ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପୁରୁଣା ଦିନର ସ୍ମୃତି ସାଉଣ୍ଟିଛନ୍ତି ଓଡ଼ିଶା ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ଗସ୍ତର ଦ୍ଵିତୀୟ ଦିନରେ ସେ ପାଠ ପଢ଼ିଥିବା ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ। ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍କୁଲ ପରିସରକୁ ପାଛୋଟି ନିଆଯାଇଥିଲା ରାଷ୍ଟ୍ରପତିଙ୍କୁ।

ଏହି ସ୍କୁଲରେ ସହପାଠୀଙ୍କ ସହ ଏକାଠି ହୋଇଥିଲେ ରାଷ୍ଟ୍ରପତି। ୪୮ ବର୍ଷ ପରେ ପ୍ରାୟ ୧୩ ସହପାଠୀଙ୍କୁ ପାଖରେ ପାଇ ଭାବବିହ୍ଵଳ ହୋଇପଡ଼ିଥିଲେ ସମସ୍ତେ। ଏହାପରେ ନିଜର ସହପାଠୀମାନଙ୍କୁ ରାଜଭବନ ଆସିବା ଲାଗି ନିମନ୍ତ୍ରଣ କରିଥିଲେ ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତି ସ୍କୁଲ ପରିସରରେ ଛାତ୍ରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ। ନିଜ ସ୍କୁଲ ସମୟର ସ୍ମୃତି ସମ୍ପର୍କରେ ରାଷ୍ଟ୍ରପତି ଛାତ୍ରୀମାନଙ୍କୁ କହିଥିଲେ। ପାଠପଢ଼ି ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ। ରାଷ୍ଟ୍ରପତିଙ୍କୁ ପାଖରେ ପାଇ ବେଶ ଉତ୍ସହିତ ହୋଇପଡ଼ିଥିଲେ ଛାତ୍ରୀ ଏବଂ ଶିକ୍ଷକମାନେ।

“ଏହି ସ୍କୁଲରେ ପାଠପଢ଼ି ମୁଁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇପାରିଛି। ଏଠାରୁ ବାହାରିବା ପରେ ତୁମେମାନେ ମଧ୍ୟ ନିଜର ସ୍ଵପ୍ନ ପୂରଣ କରିପାରିବ। ସେଥିପାଇଁ ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଏବଂ କଠିନ ପରିଶ୍ରମ କରିବାକୁ ପଡ଼ିବ”, କହିଥିଲେ ରାଷ୍ଟ୍ରପତି।

ଏହା ପରେ ସେ ନିଜେ ରହିଥିବା କୁନ୍ତଳା କୁମାରୀ ସାବତ ଆଦିବାସୀ ଗାର୍ଲସ ହଷ୍ଟେଲ ପରିଦର୍ଶନ କରିଥିଲେ। ରହିଥିବା ହଷ୍ଟେଲ ରୁମରେ କିଛି ସମୟ ବସି ପୁରୁଣା ଦିନକୁ ମନେ ପକାଇଥିଲେ। ହଷ୍ଟେଲ ରୁମରେ ଏକାଠି ରହୁଥିବା ସହପାଠୀ ଆସି ନଥିବାରୁ ତାଙ୍କୁ ମନେ ପକାଇଥିଲେ ରାଷ୍ଟ୍ରପତି।

ସ୍କୁଲ ତରଫରୁ ପୁରୁଣା ସ୍ମୃତିକୁ ଫଟୋ ଫ୍ରେମରେ ସଜେଇ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ଏହା ପରେ ରାଜଭବନ ଫେରିଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ।

Tags: #PresidentofIndia #DraupadiMurmu #OdishaVisit #Unit2GirlsHighSchool

Comment