ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନେ ଇଂରାଜୀ କହିବାକୁ ଡରୁଥିଲେ, ହେଲେ ଆଜି ସେ ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଉଦ୍ୟୋଗୀ। ସେ ହେଉଛନ୍ତି ଓଡ଼ିଆ ପୁଅ ଅମରେନ୍ଦ୍ର ସାହୁ। ଆସନ୍ତୁ ଜାଣିବା ତାଙ୍କ ସଫଳତାର କାହାଣୀ।

ଦିନେ ଇଂରାଜୀ କହିବାକୁ ଡରୁଥିବା ଅମରେନ୍ଦ୍ର ସାହୁ ଆଜି ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଉଦ୍ୟୋଗୀ ଭାବେ ଖ୍ୟାତିଲାଭ କରିପାରିଛନ୍ତି। ଦିନଥିଲା ସେ ଭଲ ଭାବରେ ଇଂରାଜୀ କହି ପାରୁନଥିଲେ। ହିନ୍ଦୀ ବୁଝି ପାରୁଥିଲେ ମଧ୍ୟ କାହା ଆଗରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁଥିଲେ। କିନ୍ତୁ ଏବେ ସେ ବେଙ୍ଗାଳୁରୁ ବେସ୍‌ଡ ଷ୍ଟାର୍ଟଅପ୍ ‘ନେଷ୍ଟଆୱେ’ର ସିଇଓ ତଥା ଓଡ଼ିଶାର ଜଣେ ସଫଳ ଯୁବ ଉଦ୍ୟୋଗୀ।

କେମିତି ଇଂରାଜୀ କହିବା ଆରମ୍ଭ କଲେ ଅମରେନ୍ଦ୍ର?

ଭଦ୍ରକ ଜିଲ୍ଲା ଚରମ୍ପା ସରକାରୀ ସ୍କୁଲରେ ପାଠ ପଢ଼ୁଥିଲେ ଅମରେନ୍ଦ୍ର ସାହୁ। ସେ ସବୁବେଳେ ସ୍କୁଲରେ ପ୍ରଥମ ସ୍ଥାନରେ ରହୁଥିଲେ। ଏମିତିକି ଦଶମ ବୋର୍ଡ ପରୀକ୍ଷାରେ ସାରା ରାଜ୍ୟରେ ୧୯ ନମ୍ବର ରାଙ୍କରେ ମଧ୍ୟ ରହିଥିଲେ। ଯୁକ୍ତ ୨ ପଢ଼ିବା ପାଇଁ ଭଦ୍ରକ କଲେଜରେ ନାମ ଲେଖାଇଲେ। ସେଠାରେ ମଧ୍ୟ ନିଜ ପଢ଼ା ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଲେ। ସୌଭାଗ୍ୟବଶତଃ ଯୁକ୍ତ ୨ ବୋର୍ଡ ପରୀକ୍ଷାରେ ରାଜ୍ୟରେ ଷଷ୍ଠ ସ୍ଥାନ ହାସଲ କରିଥିଲେ ଅମରେନ୍ଦ୍ର।

୧୯୯୯ ମସିହା ଓଜେଇଇ ପରୀକ୍ଷାରେ ୩୦୭ ରାଙ୍କରେ ରହିଥିଲେ ଅମରେନ୍ଦ୍ର ସାହୁ। ଆଇଆଇଟିରେ ତାଙ୍କର ୨୯୩୪ ରାଙ୍କ ରହିଥିଲା। ଅମରେନ୍ଦ୍ର ଏଥିରେ ସନ୍ତୁଷ୍ଟ ନହୋଇ ପୁଣିଥରେ ଓଜେଇଇ ଓ ଆଇଆଇଟି ପରୀକ୍ଷା ଦେଇଥିଲେ। ପର ମୁହୂର୍ତ୍ତରେ ଭଲ ରାଙ୍କ ରଖି ଏନଆଇଆଇଟି ସୁରଥକଲରେ କମ୍ପ୍ୟୁଟର ସାଇନ୍ସରେ ଆଡ୍‌ମିସନ କଲେ। ସେହି କଲେଜରେ ସବୁ ରାଜ୍ୟର ଟପ୍ପରମାନେ ଆଡ୍‌ମିସନ କରିଥିଲେ। ସମସ୍ତେ ଇଂରାଜୀରେ କଥାବାର୍ତ୍ତା ହେଉଥାନ୍ତି। ଅଧ୍ୟାପକମାନେ ମଧ୍ୟ ଇଂରାଜୀରେ ପାଠ ପଢ଼ାଉଥାନ୍ତି। କିନ୍ତୁ ସେତେବେଳକୁ ଅମରେନ୍ଦ୍ରଙ୍କୁ ଭଲ ଭାବରେ ଇଂରାଜୀ କହିବା ଜଣାନଥିଲା। ତେଣୁ ସେ କ୍ଲାସରେ କେବଳ ଚୁପ୍‌ଚାପ୍ ବସି ଶୁଣୁଥିଲେ। ଯଦିଓ ସେ ହିନ୍ଦୀ ବୁଝିପାରୁଥିଲେ କିନ୍ତୁ କହିବାକୁ କୁଣ୍ଠାବୋଧ ପ୍ରକାଶ କରୁଥିଲେ।

ଦିନେ ସେ ତାଙ୍କ ବାପାଙ୍କୁ ଓଡ଼ିଶାରୁ ଇଂରାଜୀ ଶିକ୍ଷା ଅଭିଧାନ ପଠାଇବା ପାଇଁ କହିଥିଲେ। ସବୁ ସାଙ୍ଗମାନେ ଶୋଇବା ପରେ ଗୋଟିଏ ଇଂରାଜୀ ଖବରକାଗଜ ଧରି ଅଜଣା ଶବ୍ଦକୁ ପେନ୍‌ସିଲରେ ଗୋଲ ବୁଲାଇ, ପରେ ତାହାର ଅର୍ଥ ବାହାର କରି ବୁଝୁଥିଲେ। ଏହା ଧୀରେ ଧୀରେ ଅମରେନ୍ଦ୍ରଙ୍କର ଅଭ୍ୟାସ ବଢ଼ିବାକୁ ଲାଗିଲା। ଏହିଭଳି ଅଭ୍ୟାସ ଦ୍ୱାରା ତାଙ୍କର ୬ ମାସ ଭିତରେ ଇଂରାଜୀରେ ସୁଧାର ଆସିଯାଇଥିଲା। ଇଂରାଜୀ ଶିଖି ଅନ୍ୟ ଆଗରେ କହିବାର ଇଚ୍ଛାଶକ୍ତି, ଆଜି ତାଙ୍କୁ ବାସ୍ତବରେ ଅନ୍ତର୍ଜାତୀୟ ସ୍ତରରେ ଏକ ସଫଳ ଉଦ୍ୟୋଗୀ କରି ଗଢ଼ିତୋଳିପାରିଛି।

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ରେ ଏକ ସାକ୍ଷାତକାର ଦେଇ ଅମରେନ୍ଦ୍ର ସାହୁ ତାଙ୍କ ଜୀବନର ଏହି ଅଭୁଲା ସ୍ମୃତି ବିଷୟରେ କହିଛନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପନା କରୁଛନ୍ତି। ‘ଓଡ଼ିଶାଲାଇଭ୍‌’ ଫେସବୁକ୍‌ ଓ ୟୁଟ୍ୟୁବରେ ଦର୍ଶକ ଏହି ସାକ୍ଷାତକାର ଦେଖିପାରିବେ।

ନେଷ୍ଟଆଓ୍ୱେ?

ଅଜଣା ସହରରେ ନିଜ ପାଇଁ ଏକ ଭଡ଼ା ଘର ଖୋଜିବା ଏକ ବଡ଼ ସମସ୍ୟା ହୋଇଥାଏ। ଏହି ସମସ୍ୟାର ଏକ ସହଜ ସମାଧାନ ସୂତ୍ର ବାହାର କରି ଅମରେନ୍ଦ୍ର ସାହୁ ଷ୍ଟାର୍ଟଅପ୍‌ ‘ନେଷ୍ଟଆଓ୍ୱେ’ ଆରମ୍ଭ କରିଥିଲେ। ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ନେଷ୍ଟଆଓ୍ୱେ’ ମାଧ୍ୟମରେ ଜଣେ ଅତି ସହଜରେ ଭଡ଼ାଘର ପାଇପାରୁଛନ୍ତି।

Tags: #AmarendraSahu #NestAway #StartupStory #StartupOdisha #ନେଷ୍ଟଆଓ୍ୱେ #ଅମରେନ୍ଦ୍ରସାହୁ

Comment