ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରେ ସାମିଲ ହେଲେ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କ ପୁଅ ରବି ନାଚିକା। ନାଚିକା ଲିଙ୍ଗା ନିଜେ ନ ମିଶି ନିଜ ପୁଅକୁ ବିଜୁ ଜନତା ଦଳ(ବିଜେଡି)ରେ ମିଶାଇଛନ୍ତି। ଏହା ପୂର୍ବରୁ ନାଚିକା ଲିଙ୍ଗା ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା।

ନାଚିକା ଲିଙ୍ଗା ପୁଅ ରବି ନାଚିକା ଏବଂ ଅନେକ ସମର୍ଥକଙ୍କୁ ସାଂଗରେ ଧରି ଆଜି ଭୁବନେଶ୍ଵରରେ ପହଞ୍ଚିଥିଲେ। ଏହାକୁ ଦେଖି ନାଚିକା ଲିଙ୍ଗା ବିଜେଡିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା। ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇ ଶେଷ ମୁହୂର୍ତ୍ତରେ ନାଚିକା ଲିଙ୍ଗା ନିଜେ ବିଜେଡିରେ ସାମିଲ ନହୋଇ ତାଙ୍କ ପୁଅ ରବିଙ୍କୁ ବିଜେଡି ସାମିଲ କରାଇଛନ୍ତି।

ନାଚିକା ଲିଙ୍ଗା ନିଜେ ବିଜେଡିରେ ଯୋଗ ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସବୁ ବଦଳି ଯାଇଥିଲା। ପୁଅ ରବି ନାଚିକା ବିଜେଡିରେ ସାମିଲ ହେବା ସମୟରେ ନାଚିକା ଲିଙ୍ଗା କିଛି ବାଟ ଦୂରେ ରହିଥିବା ଜଣାପଡ଼ିଛି। ଆଗାମୀ ଦିନରେ ନାଚିକା ବିଜେଡିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

ଦିନେ ସରକାରୀ କଳ ଓ ସରକାରୀ ଦଳକୁ ସମାଲୋଚନା କରୁଥିବା ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ସମର୍ଥକଙ୍କ ସହ ଦଳରେ ସାମିଲ ହେବାକୁ ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ନିଜର ସମର୍ଥକମାନଙ୍କୁ ସାଙ୍ଗରେ ଧରି ଭାଲିଆପୁଟ ଗାଁରୁ ଗୁରୁବାର ଦିନ ବାହାରି ଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଆଜି ରାଜଧାନୀ ଭୁବନେଶ୍ଵରରେ ପହଞ୍ଚିଥିଲେ। ତାଙ୍କ ସହିତ ଥିଲେ କୋରାପୁଟ ଜିଲ୍ଲାର ନେତାମାନେ।

ଦିନ ଥିଲା ନାଚିକା ଲିଙ୍ଗା ଆଦିବାସୀମାନଙ୍କ ଜଳ, ଜମି, ଜଙ୍ଗଲ ଅଧିକାର ଓ ମଦ ମୁକ୍ତି ଅଭିଯାନ ପାଇଁ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଆନ୍ଦୋଳନକୁ ଜୋରଦାର କରିଥିଲେ। ତାଙ୍କ ଡାକରାରେ ହଜାର ହଜାର ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଲାଇ ଥିଲେ। ୨୦୦୯ ନଭେମ୍ବର ୨୦ ତାରିଖରେ ନାରାୟଣପାଟଣା ଥାନା ଆକ୍ରମଣ ଅଭିଯୋଗରେ ସଂଘର ଦୁଇ ସଦସ୍ୟ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ଏବଂ ୪ ବର୍ଷ ଧରି ଆତ୍ମଗୋପନ କରିଥିଲେ ନାଚିକା ଲିଙ୍ଗା।

ଏହି ସମୟ ମଧ୍ୟରେ ହଜାର ହଜାର ସଂଘ ସଦସ୍ୟ ଆତ୍ମସମର୍ପଣ କରିବା ସହିତ ଶତାଧିକଙ୍କୁ ପୋଲିସ୍ ଗିରଫ କରିଥିଲା। କେବଳ ସେତିକି ନୁହେଁ ନାଚିକା ଲିଙ୍ଗାଙ୍କ ନାଁରେ ବିଭିନ୍ନ ଦଫାରେ ୪୦ରୁ ଊର୍ଦ୍ଧ୍ଵ ମାମଲା ରୁଜୁ ହେବା ସହ ବିଚାରଧୀନ ବନ୍ଦୀ ଭାବେ ସେ ସଜ୍ଜା କାଟିଥିଲେ। ପରେ ୨୦୨୦ ମସିହାରେ ସେ ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏହାରି ଭିତରେ ନାଚିକା ନିଜ ପତ୍ନୀଙ୍କୁ ପୋଡ଼ାପଦର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ କରାଇବାକୁ ସକ୍ଷମ ହୋଇଥିଲେ।

ଗତ ପଞ୍ଚାୟତ ନିର୍ବାଚନରେ ନାଚିକା ଲିଙ୍ଗା ନାରାୟଣପାଟଣା ବ୍ଲକର ଜିଲ୍ଲାପରିଷଦ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ହାରି ଯାଇଥିଲେ ମଧ୍ୟ ବିଜୟୀ କଂଗ୍ରେସ ପ୍ରାର୍ଥୀଙ୍କ ପରେ ଦ୍ଵିତୀୟ ସ୍ଥାନରେ ରହିଥିଲେ ନାଚିକା। କିନ୍ତୁ ଶାସକ ବିଜେଡି ଏଠାରେ ତୃତୀୟ ସ୍ଥାନରେ ରହିଥିଲା।

୨୦୧୯ ବିଧାନସଭା ନିର୍ବାଚନର ବିଜେଡି ପକ୍ଷରୁ ପ୍ରାର୍ଥୀ ହେବାକୁ ସମସ୍ତ ପ୍ରକ୍ରିୟା ଏକ ପ୍ରକାର ଶେଷ ହୋଇଥିବା କଥା ଶୁଣା ଯାଉଥିବାବେଳେ ତାଙ୍କ ବିରୋଧରେ ମାମଲା ଥିବାରୁ ସେ ପ୍ରାର୍ଥୀ ହୋଇପାରି ନଥିଲେ।

Tags: #Politics #OdishaPolitics #NachikaLinga #BJD #Narayanpatna #Bhubaneswar

Comment