ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୦୨୩ରେ ଭାରତ ଅଧ୍ୟକ୍ଷତାରେ ହେବ ଜି-୨୦ ସମ୍ମିଳନୀ। ଏହି ସମ୍ମିଳନୀ ଭାରତର ଜୟପୁର ସହରରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ବାଲିଠାରେ ଅନୁଷ୍ଠିତ ଦୁଇଦିନିଆ ଜି-୨୦ ସମ୍ମିଳନୀ ଶେଷ ହେବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜ-୨୦ର ଅଧ୍ୟକ୍ଷତା ହସ୍ତାନ୍ତର କରିଛନ୍ତି।

ଆଜି ଜି-୨୦ର ଅଧ୍ୟକ୍ଷତା ହସ୍ତାନ୍ତର କରାଯାଇଥିବାବେଳେ ଆସନ୍ତା ଡିସେମ୍ବର ୧ ତାରିଖଠାରୁ ଭାରତ ଏହାକୁ ବିଧିବଦ୍ଧ ଭାବେ ଗ୍ରହଣ କରିବ। ପ୍ରଥମ ଥର ଲାଗି ଭାରତରେ ଏହି ସମ୍ମିଳନୀର ଆୟୋଜନ କରାଯିବ।

ବାଲିରେ ହୋଇଥିବା ଦୁଇ ଦିନିଆ ସମ୍ମିଳନୀ ଶେଷ ହେବା ପରେ ଜି-୨୦ ଘୋଷଣାନାମାରେ କୁହାଯାଇଛି, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ। ୟୁକ୍ରେନ ଯୁଦ୍ଧ ଶେଷ କରିବା ସପକ୍ଷରେ ମତ ଦେଇଛନ୍ତି ସମସ୍ତ ସଦସ୍ୟ ଦେଶ। ଆଣବିକ ଅସ୍ତ୍ର ପ୍ରୟୋଗ ବା ଏହାର ଭୟ ଦେଖାଇବା ଆଦୌ ଗ୍ରହଣୀୟ ନୁହେଁ। ସମସ୍ତ ବିବାଦର ସମାଧାନ ଶାନ୍ତି ଆଲୋଚନା ମାଧ୍ୟମରେ ହେବା ଉଚିତ। ଆଗରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଆହ୍ୱାନ ଦେଇଥିଲେ । ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ବୋଲି ସେ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କୁ କହିଛନ୍ତି।

ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋଦି, ଭାରତରେ ଏହାର ଲୋଗୋ ଓ ୱେବସାଇଟ୍ ଲଞ୍ଚ କରିଥିଲେ। ଭାରତ ବର୍ଷକ ପାଇଁ ଜି-୨୦ର ଅଧ୍ୟକ୍ଷ ପଦରେ ରହିବ। ଏହି ଅବଧି ୨୦୨୨ ଡିସେମ୍ବର ୧ରୁ ଆରମ୍ଭ ହେବ। ଏହାପୂର୍ବରୁ ଆସନ୍ତା ଜି-୨୦ ଶିଖର ସମ୍ମିଳନୀର ଥିମ ‘ବିକାଶ ପାଇଁ ତଥ୍ୟ’ ରହିବ ବୋଲି ମୋଦି ସୂଚନା ଦେଇଛନ୍ତି। ମୋଦି କହିଥିଲେ, ଡିଜିଟାଲ ବିପ୍ଳବ ଆମ ଯୁଗର ସବୁଠାରୁ ବଡ଼ ପରିବର୍ତ୍ତନ। ଉପଯୁକ୍ତ ଡିଜିଟାଲ ଟେକ୍ନୋଲଜି ଦୀର୍ଘ ଦଶନ୍ଧି ଧରି ଦାରଦ୍ର୍ୟ ଦୂରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଅନ୍ୟପଟେ ଗତକାଲି ବାଲିରେ ବାଲିଯାତ୍ରା କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜି-୨୦ ସମ୍ମଳନୀରେ ଯୋଗ ଦେବାକୁ ଇଣ୍ଡୋନେସିଆର ବାଲି ଯାଇଥିବା ପ୍ରଧାନମନ୍ତ୍ରୀ ସେଠାରେ କଟକ ବାଲିଯାତ୍ରା କଥା ଉଲ୍ଲେଖ କରିଥିଲେ। ବାଲିରେ ଭାରତୀୟ କମ୍ୟୁନିଟିକୁ ସମ୍ବୋଧନ କରି ବାଲିଯାତ୍ରା କଥା ମନେ ପକାଇଥିଲେ। ଏଠାରୁ ୧୫ ଶହ କିମି ଦୂର କଟକରେ ବାଲିଯାତ୍ରା ମହୋତ୍ସବ ଚାଲିଛି ବୋଲି ମୋଦି କହିଥିଲେ। ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କ ସ୍ମୃତିରେ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଥିବା କଥା ସେ କହିଥିଲେ। ବାଲିଯାତ୍ରା ହଜାରେ ବର୍ଷ ତଳର ଦୁଇ ଦେଶର ବାଣିଜ୍ୟିକ ସଂପର୍କ। ନେଟ୍‌ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ କହିଥିଲେ।

Tags: #G20Summit #Presideny #India #Bali #Indonesia #NarendraModi

Comment