ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମଭୂମି ଓଡ଼ିଶା ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ମାଟିରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ମହାମହିମଙ୍କୁ। ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ରାଜନଅରରେ ଗଜପତି ମହାରାଜା ଏବଂ ତାଙ୍କ ପତ୍ନୀଙ୍କ ତଳେ ବସି କଦଳୀ ପତ୍ରରେ ଅବଢ଼ା ଖାଇଥିଲେ ଦ୍ରୌପଦୀ ମୁର୍ମୁ। ପୁରୀରୁ ଫେରି ସେ ଭୁବନେଶ୍ୱର ରାଜଭବନଠାରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ।

ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇ ଭାରତର ରାଷ୍ଟ୍ରପତି ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରମୁଖ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୂର୍ବରୁ ରାଜ୍ୟବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ଜଣାଇ ଅଭିଭାଷଣ ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, “ରାଷ୍ଟ୍ରପତି ହେବା ପରେ ଆପଣ ନିଜ ମାଟିକୁ ପ୍ରଥମ ଥର ପାଇଁ ଆସିଛନ୍ତି। ଆପଣ ହେଉଛନ୍ତି ଓଡ଼ିଶାର ପ୍ରଥମ ତଥା ପ୍ରଥମ ଆଦିବାସୀ ଝିଅ ଯିଏ ଦେଶର ମହାମହିମ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ଆପଣ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି, ଓଡ଼ିଶା ମାଟିକୁ ଗର୍ବିତ କରିଛନ୍ତି। ‘ରାଇରଙ୍ଗପୁରରୁ ରାଇସିନା ହିଲ୍ସକୁ ଆପଣଙ୍କର ଏହି ଯାତ୍ରା ପାଇଁ ପ୍ରତିଟି ଓଡ଼ିଆ ଆଜି ଗର୍ବିତ’।“

ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନ କରିଥିଲେ। ପ୍ରଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ଜର୍ସି, ବାନ୍ଧ ଶିଳ୍ପୀ ସୁରେନ୍ଦ୍ର ମେହେର ନିଜସ୍ଵ ପ୍ରସ୍ତୁତ ଏକ ବାନ୍ଧକଳା ଉପହାର ଦେଇଥିଲେ । ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶୀ ଅରୁଣା ମହାନ୍ତି ତାଳପତ୍ରର ଏକ ଉପହାର ପ୍ରଦାନ କରିଥିବାବେଳେ ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ ଉତରୀୟ ଏବଂ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ରାଷ୍ଟ୍ରପତିଙ୍କୁ ନିଜ ଲିଖିତ ପୁସ୍ତକ ପ୍ରଦାନ କରିଥିଲେ। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ମହିଳା ମାଣ୍ଡିଆ ଚାଷୀ ସୁବାସୋ ମହାନ୍ତ ରାଷ୍ଟ୍ରପତିଙ୍କୁ ମାଣ୍ଡିଆ କିଟ୍ ଉପହାର ସ୍ଵରୂପ ଦେଇଥିଲେ।

ଉତ୍ସବ ପରେ ରାଷ୍ଟ୍ରପତି ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଏହା ସହିତ ଓଡ଼ିଶାବାସୀଙ୍କର ତାଙ୍କ ପ୍ରତି ସ୍ନେହ ଏବଂ ଶ୍ରଦ୍ଧା ପାଇଁ ସେ ଧନ୍ୟବାଦ କହିଥିଲେ। ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରିବା ସହ ଭାରତ ତଥା ସମଗ୍ର ବିଶ୍ୱର ସମୃଦ୍ଧି କାମନା କରିଥିବା କହିଥିଲେ ଦ୍ରୌପଦୀ ମୁର୍ମୁ। ସେ କହିଥିଲେ ମହାପ୍ରଭୁ ଜଗନ୍ନାଥ କେବଳ ଓଡ଼ିଶାର ନୁହଁନ୍ତି ସାରା ବିଶ୍ୱର ଠାକୁର।

Tags: #PresidentOfIndia #DraupadiMurmu #Felicitate #CMOdisha #Governer #OdishaVisit

Comment