ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ ହକି ପ୍ରୋ-ଲିଗ୍‌ର ନୂଆ ସିଜନ। ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ପାଇଁ ଭାରତୀୟ ଦଳର ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ଅକ୍ଟୋବର ୨୮ରୁ ଆସନ୍ତା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ମୋଟ ୪ଟି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଲାଗି ୨୨ ଜଣିଆ ଭାରତୀୟ ଦଳ ଚୟନ କରାଯାଇଛି। ଏଫଆଇଏଚ୍ ପ୍ଲେୟର ଅଫ ଦ ଇୟର ହରମନପ୍ରୀତଙ୍କୁ ଦଳର ଅଧିନାୟକ ଦାୟିତ୍ଵ ମିଳିଛି। ଏହା ସହିତ ପୂର୍ବତନ ଅଧିନାୟକ ମନପ୍ରୀତ ସିଂ ହୋଇଛନ୍ତି ଦଳର ଉପଅଧିନାୟକ।

ଏହି ୨୨ ଜଣିଆ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଦୁଇଜଣ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ନୀଲମ ସଞ୍ଜୀବ ଖେସ। ଆଉ ଦୁଇ ଜଣ ନୂଆ ଖେଳାଳି ହମମ୍ମଦ ରାହୀଲ ଏବଂ ଏସ୍ କୀର୍ତ୍ତିଙ୍କୁ ମଧ୍ୟ ସୁଯୋଗ ମିଳିଛି। ଉଭୟ ଖେଳାଳି ୧୧ ଜଣିଆ ସିନିଅର ଦଳରେ ପ୍ରଥମ ଥର ଖେଳିବାକୁ ଯାଉଛନ୍ତି।

ଏଫଆଇଏଚ ହକି ପ୍ରୋ-ଲିଗ ପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଏହି ଘରୋଇ ଦଳ ନ୍ୟୁଜିଲାଣ୍ଡ ଏବଂ ସ୍ପେନ ବିପକ୍ଷରେ ଡବଲ ଲିଗ୍ ମ୍ୟାଚ ଖେଳିବେ। ଭାରତୀୟ ଦଳ ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ସହ ଅକ୍ଟୋବର ୨୮ ଏବଂ ସ୍ପେନ ସହ ଅକ୍ଟୋବର ୩୦ରେ ପ୍ରଥମ ଲିଗ ମ୍ୟାଚ ଖେଳିବେ। ସେହିପରି ଦ୍ଵିତୀୟ ଲିଗର ପ୍ରଥମ ମୁକାବିଲା ନ୍ୟୁଜିଲ୍ୟାଣ୍ଡ ସହ ନଭେମ୍ବର ୪ ତାରିଖରେ ଏବଂ ନଭେମ୍ବର ୬ ତାରିଖରେ ସ୍ପେନ ସହ ଖେଳିବେ।

ଉଭୟ ନ୍ୟୁଜିଲ୍ୟାଣ୍ଡ ଏବଂ ସ୍ପେନ ଦଳ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ହକି ଖେଳାଳିଙ୍କୁ ନେଇ ଉତ୍ସବମୁଖର ହୋଇଛି କଳିଙ୍ଗ ଷ୍ଟାଡିୟମ।

Tags: #Sports #FIHHockeyProLeague #IndianTeam #OdishaForHockey #Hockey #HockeyFever #KalingaStadium

Comment