ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ‘ଗୁଜୁରାଟର ଲୁଣ’ ମନ୍ତବ୍ୟକୁ ନେଇ ଏବେ କଂଗ୍ରେସ-ବିଜେପି ମଧ୍ୟରେ ବିବାଦ ବଢ଼ିଛି। କିଛି ଦିନ ତଳେ ରାଷ୍ଟ୍ରପତି ଗୁଜୁରାଟ ଗସ୍ତରେ ଯାଇଥିଲେ। ଏହି ସମୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ମୁର୍ମୁ କହିଥିଲେ ଯେ, ଗୁଜୁରାଟରେ ଦେଶର ୭୬ ପ୍ରତିଶତ ଲୁଣ ପ୍ରସ୍ତୁତ କରାଯାଏ। ଦେଶବାସୀ ଗୁଜୁରାଟର ଲୁଣ ଖାଉଛନ୍ତି।

ରାଷ୍ଟ୍ରପତିଙ୍କର ଏହି ‘ଲୁଣ’ ବୟାନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଉଦିତ ରାଜ ଟୁଇଟରରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଛନ୍ତି। କଂଗ୍ରେସ ନେତାଙ୍କର ଏହି ମନ୍ତବ୍ୟକୁ ବିଜେପି ଦୁର୍ଭାଗ୍ୟଜନକ ବୋଲି କହିବା ସହ କଂଗ୍ରେସ ଉପରେ ଖୁବ୍ ବର୍ଷିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କରିଛନ୍ତି, “ଉଦିତ ରାଜ ପ୍ରଥମ ଥର ପାଇଁ ଏଭଳି ଅପଶବ୍ଦର ବ୍ୟବହାର କରିନାହାନ୍ତି। ସେ ଏହା ବାରମ୍ବାର କରିଆସୁଛନ୍ତି। ତାଙ୍କ ମନ୍ତବ୍ୟରୁ ଆଦିବାସୀ ବିରୋଧୀ ମାନସିକତା ଝଲସୁଛି।”

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜୁରାଟ ଗସ୍ତରେ ଯାଇଥିବା ବେଳେ ସାବରମତି ଆଶ୍ରମରେ ପହଞ୍ଚି ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଦେଶର ୭୬ ପ୍ରତିଶତ ଲୁଣ ଗୁଜୁରାଟରେ ପ୍ରସ୍ତୁତ କରାଯାଏ। ସମଗ୍ର ଦେଶବାସୀ ଗୁଜୁରାଟର ଲୁଣ ଖାଉଛନ୍ତି।

କ’ଣ କହିଲେ କଂଗ୍ରେସ ନେତା ଉଦିତ ରାଜ?

କଂଗ୍ରେସର ବରିଷ୍ଠ ନେତା ଉଦିତ ରାଜ ରାଷ୍ଟ୍ରପତିଙ୍କ ଲୁଣ ମନ୍ତବ୍ୟକୁ ନେଇ କହିଲେ ଯେ, “ଦ୍ରୌପଦୀ ମୁର୍ମୁଙ୍କ ଭଳି ରାଷ୍ଟ୍ରପତି କୌଣସି ଦେଶକୁ ନମିଳନ୍ତୁ। ଚାମଚାଗିରିର ଗୋଟିଏ ସୀମା ରହିଛି। କହୁଛନ୍ତି ୭୦ ପ୍ରତିଶତ ଲୋକ ଗୁଜୁରାଟର ଲୁଣ ଖାଉଛନ୍ତି। ନିଜେ ଲୁଣ ଖାଇ ବଞ୍ଚିଲେ ଜଣିପାରିବେ।”

ଏହି ମନ୍ତବ୍ୟ ତାଙ୍କର ନିଜସ୍ଵ ବୋଲି ଟୁଇଟରେ ଉଲ୍ଲେଖ କରିଥିଲେ କଂଗ୍ରେସ ନେତା ଉଦିତ ରାଜ।

କଂଗ୍ରେସ ଉପରେ ବର୍ଷିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ଉଦିତ ରାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ପାଲଟା ଆକ୍ରମଣ କରିଛି ବିଜେପି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଉଦିତ ରାଜ ରାଷ୍ଟ୍ରପତିଙ୍କ ପାଇଁ ବ୍ୟବହାର କରିଥିବା ଶବ୍ଦ ଚିନ୍ତାଜନକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ। ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ଯାହା ସେମାନଙ୍କର ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଛି।

ଏହି ଘଟଣାକୁ ନେଇ ଏବେ ରାଜନୀତି ଘନେଇବାକୁ ଲାଗିଛି। କଂଗ୍ରେସ ନିଜ ନେତାମାନଙ୍କୁ ବ୍ୟବହାର କରି ହୀନ ରାଜନୀତି କରୁଥିବା ବିଜେପି କହୁଥିବାବେଳେ ଏହା ସେମାନଙ୍କର ନିଜସ୍ଵ ମନ୍ତବ୍ୟ ବୋଲି କହୁଛନ୍ତି ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା।

Tags: #Politics #IndianPolitics #PresidentOfIndia #DraupadiMurmu #Congress #BJP #UditRaj #SambitPatra

Comment