ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରଠାରେ ଚାଲିଥିବା ‘ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’ରେ ସୁନ୍ଦରଗଡ଼ ହକି ଟିମ୍ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଚାମ୍ପିୟନସିପ୍ର ନକ୍ଆଉଟ୍ ମ୍ୟାଚରେ ଗଞ୍ଜାମ ଟିମ୍କୁ ୭-୦ ଗୋଲ୍ରେ ହରାଇ ସୁନ୍ଦରଗଡ଼ ଟିମ୍ ଏହି ବିଜୟ ଲାଭ କରିଛି।
ବୁଧବାର ଅପରାହ୍ଣ ୩ଟା ସମୟରେ କିଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ଖେଳର ପ୍ରଥମ କ୍ଵାର୍ଟରରେ ସୁନ୍ଦରଗଡ଼ ଟିମ୍ର ଡିଫେଣ୍ଡର ରଜତ କୁମାର ତିର୍କୀ ଏବଂ ଅଧିନାୟକ ବିଜୁ ଏକ୍କା ଗଞ୍ଜାମ ବିପକ୍ଷରେ ଦୁଇଟି ଫିଲ୍ଡ ଗୋଲ୍ କରିଥିଲେ। ଲଗାତାର ଦୁଇଟି ଗୋଲ୍ ହେବା ପରେ ଗଞ୍ଜାମ ଟିମ୍ ସତର୍କ ହୋଇ ସୁନ୍ଦରଗଡ଼ ଟିମ୍ର ଖେଳାଳିମାନଙ୍କୁ ଗୋଲପୋଷ୍ଟ ପାଖକୁ ପହଞ୍ଚିବାକୁ ଦେଇ ନଥିଲେ। ଦ୍ଵିତୀୟ କ୍ଵାର୍ଟରରେ ଉଭୟ ଦଳ ପକ୍ଷରୁ ବେଶ୍ କସରତ୍ ଦେଖିବାକୁ ମିଳିଥିଲା। ତଥାପି ମ୍ୟାଚ୍ର ୨୫ ମିନିଟ୍ ବେଳକୁ ସୁନ୍ଦରଗଡ଼ ଟିମ୍ର ଡିଫେଣ୍ଡର ରୋଶନଜିତ ମିଞ୍ଜ ପେନାଲ୍ଟି କର୍ଣ୍ଣରରେ ଆଉ ଏକ ଗୋଲ୍ କରିଥିଲେ। ଫଳରେ ଦୁଇଟି କ୍ଵାର୍ଟର ସୁନ୍ଦରଗଡ଼ ଟିମ୍ ଗଞ୍ଜାମଠାରୁ ୩ଟି ଗୋଲ୍ରେ ଆଗୁଆ ରହିଥିଲା।ମ୍ୟାଚ୍ର ତୃତୀୟ କ୍ଵାର୍ଟରରେ ମଧ୍ୟ ଗଞ୍ଜାମ ଟିମ୍ର ଖେଳାଳିମାନେ ସୁନ୍ଦରଗଡ଼ ଟିମ୍କୁ ଡିଫେଣ୍ଡ କରିବାକୁ ଚେଷ୍ଟା କରିଥିଲେ। ହେଲେ ସୁନ୍ଦରଗଡ଼ର ଡିଫେଣ୍ଡର ରୋଶନଜିତ ମିଞ୍ଜ ପୁଣି ଏକ ଫିଲ୍ଡ ଗୋଲ୍ କରି ଦଳ ଖାତାରେ ଚତୁର୍ଥ ଗୋଲ୍ ଯୋଡ଼ିଥିଲେ। ଶେଷ କ୍ଵାର୍ଟରରେ ମଧ୍ୟ ସୁନ୍ଦରଗଡ଼ର ପଲ୍ଲା ଭାରି ରହିଥିଲା। ଏହି କ୍ଵାର୍ଟରରେ ସୁନ୍ଦରଗଡ଼ ଟିମ୍ ଗୋଟିଏ ପେନାଲ୍ଟି କର୍ଣ୍ଣର ଏବଂ ଦୁଇଟି ଫିଲ୍ଡ ଗୋଲ୍ କରି ୭-୦ରେ ମ୍ୟାଚ୍ଟିକୁ ଜିତିଥିଲେ। ଆଜିର ମ୍ୟାଚ୍ରେ ସୁନ୍ଦରଗଡ଼ ଟିମ୍ର ଡିଫେଣ୍ଡର ରୋଶନଜିତ ମିଞ୍ଜ ସର୍ବାଧିକ ୩ଟି ଗୋଲ୍ କରିଥିଲେ।“ସିନିୟର ମେନ୍ ହକି ଚାମ୍ପିୟନସିପ୍ସର ନକ୍ଆଉଟ୍ ମ୍ୟାଚ୍ରେ ଗଞ୍ଜାମ ଟିମ୍କୁ ଆମେ ୭-୦ ଗୋଲ୍ରେ ହରାଇ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛୁ। ଏଥିପାଇଁ ଆମେ ବହୁତ ଖୁସି। ବିଶେଷକରି ଆମ ଟିମ୍ର ରଣନୀତି ଏବଂ ଡିଫେଣ୍ଡରମାନଙ୍କ ଭଲ ପ୍ରଦର୍ଶନ ଆମକୁ ଏହି ମ୍ୟାଚ୍ରେ ବିଜୟୀ କରିପାରିଛି। ଆଗାମୀ ମ୍ୟାଚ୍ରେ ବି ଆହୁରି ଭଲ ପ୍ରଦର୍ଶନ କରି ଆମେ ସେମିଫାଇନାଲକୁ ଯିବାକୁ ଆଶା ରଖିଛୁ”, କହିଛନ୍ତି ସୁନ୍ଦରଗଡ଼ ହକି ଟିମ୍ର ଅଧିନାୟକ ବିଜୁ ଏକ୍କା।
ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଚାଲିଥିବା ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ୨୪ଟି ଜିଲ୍ଲା ଏବଂ ୬ଟି ଏକାଡେମି ଟିମ୍କୁ ମିଶାଇ ମୋଟ୍ ୩୦ଟି ଟିମ୍ ଅଂଶଗ୍ରହଣ କରିଛନ୍ତି। ସେପ୍ଟେମ୍ଵର ୧୫ରେ କିଟ୍ ଷ୍ଟାଡିୟମ ଭେନ୍ୟୁରେ କ୍ଵାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ୧୬ ତାରିଖରେ ସେମିଫାଇନାଲ୍ ଖେଳାଯିବ। ସେହିପରି ସେପ୍ଟେମ୍ଵର ୧୭ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।
Tags: #HAOSeniorMenHockeyChampionships2022 #HockeyAssociationofOdisha #HockeyOdisha #Sundargarh #Hockey