିବା ପରେ ଘର ଲୋକ ତଡ଼ି ଦେଇଥିଲେ

ମେଘନାଙ୍କ ମୂଳ ନାମ ଥିଲା ବିଷ୍ଣୁଚରଣ ସାହୁ।  ଖୋର୍ଦ୍ଧା ଜିଲ୍ଲାର ଠାକୁରପଡ଼ାରେ ତାଙ୍କ ପିଲା ବେଳେ କଟିଥିଲା। ଛୋଟ ବେଳୁ ହିଁ ଝଅମାନଙ୍କ ସଙ୍ଗେ ସାଙ୍ଗ ହେବାକୁ ସେ ପସନ୍ଦ କରୁଥିଲେ। ଲୁଚି ଲୁଚି ଡ୍ରେସ ପିନ୍ଧିବା, ଲିପିଷ୍ଟିକ ଲଗାଇବା, ସଜ ହେବାକୁ ତାଙ୍କୁ ଭଲ ଲାଗୁଥିଲା।

“ଘରଲୋକ ଚାହୁଁଥିଲେ ମୁଁ ଗୋଟେ ଝିଅକୁ ବାହା ହୁଏ। ଯେଉଁଥିରେ ମୁଁ କେବେ ରାଜି ନଥିଲି। ହେଲେ ସେତେବେଳେ ମୁଁ ଡରି ନଥିଲି। ଗୋଟେ ଝିଅକୁ ମୁଁ କେବେ ବି ବାହା ହୋଇପାରିବି ନାହିଁ ବୋଲି ଘରଲୋକଙ୍କୁ ସିଧା କହିଦେଇଥିଲି। କିନ୍ତୁ ପରିବାର ଲୋକ ଏଥିରେ ରାଜି ହୋଇନଥିଲେ। ସେଥିପାଇଁ ମୁଁ ଘରୁ ବାହାରି ଆସିଥିଲି। ଘରୁ ଆସିବା ପରେ ମୋ ପାଇଁ ଗୋଟିଏ ନୂଆ ସକାଳ ଆରମ୍ଭ ହୋଇଥିଲା’’, କହନ୍ତି ମେଘନା।

କିନ୍ନର ବୋଲି ଚାକିରି ଛାଡ଼ିବାକୁ ପଡ଼ିଥିଲା – ମେଘନା

‘‘ଘର ଛାଡ଼ିବା ପରେ ମୋ ପାଇଁ ଗୋଟିଏ ନୂଆ ସକାଳ ଆରମ୍ଭ ହୋଇଥିଲା। ସେଇଦିନରୁ ମୁଁ ସ୍ଥିର କରିନେଇଥିଲି ମୁଁ ମୋ ଅସ୍ତିତ୍ୱକୁ ନେଇ ବଞ୍ଚିବି। କିନ୍ତୁ କିନ୍ନର ପରିଚୟ ଯୋଗୁଁ ମୋ ଜୀବନରେ ଅନେକ ସଂଘର୍ଷ ଆସିଥିଲା। ଏମିତିକି ଦିନେ ମତେ ଚାକିରି ବି ଛାଡ଼ିବାକୁ ପଡ଼ିଥିଲା’’ – ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ କହିଛନ୍ତି କିନ୍ନର ମେଘନା ସାହୁ।

ମେଘନା ଘର ଛାଡ଼ି ନିଜର ପରିଚୟ ନେଇ ବଞ୍ଚିବାକୁ ରାଜଧାନୀ ଭୁବନେଶ୍ୱର ଚାଲିଆସିଥିଲେ। କିନ୍ନର ସମ୍ପ୍ରଦାୟ ସହ ମିଶିଥିଲେ। ଏହାପରେ ଗୋଟିଏ ଘରୋଇ କମ୍ପାନିରେ ଚାକିରି ମଧ୍ୟ କରୁଥିଲେ। କିନ୍ତୁ ସେଠାରେ ବି ତାଙ୍କୁ ଭେଦଭାବର ଶିକାର ହେବାକୁ ପଡ଼ିଥିଲା। ହେଲେ ସେ ହାର ମାନି ନଥିଲେ ବରଂ ସମାଜର ଏଇ ଲାଞ୍ଛନା ତାଙ୍କ ମନୋବଳକୁ ଆହୁରି ଦୃଢ଼ କରିଥିଲା।

ବାହା ହୋଇ ଚର୍ଚ୍ଚାକୁ ଆସିଥିଲେ ମେଘନା

ଜଣେ କିନ୍ନର ଜଣେ ପୁରୁଷଙ୍କ ଜୀବନ ସାଥୀ ହେବା ଭଳି ଘଟଣା ଓଡ଼ିଶାରେ ହୋଇନଥିଲା। ୨୦୧୭ରେ ଜଣେ ପୁରୁଷଙ୍କୁ ବିବାହ କରି ମେଘନା ସମସ୍ତଙ୍କୁ ଚମକାଇ ଦେଇଥିଲେ। ଫେସୁବକରୁ ଆରମ୍ଭ ହୋଇଥିବା ସମ୍ପର୍କର ବିବାହର ରୂପ ନେଇଥିଲା। ଫେସବୁକରୁ ଭୁବନେଶ୍ୱରର ବାସୁଦେବ ନାୟକଙ୍କ ସହିତ ମେଘନାଙ୍କ ବନ୍ଧୁତ୍ୱ ଗଢ଼ି ଉଠିଥିଲା। ବନ୍ଧୁତାର ବର୍ଷକ ପରେ ବାସୁଦେବ ନାୟକ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରଥମେ ମେଘନା ଏ କଥାକୁ ଗ୍ରହଣ କରିପାରିନଥିଲେ। କିନ୍ତୁ ପରେ ଯେତେବେଳେ ବାସୁଦେବ ତାଙ୍କୁ ପାଖକୁ ବିବାହ ପ୍ରସ୍ତାବ ନେଇ ଆସିଥିଲେ, ସେତେବେଳେ ସେ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ପୂରା ରୀତିନୀତିରେ ଉଭୟଙ୍କ ବାହାଘର ଅନୁଷ୍ଠିତ ହୋଇଥିଲା।

ଏ ସମ୍ପର୍କରେ ମେଘନା କହନ୍ତି, ‘‘ସୋସିଆଲ ମିଡିଆରେ ବାସୁଦେବ ମତେ ବାହା ହେବାକୁ ପ୍ରସ୍ତାବ ଦେଇଥିଲେ। ମୁଁ ତାଙ୍କୁ କହିଥିଲି, ମୁଁ ଜଣେ କିନ୍ନର। ତମ ପରିବାର ମତେ ଗ୍ରହଣ କରିବ ତ? ସେ ମୋ ପାଇଁ ତାଙ୍କ ପରିବାରକୁ ମନାଇଥିଲେ। ତାଙ୍କ ଭିତରେ ମୋ ପାଇଁ ମୁଁ ଭଲପାଇବା ଓ ସମ୍ମାନ ଦେଖିବାକୁ ପାଇଥିଲି। ଶେଷରେ ଆମେ ବିବାହ ବନ୍ଧନରେ ବାନ୍ଧିହେଲୁ”।

ମେଘନାଙ୍କୁ ପୂର୍ବରୁ ବାସୁଦେବ ନାୟକଙ୍କ ଅନ୍ୟ ଜଣେ ପତ୍ନୀ ଥିଲେ। ମାତ୍ର ଗୋଟିଏ ପୁଅ ହେବା ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ପତ୍ନୀଙ୍କଠାରୁ ଧୋକା ଖାଇବା ପରେ ସେ ଆଉ କେଉଁ ଝିଅକୁ ଆପଣେଇବାକୁ ଚାହୁଁନଥିଲେ। ଏପଟେ ତାଙ୍କ ପୁଅ ବି ମା’ର ସ୍ନେହରୁ ବଞ୍ଚିତ ହେଉଥିଲା। ତେଣୁ ଜଣେ କିନ୍ନରଙ୍କୁ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ ବାସୁଦେବ।

କ୍ୟାବ୍‌ ଡ୍ରାଇଭିଙ୍ଗ୍‌ କରି ଚର୍ଚ୍ଚାକୁ ଆସିଥିଲେ

 ୨୦୧୮ରେ କ୍ୟାବ୍‌ ଡ୍ରାଇଭିଙ୍ଗ୍‌ କରି ଚର୍ଚ୍ଚାକୁ ଆସିଥିଲେ କିନ୍ନର ମେଘନା ସାହୁ। ଏହାପରେ ସେ ହୋଇଯାଇଥିଲେ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ୟାବ୍‌ ଡ୍ରାଇଭର। ଲୋକ ତାଙ୍କ ସହିତ ଯାତ୍ରା କରିବାକୁ ପସନ୍ଦ କଲେ। ଡ୍ରାଇଭିଙ୍ଗ ସମୟର ଏକ ଅନୁଭୂତି ଏମିତି କହିଛନ୍ତି, ‘‘ମୁଁ ଯେତେବେଳେ କ୍ୟାବ୍ ଡ୍ରାଇଭିଙ୍ଗ୍ ଆରମ୍ଭ କରିଥିଲି। ଥରେ ମୋ ଗାଡ଼ିରେ ଜଣେ ସାଉଦି ଆରବର ଯାତ୍ରୀ ବସିଥିଲେ। ଓଡ଼ିଶାରେ ଜଣେ ଟ୍ରାନ୍ସଜେଣ୍ଡର କ୍ୟାବ୍ ଡ୍ରାଇଭିଂ କରୁଛନ୍ତି ଦେଖି ସେ ବହୁତ ଖୁସି ହୋଇଥିଲେ। ସେ ୫ ଶହ ଟଙ୍କା ବି ଦେଇଥିଲେ। ସେ ଟଙ୍କା ଏବେ ବି ମୁଁ ସାଇତି ରଖିଛି।

ଏବେ କିନ୍ନର ମେଘନା ସାହୁ ସ୍ୱାମୀ ଓ ପୁଅଙ୍କ ସହିତ ବେଶ୍‌ରେ ଖୁସିରେ ଅଛନ୍ତି। ସମାଜ ସେବାରେ ନିୟୋଜିତ ରହି ଲୋକଙ୍କ ସେବା କରୁଛନ୍ତି।

Comment