ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେବା ପରେ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସରକାରଙ୍କ ଉପରେ ବର୍ଷିଛନ୍ତି।

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “୧୯୯୦ ମସିହାରେ ବସିଥିବା କମିଶନରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ଦାବିରେ ୨୦୧୧ ମସିହାରେ ମଧ୍ୟ ପଦ୍ମପୁର ଅଞ୍ଚଳର ବୁଦ୍ଧିଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। କେବଳ ସେତିକି ନୁହେଁ, ତତ୍କାଳୀନ ବିଧାୟକ ପ୍ରଦୀପ ପୁରୋହିତ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବା ସମୟରେ ଏ ସମ୍ପର୍କରେ କୌଣସି ପ୍ରସ୍ତାବ ନଥିବା କୁହାଯାଇଥିଲା। ତେଣୁ ୨୦୧୮ ମସିହା ଡିସେମ୍ବର ୨୫ ତାରିଖରେ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ନିଜେ ଚିଠି ଲେଖି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଥିଲେ। ମାତ୍ର ତା’ର କୌଣସି ଉତ୍ତର ମିଳିଲା ନାହିଁ। ଆଉ ଏବେ ଉପନିର୍ବାଚନକୁ ଦେଖି ମୁଖ୍ୟମନ୍ତ୍ରୀଙ୍କର ନିଦ ଭାଙ୍ଗିଛି।”

ଅନ୍ୟପଟେ ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କାର ଇନପୁଟ୍ ସହାୟତା ଘୋଷଣା କରିବା ପରେ ଏହାକୁ ନେଇ ତେଜିଛି ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବିରୋଧୀମାନେ ନିର୍ବାଚନୀ ହାଓ୍ୱା କହୁଥିବାବେଳେ, ନିର୍ବାଚନ ଭୟରେ ରାଜ୍ୟ ସରକାରଙ୍କର ଏହା ଏକ ପ୍ରହେଳିକା ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

“ଏ ସରକାର ହେଉଛି ଚାଷୀ ହତ୍ୟାକାରୀ। ଚାଷୀ ମରଣ ନୀତିରେ ଏ ସରକାର ମାହିର। ବର୍ତ୍ତମାନର ସରକାର ସମୟରେ ହିଁ ସବୁଠୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ରାଜ୍ୟର ୭୦ ଭାଗ ଜମି ଜଳସେଚିତ ହୋଇପାରିନି। ମରୁଡ଼ି ସହାୟତା ବି ଠିକ୍ ସମୟରେ ମିଳୁନି। ଗତବର୍ଷ ହୋଇଥିବା ମରୁଡ଼ିର ସହାୟତା ପାଇଁ ଯେତେବେଳେ ଚାଷୀ ଆନ୍ଦୋଳନ କରୁଥିଲେ ସେତେବେଳେ ରାଜ୍ୟ ସରକାର କିମ୍ବା ତାଙ୍କ ଦଳର ନେତା ମନ୍ତ୍ରୀଙ୍କ ଦୃଷ୍ଟି ଚାଷୀଙ୍କ ଉପରେ ପଡ଼ିନଥିଲା”, କହନ୍ତି ପୃଥ୍ୱୀରାଜ ହରିଚନ୍ଦନ।

ପୃଥ୍ୱୀରାଜ ଆହୁରି ମଧ୍ୟ କହିଛନ୍ତି ଯେ, “୨୦୨୧ ମସିହାରେ ପଦ୍ମପୁର ଅଞ୍ଚଳ ମରୁଡ଼ିର ଶିକାର ହୋଇଥିଲା। ତୁରନ୍ତ ତାହାର ଆସେସମେଣ୍ଟ ପାଇଁ ଏସଆରସି ଚିଠି ଲେଖିଲେ। ୨୦୨୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଚୁପ ବସିଥିଲେ ଆଉ ଧାନ କିଣାକୁ ବି ମିଲରମାନେ କଣ୍ଟ୍ରୋଲ କଲେ। ଯାହା ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଗଲା। ଦେଢ଼ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।”

ଯଦି ସରକାର ବାସ୍ତବରେ ଚାହୁଁଛନ୍ତି ମରୁଡ଼ି ସହାୟତା ଦେବା ପାଇଁ ତେବେ କେଉଁମାନଙ୍କୁ ଦିଆଯିବ ତାହାର ଡକ୍ୟୁମେଣ୍ଟକୁ ସାର୍ବଜନୀନ କରନ୍ତୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ବୁଧବାର ଦିନ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଂଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ। ଆଲୋଚନା ସଫଳ ହେବା ସହ ଆସନ୍ତା ୨୦୨୩ ଡିସେମ୍ବର ମାସ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବର୍ତମାନ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହୋଇଥିବାରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ। ହେଲେ ଏହି ପ୍ରସଙ୍ଗରେ ଏବେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

Tags: #PruthwirajHarichandan #BJP #CounterBack #CMNaveenPatnaik #Padmapur #District #ByElection #InputSubcidy

Comment