ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ବିଜେପି। ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ବିଜେପି ପ୍ରସ୍ତୁତ କରୁଛି ରଣନୀତି। ଏହି କ୍ରମରେ ପୁରୀଠାରେ ଚାଲିଛି ବିଜେପିର ପ୍ରଶିକ୍ଷଣ ଶିବିର ଏବଂ ଶିବିରରେ ପ୍ରଶିକ୍ଷଣ ଦେଉଛନ୍ତି ତୁଙ୍ଗନେତାମାନେ।

ବୁଧବାର ଦିନ ଶିବିରର ଦ୍ଵିତୀୟ ଦିନରେ ତିନିଟି ପ୍ରସଂଗକୁ ଗୁରୁତ୍ଵ ଦିଆଯାଇଛି। ଏଗୁଡ଼ିକ ହେଲା ନିର୍ବାଚନ ପରିଚାଳନା, ଗଣମାଧ୍ୟମ ସହ ସମ୍ପର୍କ ଏବଂ ମିଡିଆ ମାଧ୍ୟମରେ ବିଜେପିର କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା। ଶିବିରରେ ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ସବୁ ଜିଲ୍ଲା ସଭାପତି, ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀମାନେ ପଢ଼ିଛନ୍ତି ସଂଗଠନର ପାଠ। ଏମାନଙ୍କୁ ପାଠଢ଼ାଇଛନ୍ତି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସଭାପତି ସମୀର ମହାନ୍ତି, ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଜାତୀୟ ପ୍ରଶିକ୍ଷଣ ଇନ୍‌ଚାର୍ଜ ହେମନ୍ତ ଗୋସ୍ୱାମୀ।

ଆସନ୍ତାକାଲି ପ୍ରଶିକ୍ଷଣ ଶିବିରର ତୃତୀୟ ଦିନରେ କର୍ମକର୍ତ୍ତାକୁ ସଂଗଠନର ପାଠ ପଢ଼ାଇବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ଉତ୍ତରପ୍ରଦେଶର ସଫଳତା ଫର୍ମୁଲାରେ ଓଡ଼ିଶାରେ ସଂଗଠନ ମଜବୁତ କରିବାକୁ ଦେବେ ଗୁରୁମନ୍ତ୍ର।

ଆଜି ରାଜ୍ୟ ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, “ଜିଲ୍ଲା ପ୍ରଶାସନକୁ ବ୍ୟବହାର କରି ବିଜେଡି ନିର୍ବାଚନ ଆଗରୁ ସବୁପ୍ରକାର ଅନୈତିକ କାର୍ଯ୍ୟ କରିଥାଏ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଜେପି କିପରି ଘେରିବ ସେ ନେଇ ଆଜି ଦ୍ଵିତୀୟ ଦିନରେ ଆଲୋଚନା କରାଯାଇଛି।”

ସେ ଆହୁରି କହିଛନ୍ତି ବିଜେପି ବିଚାର ଧାରାର ମୂଳତତ୍ତ୍ଵ, କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଏବଂ କେନ୍ଦ୍ରର ବିକାଶମୂଳକ କାର୍ଯ୍ୟକ୍ରମକୁ ବିଜେପି କିପରି ଦେଖୁଛି ଏବଂ ଓଡ଼ିଶାରେ କିଭଳି ସେଗୁଡ଼ିକୁ କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଛି।

କେନ୍ଦ୍ରର ଯୋଜନାଗୁଡ଼ିକ କିଭଳି ତୃଣମୂଳସ୍ତରରେ ପହଞ୍ଚୁଛି ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଏହି ପ୍ରଶିକ୍ଷଣ ଶିବିର ଦ୍ଵାରା ନିର୍ବାଚନ ଆଗରୁ ଦଳିୟ ନେତୃତ୍ଵଙ୍କୁ ଏକ ଇନ୍ଧନ ମିଳିବ ବୋଲି ଭୃଗୁ ବକ୍ସିପାତ୍ର କହିଛନ୍ତି।

ରାଜ୍ୟ ସରକାର ୨୨ ବର୍ଷରେ ୨୨ଟି ଭଲ କାମ କରିଛନ୍ତି ବୋଲି କହିଦେଲେ ମୁଁ ରାଜନୀତି ଛାଡ଼ିଦେବି: କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ

ପୁରୀଠାରେ ଚାଲିଥିବା ବିଜେପିର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, “୨୨ ବର୍ଷର ଶାସନ କାଳରେ କେଉଁ କଲ୍ୟାଣକାରୀ ଯୋଜନା କରିଛନ୍ତି ରାଜ୍ୟ ସରକାର? ସେଥିମଧ୍ୟରୁ ୨୨ଟି ଯୋଜନାର ନାଁ କୁହନ୍ତୁ। ରାଜ୍ୟ ସରକାର ଯଦି ୨୨ଟି ଯୋଜନାର ନାଁ କହିଦେବେ, ତେବେ ମୁଁ ରାଜନୀତି ଛାଡ଼ିଦେବି।”

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାସ୍ତାଘାଟରେ ବଡ଼ ବଡ଼ ହୋର୍ଡିଂ ଲଗାଇ ୨୫ ବର୍ଷ ସେବା ଯୋଗାଇଥିବା ବିଜେଡି ସରକାର ପ୍ରଚାର କରୁଛନ୍ତି। ଏହାକୁ ବଦଳରେ ସରକାରଙ୍କୁ ସେବା ପରିବର୍ତ୍ତେ ଲୁଟିଛନ୍ତି ବୋଲି ଲେଖିବାର ଥିଲା। ଏଥର ବିଜେଡି ନୁହେଁ ଜନତା ଚାହିଁଲେ ରାଜ୍ୟରେ ବିଜେପି ଆସିବ।

ବିଜେପି ଦିବା ସ୍ଵପ୍ନ ଦେଖୁଛି: ମୁନ୍ନା ଖାଁ

ବିଜେପିର ଆଗାମୀ ନିର୍ବାଚନ ରଣନୀତି ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ। ସେ କହିଛନ୍ତି ବିଜେପି ଦିବା ସ୍ଵପ୍ନ ଦେଖୁଛି। ଲୋକସଭାରେ ୮ଟି ଆସନ ଏବଂ ରାଜ୍ୟସଭାରେ ୨୨ଟି ଆସନ ଆଗ ବଞ୍ଚାନ୍ତୁ। ତା’ ପରେ ଓଡ଼ିଶାରେ ସରକାର ଗଠନ କରିବାର ସ୍ଵପ୍ନ ଦେଖିବ। ତୃଣମୂଳସ୍ତରରୁ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଥିରେ ରହିଛନ୍ତି। ତେଣୁ ଲୋକେ ବିଜେଡିକୁ ଭୋଟ ଦେବେ ବୋଲି କହିଛନ୍ତି ମୁନ୍ନା ଖାଁ।

Tags: #Politics #OdishaPolitics #BJP #BJD #Training

Comment